କନକ ବ୍ୟୁରୋ: ଜୁଲାଇ ୭ରେ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା । ରଥଯାତ୍ରା ଯେତିକି ନିକଟତର ହେଉଛି ସେତିକି ରଥଖଳା ଚଳଚଞ୍ଚଳ ହେଉଛି । ତେବେ ତିନିରଥର ୪୨ ଗୋଟି ଚକର ନିର୍ମାଣ ଶେଷ ହୋଇଛି । ସେହିପରି ରଥ ନିର୍ମାଣ ଅଗ୍ରଗତିରେ ତିନି ରଥର ମୋଟ ୨୧ ଗୋଟି ଅଖ ନିର୍ମାଣ ଶେଷ ହୋଇଛି । ତିନି ରଥର ନିର୍ମାଣ ଶେଷ ହୋଇଥିବା ଆଗ, ପଛ ଦୁଇଟି ଲେଖାଏଁ ମୁହାଁଟର ଅନୁକୂଳ ପୂଜା ହୋଇ ବିନ୍ଧ କାର୍ଯ୍ୟ ଆରମ୍ଭ ହେବ । ଏଥିସହ ତିନି ରଥର ପାଞ୍ଚଦଣ୍ଡାର ଅନୁକୂଳ ପୂଜା ହୋଇ ଦଣ୍ଡାଗୁଡ଼ିକର ଚଉପଟ କାର୍ଯ୍ୟ ଆରମ୍ଭ ହେବ । ଆଜି ନନ୍ଦିଘୋଷ ରଥର ପାଞ୍ଚ ଦଣ୍ଡାର ଅନୁକୂଳ ପୂଜା ହୋଇ ଚଉପଟ କାର୍ଯ୍ୟ ଆରମ୍ଭ ହେବ । ଶୀତଳଷଷ୍ଠୀ ପୂର୍ବରୁ ତିନି ରଥର ୨୧ଟି ଅଖ ଓ ୪୨ଟି ଚକ କାର୍ଯ୍ୟ ସମ୍ପନ୍ନ କରାଯାଇ ଚକ ଅଖ ସଂଯୋଗ କରାଯିବ ବୋଲି କହିଛନ୍ତି ବିଶ୍ୱକର୍ମା ମହାରଣା । ଅନ୍ୟପଟେ ମହାପ୍ରଭୁଙ୍କ ରଥଯାତ୍ରା ଯେତେ ନିକଟତର ହେଉଛି ସେତିକି ରଥ ନିର୍ମାଣ କାର୍ଯ୍ୟ ଆଗକୁ ବଢୁଛି । ଏହାରି ଭିତରେ ରଥଖଳାରେ ସ୍ୱଛତା ରହୁନଥିବା ଦେଖିବାକୁ ମିଳିଛି । ଗତ ଦୁଇ-ତିନି ଦିନ ଧରି ରଥ ଖଳା ପରିଷ୍କାର ହେଉନାହିଁ । ପରିଷ୍କାର କରିବାକୁ କର୍ମଚାରୀମାନେ ଆସୁନଥିବା କହିଛନ୍ତି ବିଶ୍ୱକର୍ମା ମାନେ । ସେପଟେ ସମ୍ବଲପୁରର ପ୍ରସିଦ୍ଧ ଶୀତଳ ଷଷ୍ଠୀ ଯାତ୍ରା ଆରମ୍ଭ ହୋଇଛି । ନନ୍ଦପଡ଼ାର ଦେବାଧିଦେବ ମହାଦେବ ଓ ଜଗଜ୍ଜନନୀ ମା’ ପାର୍ବତୀଙ୍କର ପତରପେଣ୍ଡି ବା ନିର୍ବନ୍ଧ ଅନୁଷ୍ଠିତ ହୋଇଛି । ସମ୍ବଲପୁର ନନ୍ଦପଡ଼ାର ବମବରାଡ଼ ବାଲୁଙ୍କେଶ୍ୱର ବାବାଙ୍କ ପତରପେଣ୍ଡୀ ବା ନିର୍ବନ୍ଧ ଉତ୍ସବ ରାତିରେ ସମ୍ପନ୍ନ ହୋଇଯାଇଛି । ଆଜି ଦେବ ନିମନ୍ତ୍ରଣ ରହିଛି ।