ରଥଯାତ୍ରା ପାଇଁ ଆଜିଠୁ ଆରମ୍ଭ ହେବ ରଥ ନିର୍ମାଣ କାମ । ଚନ୍ଦନଯାତ୍ରାରେ ବାହାରିବେ ମହାପ୍ରଭୁ ।

99

କନକ ବ୍ୟୁରୋ : ପବିତ୍ର ଅକ୍ଷୟ ତୃତୀୟା । ରଥ ନିର୍ମାଣର ଆଦ୍ୟପର୍ବ । ଏହି ଦିନ ତିନି ରଥର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ । ପରମ୍ପରା ଅନୁଯାୟୀ, ରଥଖଳାରେ ତିନି ଧଉରା କାଠକୁ ପୂଜା କରାଯିବା ପରେ ଦେଉଳ ପୁରୋହିତ ଓ ଅନ୍ୟମାନେ ସୁନା କୁରାଢ଼ିରେ ରଥକାଠକୁ ଚୋଟ ମାରି ନିର୍ମାଣ କାର୍ଯ୍ୟ ଅନୁକୂଳ କରିବେ । ଏ ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି । ଶ୍ରୀମନ୍ଦିର କାର୍ଯ୍ୟାଳୟ ସମ୍ମୁଖ ରଥଖଳାରେ ଛାମୁଣ୍ଡିଆ ବନ୍ଧାଯାଇଛି । କିନ୍ତୁ ବାତ୍ୟାରେ ପୁରୀରେ ବ୍ୟାପକ କ୍ଷୟକ୍ଷତି ହୋଇଥିବାରୁ ଏହା ନିରାଡମ୍ବର ଭାବେ ପାଳନ କରାଯିବ ବୋଲି ଜଣାପଡ଼ିଛି ।

ଅନ୍ୟପଟେ ଆଜିଠାରୁ ମହାପ୍ରଭୁଙ୍କ ପ୍ରସିଦ୍ଧ ଚନ୍ଦନଯାତ୍ରା ବି ଆରମ୍ଭ ହେଉଛି । ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ପଞ୍ଚ ମହାଦେବଙ୍କ ସହ ନରେନ୍ଦ୍ର ପୁଷ୍କରିଣୀରେ ଚାପ ଖେଳିବେ । ଏ ନେଇ ବର୍ଷତମାମ୍ ନରେନ୍ଦ୍ରରେ ବୁଡ଼ି ରହିଥିବା ନନ୍ଦା ଓ ଭଦ୍ରା ଡଙ୍ଗାକୁ ସୁସଜ୍ଜିତ କରାଯାଇଛି । ୨୧ ଦିନ ଧରି ନରେନ୍ଦ୍ରରେ ମହାପ୍ରଭୁ ବାହାର ଚାପ ଖେଳିବା ପରେ ପୁଣି ୨୧ ଦିନ ଶ୍ରୀମନ୍ଦିରରେ ଭିତର ଚାପ ଖେଳ ହେବ । ସୂଚନାଯୋଗ୍ୟ, ଏ ଭିତରେ ତିନି ରଥ ନିର୍ମାଣ ପାଇଁ ଆବଶ୍ୟକ ରଥକାଠ ରଥଖଳାରେ ପହଞ୍ଚି ସାରିଛି ।