ସାଲୁର ବିଧାୟକଙ୍କ ନିର୍ବାଚନ ମଣ୍ଡଳୀ କଡ଼ମା ପଂଚାୟତରେ ନାହିଁ ରାସ୍ତା : ଭାରାରେ ବୁହାହୋଇ ରୋଗୀ ଯାଉଛନ୍ତି ହସ୍ପିଟାଲ

ହେଲେ କୋଟିଆକୁ ନେଇ ବାହାସ୍ପଟ ମାରୁଛନ୍ତି ବିଧାୟକ ରାଜନ୍ ଦୋରା

63

କନକ ବ୍ୟୁରୋ : ଓଡିଶା ସୀମା ଉପରେ ଆଖି ପକାଇଥିବା ପଡୋଶୀ ଆନ୍ଧ୍ର ପ୍ରଦେଶର ଅସଲ ମୁଖା ଖୋଲି ଯାଇଛି । ଜଣେ ରୋଗୀଙ୍କୁ ଭାରା କରି ବୋହି ନେଉଛନ୍ତି ସଂପର୍କୀୟ । ଏହି ଦୃଶ୍ୟ କୋଟିଆ ସୀମାନ୍ତ ଆନ୍ଧ୍ରପ୍ରଦେଶ କଡମା ପଂଚାୟତର । ସାଲୁର ନିର୍ବାଚନ ମଣ୍ଡଳୀରେ ଆସୁଛି ଏହି କଡମା ପଂଚାୟତ । ଯେଉଁ ସାଲୁର ବିଧାୟକ ବାରମ୍ବାର ଓଡିଶାର କୋଟିଆକୁ ନେଇ ବିବାଦ ସୃଷ୍ଟି କରୁଛନ୍ତି । ଏହାକୁ ଆନ୍ଧ୍ରରେ ମିଶାଇବା ପାଇଁ ଜଗନମୋହନ ସରକାରଙ୍କ ବିଭିନ୍ନ ଯୋଜନା ଧରି ଲୋକଙ୍କ ପାଖରେ ପହଂଚି ଯାଉଛନ୍ତି ।

ଆନ୍ଧ୍ର କଡମା ପଂଚାୟତର ଏ ଦୃଶ୍ୟ ଗୋଟିଏ ଦିନର ନୁହେଁ । ବର୍ଷବର୍ଷ ଧରି ଏଠାକାର ଲୋକମାନେ ସାଧାରଣ ସ୍ୱାସ୍ଥ୍ୟସେବା ପାଇପାରୁ ନାହାନ୍ତି । ପକ୍କା ରାସ୍ତାଟିଏ ନଥିବାରୁ ପ୍ରାୟ ୮ କିଲୋମିଟର ପାହାଡିଆ ରାସ୍ତାରେ ଏହିଭଳି ବିପଦ ସଂକୂଳ ଅବସ୍ଥାରେ ରୋଗୀଙ୍କୁ ଭାରା କରି ବୋହି ନେଉଛନ୍ତି ହସ୍ପିଟାଲ । ହେଲେ ସେହି ଆନ୍ଧ୍ରପ୍ରଦେଶ ସାଲୁର ବିଧାୟକ କୋଟିଆରେ ଆସି ଆନ୍ଧ୍ର ସରକାରଙ୍କ ଜନକଲ୍ୟାଣକାରୀ ଯୋଜନା ବାବଦରେ କହି ଓଡିଶାର ଲୋକଙ୍କୁ ଆନ୍ଧ୍ରରେ ମିଶିବା ପାଇଁ ଉସୁକାଉଛନ୍ତି ।

ଏଥିରୁ ଜଣାପଡୁଛି କେବଳ ରାଜନୈତିକ ଫାଇଦା ପାଇଁ ସାଲୁର ବିଧାୟକ ରାଜନ ଦୋରା କୋଟିଆକୁ ନେଇ ବିବାଦ ସୃଷ୍ଟି କରୁଛନ୍ତି । ହେଲେ ନିଜ ନିର୍ବାଚନ ମଣ୍ଡଳୀରେ ଲୋକଙ୍କୁ ସାଧାରଣ ମୌଳିକ ସୁବିଧା ଯୋଗାଇଦେବାକୁ ମଧ୍ୟ ସେ ଅସମର୍ଥ । ତେଣୁ ପ୍ରଥମେ ନିଜ ଅଂଚଳର ସମସ୍ୟା ଦୂର କରିବା ପାଇଁ ତାଙ୍କୁ ପରାମର୍ଶ ଦେଇଛନ୍ତି କୋଟିଆ ଅଂଚଳର ବୁଦ୍ଧିଜୀବୀ ।