୯ ବର୍ଷ ହେବ କାମ ଚାଲିଛି, କିନ୍ତୁ କେବେ ସରିବ ସୂଚନା ନାହିଁ । ଅଧାରେ ଝୁଲୁଛି କୋଟି କୋଟି ଟଙ୍କା ବ୍ୟୟରେ ନିର୍ମିତ ଆଖଡାଶାଳି କ୍ରିକର ଭାଗ୍ୟ ।

126

କନକ ବ୍ୟୁରୋ : ଅଧାରେ ଝୁଲୁଛି କୋଟି କୋଟି ଟଙ୍କା ବ୍ୟୟରେ ନିର୍ମିତ ଆଖଡାଶାଳି କ୍ରିକର ଭାଗ୍ୟ । ୯ ବର୍ଷ ହେବ ନିର୍ମାଣ କାର୍ଯ୍ୟ ଜାରି ରହିଥିବା ବେଳେ ବାଧକ ସାଜିଛି ଜମି ଅଧିଗ୍ରହଣ । ସମୁଦ୍ରରୁ ଉଠୁଥିବା ଲୁଣା ଜୁଆରକୁ ଅଟକାଇବା ସହ ନଦୀର ମିଠାପାଣି ସଂରକ୍ଷଣ କରି ଚାଷ କାମରେ ଲଗାଇବା ଉଦେଶ୍ୟରେ କ୍ରିକ୍ ନିର୍ମାଣ କରାଯାଉଛି । ହେଲେ ଦୀର୍ଘ ଦିନ ବର୍ଷ ଧରି କାମ ସରୁନଥିବାରୁ ଚାଷ ଜମିରେ ଲୁଣା ଜୁଆର ମାଡୁଛି, ଚାଷୀ ପ୍ରଭାବିତ ହେଉଛନ୍ତି ।

ସମୁଦ୍ରର ଲୁଣା ଜୁଆରକୁ ରୋକିବା ସହ ନଦୀର ମିଠା ପାଣିକୁ ସଂରକ୍ଷଣ କରି ଚାଷ ଜମିକୁ ଯୋଗାଇବା ଉଦ୍ଦେଶ୍ୟରେ କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ବ୍ଲକର ଗଳିଆ ନଦୀ ଉପରେ ତିଆରି ହୋଇଥିଲା ଆଖଡାଶାଳୀ କ୍ରିକ୍ । କାର୍ଯ୍ୟକ୍ଷମ ହେବାର ଦିନ କେଇଟା ପରେ  ୧୯୯୩ରେ କ୍ରିକଟି ହଠାତ୍ ଭୁଷୁଡି ପଡିଥିଲା । ଫଳରେ ପେଟଛେଲା, ବରକନ୍ଧା, ବଉଳକଣି, ରାମନଗର ଏବଂ ମଙ୍ଗଳପୁର ଇତ୍ୟାଦି ୮ଟି ପଂଚାୟତର ଶହଶହ ଏକର ଜମିରେ ଲୁଣା ପାଣି ମାଡିଗଲା, ଚାଷ ଉଜୁଡି ଗଲା । ଚାଷୀଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ପୁଣି ଆଖଡାଶାଳୀ କ୍ରିକ୍ ନିର୍ମାଣ କରିବା ପାଇଁ ୨୦୧୩ ମସିହାରେ ନିଷ୍ପତ୍ତିି ହେଲା । ତଟବନ୍ଧ ବିଭାଗ ପକ୍ଷରୁ ୬ କୋଟି ୫୦ ଲକ୍ଷ ଟଙ୍କା ବ୍ୟୟରେ କାମ ଆରମ୍ଭ ହେଲା । ଏହାରି ଭିତରେ ୯ ବର୍ଷ ବିତାଲାଣି, ଜମି ଅଧିଗ୍ରହଣ ସମସ୍ୟା ଯୋଗୁଁ ଏଯାଏଁ ପ୍ରକଳ୍ପ କାମ ଶେଷ ହୋଇପାରିନାହିଁ ।

କ୍ରିକର ନିର୍ମାଣ କାର୍ଯ୍ୟ ସରିଛି, ହେଲେ ମହାନଦୀରୁ ଗଳିଆ ନଦୀକୁ ଖୋଳା ଯିବାକୁ ଥିବା ଚ୍ୟାନେଲ୍ ଏପର୍ଯ୍ୟନ୍ତ ଖୋଳା ହୋଇନାହିଁ । ଚ୍ୟାନେଲ୍ କାମରେ ଜମି ଅଧିଗ୍ରହଣ ସମସ୍ୟା ସାଜିଛି । ଫଳରେ ଦୁଇ ବର୍ଷ ତଳୁ କ୍ରିକର କଂଷ୍ଟ୍ରକସନ୍ ସରିଥିଲେ ବି କାର୍ଯ୍ୟକ୍ଷମ ହୋଇପାରୁନାହିଁ । ପ୍ରକଳ୍ପ ଶେଷ ତାରିଖ ଘୁଞ୍ଚିଘୁଞ୍ଚି  ଯାଉଛି । ଏପଟେ ଚାଷ ଜମିରେ ସମୁଦ୍ରରୁ ଜୁଆର ମାଡି ଫସଲ ନଷ୍ଟ ହେବା ସହ ଜମିବାଡି ସବୁ ଲୁଣା ହୋଇଯାଉଛି ।   କୋଟି କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେଉଥିବା ପ୍ରକଳ୍ପ ଶେଷ ପର୍ଯ୍ୟାୟରେ ଅଟକି ଯିବାରୁ ଚାଷୀଙ୍କ ଚାଷ ଉଜୁଡି ଯିବାକୁ ବସିଛି ।