ସାବାଡ୍ ହେବେ ଦୋକାନୀ…ଏଣିକି ଜିନିଷ ଦେବା ବେଳେ କ୍ୟାରି ବ୍ୟାଗ ପାଇଁ ଅତିରିକ୍ତ ଟଙ୍କା ନେଲେ ଆଉ ବର୍ତ୍ତିବେନି ଦୋକାନୀ: ଗ୍ରାହକଙ୍କଠାରୁ ଟଙ୍କା ମାଗିଲେ ଲାଗିବ ୨୦ ଗୁଣା ଫାଇନ୍

ବ୍ୟାଗ୍ ଆଳରେ ଏବେ ଏକ୍ସଟ୍ରା ଚାର୍ଜ ମାଗିବା ମନା

767

କନକ ବ୍ୟୁରୋ: ଏଣିକି କ୍ୟାରି ବ୍ୟାଗ ପାଇଁ ଅତିରିକ୍ତ ଟଙ୍କା ନେଇ ପାରିବେନି କୌଣସି ବି ଦୋକାନୀ । ଗ୍ରାହକଙ୍କର ଗୋଟିଏ ଅଭିଯୋଗରେ ବ୍ୟାଗ୍ ଦାମର ୨୦ ଗୁଣା ଟଙ୍କା ଜରିମାନା ବାବଦକୁ ତଣ୍ଡ ଗଣିବେ ଦୋକାନୀ । ତେବେ ଦେଶ ବ୍ୟାପୀ ନୂଆ କନଜ୍ୟୁମର ପ୍ରୋଟେକ୍ସନ ଆକ୍ଟ-୨୦୧୯ ଲାଗୁ ହେବା ପରେ ଏଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ଅଧିକାର ସାଧାରଣ ଜନତାଙ୍କୁ ଦେଇରଖିଛନ୍ତି କେନ୍ଦ୍ର ସରକାର । ଯାହାକୁ ଏବେ କଡାକଡି ଭାବେ ପାଳନ ମଧ୍ୟ କରାଯାଉଛି । କିଛି ଦିନ ତଳେ ଜଣେ ଉପଭୋକ୍ତା କ୍ୟାରି ବ୍ୟାଗକୁ ନେଇ ଉପଭୋକ୍ତା କୋର୍ଟର ଦ୍ୱାରସ୍ଥ ହେବା ପରେ ଏଭଳି ଏକ ଚରମ ନିଷ୍ପତି ଶୁଣାଇଛନ୍ତି କନଜ୍ୟୁମର ଫୋରମ୍ ।

ଗ୍ରାହକଙ୍କ ଗୋଟିଏ ଅଭିଯୋଗରେ ଦୋକାନୀଙ୍କୁ ଜେଲ୍ !

ଏଣିକି ଯଦି ଦୋକାନୀ କିମ୍ବା ବଡ ବଡ ଷ୍ଟୋର କ୍ୟାରି ବ୍ୟାଗ ପାଇଁ ଆପଣଙ୍କୁ ଠାରୁ ଅତିରିକ୍ତ ଟଙ୍କା ନିଅନ୍ତି ତେବେ ସଂପୃକ୍ତ କଂପାନୀ ତଥା ଦୋକାନ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ କେନ୍ଦ୍ର ସରକାର । ଯଦି ଆପଣଙ୍କଠାରୁ କୌଣସି ଦୋକାନୀ କିମ୍ବା ସପିଂ ମଲ କ୍ୟାରି ବ୍ୟାଗ ନାଁରେ ଏକ୍ସଟ୍ରା ୫ ଟଙ୍କା କିମ୍ବା ୧୦ ଟଙ୍କା ଚାର୍ଜ କରନ୍ତି ଏନେଇ ଆପଣ ସିଧା କନଜ୍ୟୁମର ଫୋରମରେ ଅଭିଯୋଗ କରିପାରିବେ । ଆଉ ଅଭିଯୋଗ କରିବାର ମାତ୍ର ମାସକ ଭିତରେ ଆପଣଙ୍କ ମାମଲାର ଶୁଣାଣି କରି ଆପଣଙ୍କୁ ନ୍ୟାୟ ପ୍ରଦାନ କରିବ କେନ୍ଦ୍ର ସରକାରଙ୍କ ଏହି ଉପଭୋକ୍ତା କୋର୍ଟ ।

ଏବେନଜର ପକାନ୍ତୁ ସଂଶୋଧିତ ଆଇନରେ କଣ ସବୁ ନୂଆ ନିୟମ ସ୍ଥାନ ପାଇଛି…

• ବିଭ୍ରାନ୍ତିକର ବିଜ୍ଞାପନ ପ୍ରଚାର କିମ୍ବା ପ୍ରସାର କଲେ ସିଧା କାର୍ଯ୍ୟାନୁଷ୍ଠାନ 

• କ୍ୟାରି ବ୍ୟାଗ ପାଇଁ ଅତିରିକ୍ତ ଟଙ୍କା ନେଇପାରିବେନି ଦୋକାନୀ

• ସିନେମା ହଲରେ ଖାଦ୍ୟ ସାମଗ୍ରୀକୁ ଅଧିକ ଦାମରେ ବିକିଲେ କାର୍ଯ୍ୟାନୁଷ୍ଠାନ

• ନୂଆ ଆଇନରେ ସାମିଲ ହେଲା ଉଭୟ ଅନଲାଇନ ଏବଂ ଟେଲିସପିଂ କଂପାନୀ

• କୌଣସି ବି କନଜ୍ୟୁମର କୋର୍ଟରେ ମାମଲା ରୁଜୁ କରିପାରିବେ ଗ୍ରାହକ

• ସାମଗ୍ରୀରେ ଅପମିଶ୍ରଣ କଲେ ଦୋକାନୀଙ୍କୁ ଜରିମାନା ସାଙ୍ଗକୁ ହୋଇପାରେ ଜେଲ
• ଗ୍ରାହକ ଫୋରମରେ କୋଟିଏ ଟଙ୍କା ପର୍ଯ୍ୟନ୍ତ ମାମଲା ରୁଜୁ ହୋଇପାରିବ

ନୂଆ ତଥା ସଂଶୋଧିତ ଆଇନ ଅନୁସାରେ, ଉପଭୋକ୍ତାକୁ ପ୍ରଲୋଭିତ କଲା ଭଳି ବିଜ୍ଞାପନ ଦେଲେ ସଂପୃକ୍ତ କଂପାନୀ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ । ସେହିଭଳି ନୂଆ ଉପଭୋକ୍ତା ନିୟମ ପ୍ରଣୟନ ପରେ ଗ୍ରାହକଙ୍କ ସମସ୍ୟା ଜନିତ ମାମଲାଗୁଡିକର ସମାଧାନ ସମୟାନୁବର୍ତ୍ତୀ, ପ୍ରଭାବଶାଳୀ ତଥା ଶ୍ରୀଘ୍ର ସମାଧାନ ହୋଇପାରିବ । ତେବେ ନୂଆ ନିୟମ ଅନୁସାରେ, କନଜ୍ୟୁମର କୋର୍ଟ ସହ ଏକ କେନ୍ଦ୍ରୀୟ ଉପଭୋକ୍ତା ସୁରକ୍ଷା ପ୍ରାଧିକରଣ ଗଠନ କରାଯାଇଛି । ଯାହା ଗ୍ରାହକଙ୍କ ସ୍ୱାର୍ଥ ରକ୍ଷା ଉପରେ କଡାକଡି ଭାବେ ନଜର ରଖିବ । ଏଥିସହିତ ନୂଆ ନିୟମ ଅନୁସାରେ, ଜଣେ ଗ୍ରାହକ କୌଣସି ବି ଜିନିଷ କିଣିବା ପୂର୍ବରୁ ଉକ୍ତ ସାମଗ୍ରୀର ଗୁଣାବତା ସଂପର୍କିତ ଅଭିଯୋଗ ସିସିପିଏରେ କରିପାରିବେ ।