ବହିଷ୍କୃତ କନେଷ୍ଟବଳ ପ୍ରସନ୍ନ ବେହେରାଙ୍କ ଘରେ ଭିଜିଲାନ୍ସ ଚଢ଼ାଉ : ଏକକାଳିନ ୫ଟି ସ୍ଥାନରେ ଚାଲିଛି ରେଡ

ବେଆଇନ୍ ଭାବେ ବାର ଚଳାଇବା ଅଭିଯୋଗରେ ପୂର୍ବରୁ ଚାକିରୀରୁ ବହିଷ୍କୃତ ସହ ଗିରଫ ହୋଇଛନ୍ତି ପ୍ରସନ୍ନ

158

କନକ ବ୍ୟୁରୋ : ବହିଷ୍କୃତ କନଷ୍ଟେବଳ ପ୍ରସନ୍ନ ବେହେରାଙ୍କ ଘରେ ଭିଜିଲାନ୍ସ ରେଡ୍ । ଆୟ ବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ଏକକାଳୀନ ୫ଟି ସ୍ଥାନରେ ରେଡ୍ କରୁଛି ଭିଜିଲାନ୍ସ । ଭୁବନେଶ୍ୱର କଳ୍ପନାରେ ଥିବା ଘର ଓ ନିର୍ମାଣାଧୀନ ଘର ଚଢାଉ ହେଉଛି । ଖୋର୍ଦ୍ଧାରେ ଥିବା ଦୁଇ ମହଲା ପୈତୃକ ଘର, ଡୁମୁଡୁମାରେ ଥିବା ସ୍ପାର୍କ ଫର୍ଣ୍ଣିଚର, ଲିଙ୍ଗିପୁରରେ ଥିବା ଫର୍ଣ୍ଣିଚର ୱାର୍କ ସପ୍, ପାତ୍ରପଡ଼ାରେ ଥିବା ସାଉଥ୍ ସିଟି ବାରରେ ଚଢାଉ କରାଯାଉଛି । ୫ଟି ଟିମ୍ ଏକକାଳୀନ ଚଢାଉ କରୁଛନ୍ତି । ଏଥିରେ ୨ ଜଣ ଡିଏସ୍ପି, ୫ ଜଣ ଇନ୍ସପେକ୍ଟର ଓ ଅନ୍ୟ ଅଧିକାରୀ ସାମିଲ ଅଛନ୍ତି । ପୂର୍ବରୁ ପ୍ରସନ୍ନ ବେହେରା ଚାକିରିରୁ ବହିଷ୍କୃତ ହୋଇଥିବା ସହ ଗିରଫ ହୋଇଛନ୍ତି । ବେଆଇନ୍ ଭାବେ ବାର ଚଳାଇଥିବା ଅଭିଯୋଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ମନୀଷ ହତ୍ୟା ମାମଲାର ଖୋଳତାଡ ବେଳେ ଘଟଣା ସାମ୍ନାକୁ ଆସିଥିଲା ।

