୫ ନୂଆ ଆକ୍ରାନ୍ତଙ୍କ ଜଣାପଡିଲା ଠିକଣା: ଯାଜପୁର ବ୍ଲକ ନାଥସାହିରୁ ଜଣେ, ବାସୁଦେବପୁରରୁ ୨ ଜଣ, ବରି ବ୍ଲକ କଳାମାଟିଆ ଗାଁରୁ ଜଣେ; ବିଞ୍ଝାରପୁର ବ୍ଲକ କଲ୍ୟାଣପୁର ଗାଁରୁ ଜଣେ ଆକ୍ରାନ୍ତ ଚିହ୍ନଟ

749

କନକ ବ୍ୟୁରୋ: ଯାଜପୁରରେ ଚିହ୍ନଟ ହୋଇଥିବା ସମସ୍ତ ଆକ୍ରାନ୍ତଙ୍କୁ ନେଇ ଅଧିକ ତଥ୍ୟ ଦେଇଛି ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ । ଯାଜପୁରରେ ୫ ନୂଆ ଆକ୍ରାନ୍ତଙ୍କ ଠିକଣା ଜଣାପଡିଛି । ଯାଜପୁର ବ୍ଲକ ନାଥସାହିରୁ ଜଣେ , ବାସୁଦେବପୁରରୁ ୨ ଜଣ, ବରି ବ୍ଲକ କଳାମାଟିଆ ଗାଁରୁ ଜଣେ , ବିଞ୍ଝାରପୁର ବ୍ଲକ କଲ୍ୟାଣପୁର ଗାଁରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୂଆକରି ଚିହ୍ନଟ ହୋଇଥିବା ୫ ଆକ୍ରାନ୍ତଙ୍କ ମଧ୍ୟରୁ ୩ ଜଣ ପୁରୁଷ ଓ ୨ ଜଣ ମହିଳା ଅଛନ୍ତି । ୩ ଜଣ ପୁରୁଷଙ୍କ ବୟସ ହେଉଛି ୨୮ ବର୍ଷ, ୫୬ ବର୍ଷ ଓ ୬୩ ବର୍ଷ । ୨ ଜଣ ମହିଳାଙ୍କ ବୟସ ହେଉଛି ୨୪ ଓ ୬୦ ବର୍ଷ । ଏହି ସମସ୍ତ ଆକ୍ରାନ୍ତଙ୍କର ରହିଛି କୋଲକାତା ଲିଙ୍କ୍ । କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଏମାନଙ୍କର ଗସ୍ତ ଇତିହାସ ଓ କଂଟାକ୍ଟ ଟ୍ରେସିଂ ଖୋଜିବା ଆରମ୍ଭ ହୋଇଛି ।

ରାଜ୍ୟରେ ଆଉ ୫ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏନେଇ ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ । ଏହାକୁ ମିଶାଇ ମୋଟ୍ କରୋନା ଆକ୍ରାନ୍ତ ସଂଖ୍ୟା ୧୫୪ କୁ ବୃଦ୍ଧି ହୋଇଛି । ନୂଆ ଚିହ୍ନଟ ହୋଇଥିବା ୫ ଆକ୍ରାନ୍ତ ଯାଜପୁର ଜିଲ୍ଲାରୁ ବୋଲି ଜଣାପଡିଛି । ଏହା ସହିତ ଯାଜପୁର ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୫କୁ ବୃଦ୍ଧି ହୋଇଛି । କରୋନା ଆକ୍ରାନ୍ତ ସଂଖ୍ୟାରେ ଏବେ ଖୋର୍ଧା ପଛକୁ ଦ୍ୱିତୀୟ ସ୍ଥାନରେ ରହିଛି ଯାଜପୁର । ଗତକାଲି ଯାଜପୁରରେ ୪ଟି ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ଆଉ ୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯାହାକି ଜିଲ୍ଲା ପ୍ରଶାସନର ଚିନ୍ତା ବଢାଇ ଦେଇଛି । ରାଜ୍ୟରେ ଏବେ କରୋନା ଆକ୍ରାନ୍ତ ସଂଖ୍ୟା ୧୫୪ରେ ପହଁଚିଥିବା ବେଳେ ମୋଟ୍ ଆକ୍ଟିଭ୍ କେସ୍ ୯୮ ରହିଛି । ଚିକିତ୍ସା ପରେ ସୁସ୍ଥ ହୋଇ ଘରକୁ ଫେରିଲେଣି ୫୫ ଜଣ । କରୋନା ସଂକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଛି ।