ସୁନା କିଣୁଥିବା ଗ୍ରାହକଙ୍କ ପାଇଁ ବଡ ଖବର । ଅସଲି ସୁନା ଗହଣା ନାଁରେ ଆଉ ଠକିପାରିବେନି ଦୋକାନୀ, ବଜାରରେ ମିଳିବ କେବଳ ହଲମାର୍କ ସୁନା ।

975

କନକ ବ୍ୟୁରୋ : ସୁନା କିଣୁଥିବା ଗ୍ରାହକଙ୍କ ପାଇଁ ବଡ ଖବର । ସାଧାରଣତଃ ସୁନା ଗହଣା କିଣୁଥିବା ବେଳେ ଅନେକ ସମୟରେ ଲୋକେ ଠକାମୀ ଶିକାର ହୋଇଥାନ୍ତି । ଏପରିକି ସୁନା ନ ଚିହ୍ନି ପାରି ଲୋକେ ଅସଲି ସୁନା ବଦଳରେ ନକଲି ସୁନା ଗହଣା କିଣିଥାନ୍ତି । କିନ୍ତୁ ଏବେ ଏହି ଠକାମୀରେ ପଡିବ ପୂର୍ଣ୍ଣଚ୍ଛେଦ । କେନ୍ଦ୍ର ସରକାର ଏମିତି ଏକ ପଦକ୍ଷେପ ନେବାକୁ ଯାଉଛନ୍ତି ଯାହାଦ୍ୱାରା ସୁନା କିଣିବା ବେଳେ ଆଉ ଲୋକେ ଠକାମୀର ଶିକାର ହେବେନି ।

କେନ୍ଦ୍ରମନ୍ତ୍ରୀ ରାମବିଳାସ ପାଶୱାନଙ୍କ କହିବା ଅନୁଯାୟୀ, ୧୫ ଜାନୁଆରୀ ୨୦୨୧ ପରଠାରୁ ସୁନା ଗହଣା ଉପରେ ହଲମାର୍କ ରହିବ । ତେଣୁ ହଲମାର୍କ ଦେଖି ଗ୍ରାହକ ସୁନା ଗହଣା କିଣିପାରିବେ । ଏନେଇ ଆସନ୍ତା ୧୫ ଜାନୁଆରୀ ୨୦୨୦ରେ ବିଜ୍ଞପ୍ତି ପ୍ରକାଶ ପାଇବ । କିନ୍ତୁ ଏହି ନୂଆ ନିୟମ ଲାଗୁ କରିବାକୁ ଗୋଟିଏ ବର୍ଷ ସମୟ ଦିଆଯିବ । ଯାହାଦ୍ୱାରା ଏହି ସମୟସୀମା ମଧ୍ୟରେ ପୁରୁଣା ସୁନା ଗହଣା ଷ୍ଟକ ଶେଷ କରିପାରିବେ ଦୋକାନୀ । ଏବେ ଦେଶରେ ୮୦୦ଟି ହଲମାର୍କିଂ କେନ୍ଦ୍ର ରହିଥିଲେ ମଧ୍ୟ ମାତ୍ର ୪୦ ପ୍ରତିଶତ ଗହଣା ଉପରେ ହଲମାର୍କିଂ କରାଯାଉଛି ।

ହଲମାର୍କ କଣ :
ସୁନାର ଶୁଦ୍ଧତା ଜାଣିବା ପାଇଁ ହଲମାର୍କର ବ୍ୟବହାର କରାଯାଇଥାଏ । ସୁନା ଗହଣାର ଶୁଦ୍ଧତା ଜାଣିବା ପାଇଁ ହଲମାର୍କ ମାନକକୁ ଭାରତୀୟ ମାନକ ବ୍ୟୁରୋ(ବିଆଇଏସ) ନିର୍ଦ୍ଧାରିତ କରିଛି । ସୁନା ଗହଣା ଉପରେ ବିଆଇଏସ ଦ୍ୱାରା ଚିହ୍ନିତ ହୋଇଥିବା ହଲମାର୍କ ଦ୍ୱାରା ଏହା ସ୍ୱଷ୍ଟ ହୋଇଯାଇଥାଏ ଯେ, ଏହି ସୁନାର ଲ୍ୟାବରେ ପରୀକ୍ଷଣ ସହ ଯାଞ୍ଚ କରାଯାଇଛି । ବିଆଇଏସ ୩ଟି ଗ୍ରେଡର ସୁନା ବଜାରକୁ ଛାଡିଥାଏ । ୧୪, ୧୮ ଓ ୨୨ କ୍ୟାରେଟ ଯୁକ୍ତ ସୁନା ପାଇଁ ବିଆଇଏସ ହଲମାର୍କ ମାନକ ନିର୍ଦ୍ଧାରଣ କରିଛି ।