୩ ରଥରେ ଲାଗୁଛି ବ୍ରେକ୍ : ରଥଟଣା ସମୟରେ ଭିଡ ମଧ୍ୟରେ ରଥକୁ କରିବ ନିୟନ୍ତ୍ରଣ

125

କନକ ବ୍ୟୁରୋ : ମହାପ୍ରଭୁଙ୍କ ଘୋଷଯାତ୍ରା ପାଇଁ ତିନି ରଥରେ ଲାଗୁଛି ବ୍ରେକ୍ । ଏଥିପାଇଁ ଝାରସୁଗୁଡ଼ାରୁ ଆସି ପହଂଚିଛନ୍ତି ଇଂଜିନିଅର । ବ୍ରଜରାଜନଗର ଲମଟିବାହାଲରେ ରଥ ପାଇଁ ବ୍ରେକ୍ ତିଆରି କରିଛନ୍ତି କାରିଗର । ପୁରୀରେ ବ୍ରେକ ନିର୍ମାଣ କାର୍ଯ୍ୟକୁ ସମ୍ପାଦନ କରାଯାଉଛି । ରଥଟଣା ସମୟରେ ଭିଡ ମଧ୍ୟରେ ରଥକୁ ନିୟନ୍ତ୍ରଣ କରିବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ୧୨ ବର୍ଷ ହେବ ବ୍ରଜରାଜନଗରର ଜଗୁ କମାର ଓ ତାଙ୍କ ଟିମ ରଥ ବ୍ରେକ ନିର୍ମାଣ କରି ଆସୁଛନ୍ତି । ପୂର୍ବରୁ ରଥଟଣା ସମୟରେ ବ୍ରେକ ଦେବା ପରେ ମଧ୍ୟ ରଥ କିଛି ବାଟ ଆଗକୁ ଯାଇଥାଏ ।

ଏହାର ସମାଧାନ ନେଇ ପୁରୀ ମନ୍ଦିର ପ୍ରଶାସକଙ୍କୁ ନିଜର ଚିନ୍ତାଧାରା ବିଷୟରେ ଜଣାଇଥିଲେ ଜଣେ ଇଂଜିନିୟର । ଫଳରେ ୨୦୦୮ ମସିହାରେ ରଥ ବ୍ରେକ୍ ତିଆରି କରିବା ପାଇଁ ଅନୁମତି ପ୍ରଦାନ କରାଯାଇଥିଲା । ସେହିଦିନଠାରୁ ଇଂଜିନିୟର ଅଶ୍ୱିନୀ ମିଶ୍ରଙ୍କ ତତ୍ୱାବଧାନରେ ରଥ ପାଇଁ ବ୍ରେକ୍ ତିଆରି କରାଯାଉଛି । ବୈଷୟିକ ଜ୍ଞାନ କୌଶଳରେ ବ୍ରେକ ତିଆରି ପାଇଁ ରବର ଓ ନାଇଲନ ଲେୟାର ଥିବା ବେଲ୍ଟ ଆବଶ୍ୟକ ହୋଇଥାଏ । ୩ଟି ରଥ ପାଇଁ ମୋଟ ୩୬ ଖଣ୍ଡ ବେଲ୍ଟ ଦରକାର ପଡେ । ପ୍ରତିବେଲ୍ଟର ଲମ୍ବ ୧ଫୁଟ, ଚଉଡା ୯ ଇଞ୍ଚ, ମୋଟା ୧୬ ମିଲିମିଟର । ଏହାସହ ୧୫ କେଜି ଓଜନର ନିହାଣ କଂଟା, ୫ କେଜି ଜୁଖିଆ କଂଟା ଓ ୩ କେଜି ୱାସର ବ୍ୟବହାର ହୋଇଥାଏ ।