ବିକାଶ ଅଟକାଇଛି ଅଧାଗଢା ପୋଲ । ୨୦୧୨ରୁ ଆରମ୍ଭ ହୋଇ ଆଜି ଯାଏଁ ସରୁନି ପୋଲ ନିର୍ମାଣ । ମହେନ୍ଦ୍ର ତନୟା ନଦୀରେ ପାଣି ଆସିଲେ ଅଟକି ଯାଏଁ ୩ ପଂଚାୟତର ଜୀବନ ଜୀବିକା

103

କନକ ବ୍ୟୁରୋ : ନଦୀପାର ନହେଲେ ନଚଳେ ସଂସାର । ଜୀବନକୁ ବାଜିରେ ଲାଗାଇ ପାଣିରେ ପସି ନଦୀପାର ହୁଅନ୍ତି ଲୋକେ । ପଂଚାୟତ କାର୍ଯ୍ୟାଳୟ ଠାରୁ ଆରମ୍ଭ କରି ହାଟ ବଜାର , ମେଡିକାଲ , କଲେଜ, ଯେକୈାଣଶି ସ୍ଥାନକୁ ଯିବାକୁ ହେଲେ ନଦୀ ପାର ହେବାକୁ ପଡେ । ଛାତ୍ରଛାତ୍ରୀଙ୍କ ସ୍କୁଲ ଯିବା ହେଉ ବା ରୋଗୀ ଓ ଗର୍ଭବତ୍ତି ମହିଳା ସ୍ୱାସ୍ଥ୍ୟ ସେବା ପାଇବା ଏଠି ସଂଘର୍ଷ କରିବାକୁ ପଡେ । ଏହି ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ରାୟଗଡା ବ୍ଳକ କରଡାସିଂ ପଞ୍ଚାୟତରେ ।

ପୋଲଟିଏ ପାଇଁ ସମସ୍ୟା ଭୋଗୁଛନ୍ତି ରାୟଗଡା ବ୍ଳକ ତିନୋଟି ପଞ୍ଚାୟତର ଗ୍ରମବାସୀ । ବର୍ଷା ଦିନେ ମହେନ୍ଦ୍ର ତନୟା ନଦୀ ଫୁଲିଲେ ଜୀବନ ଦୁର୍ବିସହ ହୋଇପଡେ । ନଦୀ ପାର ହେବା କଷ୍ଟକର ହୋଇପଡେ । ବ୍ଲକର କୁଜାସିଙ୍ଗି, ଅଜୟଗଡ, କରଡାସିଙ୍ଗି ପଞ୍ଚାୟତର ୨୦ରୁ ଅଧିକ ଗ୍ରାମବାସୀ ଅତି ଦୁଃଖଦାୟକ, ଜୀବନକୁ ବାଜି ଲଗାଇ ପାଣି ପାରି ହୋଇଥାନ୍ତି । ଶିକ୍ଷା, ସ୍ୱାସ୍ଥ୍ୟ, ସାଧାରଣ ବଂଟନ ସାମଗ୍ରୀ, ବାର୍ଦ୍ଧକ୍ୟ ଭତ୍ତା ଭଳି ସରାକରି ସହାୟତା ପାଇବା ପାଇଁ ନଦୀ ପାର ହୁଅନ୍ତି ଲୋକେ ।

ଲୋକଙ୍କ ସମସ୍ୟାକୁ ଦେଖି ୨୦୧୨ରୁ ମହେନ୍ଦ୍ର ତନୟା ନଦୀ ଉରକେ ପୋଲ ନିର୍ମାଣ ଆରମ୍ଭ ହୋଇଛି । କିନ୍ତୁ ୮ ବର୍ଷ ପରେ ବି ସରିନି । ଯାହାକୁ ନେଇ ଲୋକଙ୍କ ମନରେ ଅସନ୍ତୋଷ ବଢୁଛି । ସେପଟେ ନିର୍ମାଣ ଆରମ୍ଭରୁ ପୋଲର ଉଚ୍ଚତା ଯାହା ଥିଲା ଏବେ ତାହା ବୃଦ୍ଧି କରାଯାଇଛି । ବାତ୍ୟା ବନ୍ୟା ବେଳେ ଜଳସ୍ତର ବୃଦ୍ଧିକୁ ଦୃଷ୍ଟିରେ ରଖି ପୋଲର ଉଚ୍ଚତା ପରିବର୍ତନ କରାଯାଇଛି । ଏଥିପାଇଁ ସରକାରଙ୍କ ଅନୁମୋଦନକୁ ଅପେକ୍ଷା କରାଯାଇଛି, ଯଥଶୀଘ୍ର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ବୋଲି ଜିଲ୍ଲାପାଳ ଅନୁପମ ସାହା କହିଛନ୍ତି ।

ଗ୍ରାମାଞ୍ଚଳର ବିକାସ ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି କିନ୍ତୁ ବିଭାଗିୟ ତପ୍ତରତା ଅଭାବରୁ ବର୍ଷ ବର୍ଷ ଧରି ଅଧପାନ୍ତରିଆ ଭାବରେ ପଡି ରହିଛି ନିର୍ମାଣ । ଫଳରେ ଯୋଜନାର ସୁଫଳ ପାଇପାରୁ ନାହାନ୍ତି ଉପାନ୍ତ ଅଞ୍ଚଳ ବାସୀ ।