ଆରମ୍ଭ ହେଲା ଶ୍ରୀଜୀଉଙ୍କ ରଥର ତୁମ୍ଭ ନିର୍ମାଣ : ଅକ୍ଷୟ ତୃତୀୟାରେ ଆଜ୍ଞାମାଳ ବିଜେ ପରେ ନିର୍ମାଣ ଆରମ୍ଭ କଲେ ମହାରଣା ସେବାୟତ

119

କନକ ବ୍ୟୁରୋ : ପବିତ୍ର ଅକ୍ଷୟ ତୃତୀୟାରେ ରଥ ନିର୍ମାଣ କାର୍ଯ୍ୟର ଅନୁକୂଳ ପରେ ରଥଖଳା ଚଳଚଞ୍ଚଳ ହୋଇଉଠିଛି ।  କଡ଼ା କଟକଣା ଭିତରେ ନନ୍ଦିଘୋଷ, ତାଳଧ୍ୱଜ, ଦର୍ପଦଳନ ରଥ ଚକାର ତୁମ୍ବ କାମ ଆରମ୍ଭ ହୋଇଛି । କରତିମାନେ ଲମ୍ବା ଲମ୍ବା କାଠଗଣ୍ଡିକୁ ତୁମ୍ୱ ମାପରେ କାଟିବା ପରେ ତିନି ରଥର ବିଶ୍ୱକର୍ମାମାନେ ନିର୍ମାଣ କାମ ଆରମ୍ଭ କରିଛନ୍ତି । ୧୦ରୁ ଅଧିକ ମହାରଣାଙ୍କ ସମେତ ଭୋଇ ଓ କରତିଙ୍କୁ ନେଇ ପ୍ରଥମ ଦିନର ନିର୍ମାଣ କାମ ଆରମ୍ଭ ହୋଇଥିବାବେଳେ ହାତକାଠିରେ ମାପ ହୋଇ ତୁମ୍ୱ ପାଇଁ କାଠ କଟା ଯିବା ପରେ ୧୦ ଇଞ୍ଚ ବ୍ୟାସାର୍ଦ୍ଧ ବିଶିଷ୍ଟ କୁଆଁରରେ କାଠର ମଞ୍ଜରେ ଗୋଲାକାର ଦାଗ ଦିଆଯାଇଛି । ଏହା ପରେ ନିହଣ, ମୁଗୁର ଓ ବାର୍‌ସି ସହାୟତାରେ କାଠ ଗଣ୍ଡିକୁ ହଣାଯାଇଛି ।

ତିନି ରଥର ଗୋଟିଏ ଗୋଟିଏ ତୁମ୍ୱ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ତୁମ୍ବ ପାଇଁ ଆସିଥିବା ସମସ୍ତ କାଠକୁ ଖେଳାଇ ସମସ୍ତ ତୁମ୍ୱ ପାଇଁ କାଠ ବାହାର କରିବାକୁ ଯୋଜନା ରହିଛି । ନନ୍ଦିଘୋଷ ରଥର ମୁଖ୍ୟ ବିଶ୍ୱକର୍ମା ବିଜୟ ମହାପାତ୍ର, ବଡଠାକୁରଙ୍କ ତାଳଧ୍ୱଜ ରଥର ମୁଖ୍ୟ ବିଶ୍ୱକର୍ମା ନରସିଂହ ମହାପାତ୍ର ଏବଂ ମା’ ସୁଭଦ୍ରାଙ୍କ ଦର୍ପଦଳନ ରଥର ମୁଖ୍ୟ ବିଶ୍ୱକର୍ମା କୃଷ୍ଣଚନ୍ଦ୍ର ମହାରଣାଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ମହାରଣା ସେବକମାନେ ରଥ ନିର୍ମାଣ କାମ ଆରମ୍ଭ ‌କରିଛନ୍ତି । ରଥଖଳାରେ ପ୍ରବେଶ ପୂର୍ବରୁ ସମସ୍ତ ମହାରଣା ସେବକମାନଙ୍କ ଥର୍ମାଲ୍‌ ସ୍କ୍ରୂନିଂ ସହ ସାନିଟାଇଜ୍‌ ବ୍ୟବସ୍ଥା କରାଯାଇଥିଲା । ରଥ ନିର୍ମାଣ ସମୟରେ କାଠକୁ ମାପ କରିବା ପାଇଁ କୌଣସି ଆଧୁନିକ କୌଶଳ ରଥଖଳାରେ ବ୍ୟବହାର ହୁଏନାହିଁ। ହାତ କାଠି, କୁଆଁର, ସୂତା ଆଦିରେ ମାପକୁ ଯୁଗ ଯୁଗ ଧରି ବିଶ୍ୱକର୍ମାମାନେ ବ୍ୟବହାର କରି ଆସୁଛନ୍ତି । ମୁଖ୍ୟ ବିଶ୍ୱକର୍ମାଙ୍କ ପୋଥିର ମାପ ଆଧାରରେ ହାତ, ଆଙ୍ଗୁଳି, ସୂତା ମାପ ଅବଲମ୍ୱନ କରି ତିନି ରଥର ବିଭିନ୍ନ ଅଂଶକୁ ନିର୍ମାଣ କରାଯାଉଛି ।

ଏହି ପାରମ୍ପରିକ ମାପରେ ପ୍ରତ୍ୟେକ ଚକର ତୁମ୍ୱରେ ୧୬ଟି ଅର ଲାଗିବ । ତୁମ୍ୱ ନିର୍ମାଣ ପରେ ଏହି ଅରଗୁଡ଼ିକ ଖଞ୍ଜା ଯିବ । ଏଥିପାଇଁ ପ୍ରତ୍ୟେକ ତୁମ୍ୱରେ ୩୨ଟି ବିନ୍ଧ କରାଯିବ । ଏହା ପରେ ତୁମ୍ୱରେ ଅର ଯୋଡାଯିବ। ଅର ଉପରେ ପଈ ପଡିବ । ବିଶ୍ୱକର୍ମାମାନେ ପୁରୁଷ ପୁରୁଷ ଧରି ଏହି ପଦ୍ଧତି ଅନୁସରଣ କରି ରଥ ନିର୍ମାଣ କରି ଆସୁଛନ୍ତି । ତୁମ୍ୱ, ଅର ଓ ପଈ କାମ ସରିବା ଭିତରେ ତିନି ରଥର ଅଖ କାମ ଆରମ୍ଭ ହେବ ।