V

ତେବେ ନିଜର ୨୦ବର୍ଷର କ୍ୟାରିୟର୍‌ରେ ୧୦ରୁ ଅଧିକ ଆପରାଧିକ ମାମଲାରେ ଛନ୍ଦି ହୋଇ ପ୍ରସନ୍ନ ବିବାଦୀୟ ହୋଇପଡ଼ିଥିଲେ । ତାଙ୍କ ପାଇଁ ପୁଲିସ ବିଭାଗକୁ ବହୁ ବଦନାମ୍‌ ମୁଣ୍ଡାଇବାକୁ ପଡ଼ିଛି । ତେଣୁ କାର୍ଯ୍ୟାନୁଷ୍ଠାନସ୍ବରୂପ ତାଙ୍କୁ ଚାକିରିରୁ ବିଦା କରାଯାଇଥିବା କୁହାଯାଉଛି । ସୂଚନାଯୋଗ୍ୟ ଯେ ପ୍ରସନ୍ନଙ୍କ ଚାକିରି କାଳରେ ପ୍ରଥମ ଆପରାଧିକ କାଣ୍ଡ ଘଟିଥିଲା ୨୦୦୧ ମସିହା ଫେବ୍ରୁଆରି ୧୫ ତାରିଖରେ । ବାଲିଅନ୍ତାରେ ଜଣେ ମଦମାଫିଆ ନକଲି ତଥା ବିଷାକ୍ତ ମଦ ବିକ୍ରି କରିବା ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ୨୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିଲା । ଖବର ପାଇ ପୁଲିସ ଚଢ଼ଉ କରିବାକୁ ଉକ୍ତ ମଦ ମାଫିଆ ଘରେ ପହଞ୍ଚିବା ବେଳକୁ ସେ ଘର ଛାଡ଼ି ଫେରାର୍ ହୋଇଯାଇଥିଲା । ଏପରିକି ପୁଲିସକୁ ତା’ ଘରୁ ବିଷାକ୍ତ ମଦର ସନ୍ଧାନ ମଧ୍ୟ ମିଳି ନଥିଲା । ଏହା ପଛରେ ପ୍ରସନ୍ନଙ୍କ ହାତ ଥିଲା । ପୁଲିସ ଚଢ଼ଉ କରିବାକୁ ଯିବା ବେଳେ ଉକ୍ତ ମଦ ମାଫିଆକୁ ଗୁପ୍ତ ସୂଚନା ଦେଇ ଫେରାର୍ କରିବାରେ ପ୍ରସନ୍ନ ସହଯୋଗ କରିଥିଲେ । ସେତେବେଳେ ଭୁବନେଶ୍ବର ପୁଲିସ ତାଙ୍କ ବିରୋଧର ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା ।

ଏହା ପରଠୁ ପ୍ରସନ୍ନଙ୍କ ଆପରାଧିକ କାର୍ଯ୍ୟକଳାପ ବଢ଼ି ଚାଲିଥିଲା । ୨୦୦୫ରେ ଲକ୍ଷ୍ମୀସାଗର ଥାନାରେ ଅସ୍ତ୍ରଶସ୍ତ୍ର ନିରୋଧ ଆଇନରେ ଏକ ମାମଲା ରୁଜୁ ହୋଇଛି । ସେହିଭଳି ୨୦୧୦ରେ ଖଣ୍ଡଗିରି ଥାନାରେ ଜମି ହଡ଼ପ ତଥା ଠକେଇ ଅଭିଯୋଗ ହୋଇଥିବା ବେଳେ ୨୦୧୨ରେ ଧମକ ଦେବା ଅଭିଯୋଗରେ ଏକ ମାମଲା ରହିଛି । ଖାଲି ସେତିକି ନୁହେଁ, ୨୦୧୮ରେ ସେ କଟକରେ ଜଣେ ଓକିଲଙ୍କୁ ନିସ୍ତୁକ ମାଡ଼ ମାରିବାକୁ କେନ୍ଦ୍ର କରି ଆଇନଜୀବୀମାନେ କୋର୍ଟ କାର୍ଯ୍ୟ ବନ୍ଦ କରି ଦେଇଥିଲେ । ଏଥିପାଇଁ ପୁଲିସକୁ ଅପଦସ୍ଥ ହେବାକୁ ପଡ଼ଥିଲା । ଉପରିସ୍ଥ ଅଧିକାରୀଙ୍କ ହସ୍ତକ୍ଷେପ ସହ କ୍ଷମା ପ୍ରାର୍ଥନା କରିବା ପରେ ମାମଲାରେ ପୂର୍ଣ୍ଣଚ୍ଛେଦ ପଡ଼ିଥିଲା । ଗତବର୍ଷ ଜୟଦେବ ଭବନ ସମ୍ମୁଖରେ ପ୍ରସନ୍ନ କୋଭିଡ୍ କଟକଣା ଭାଙ୍ଗି ରାସ୍ତାକଡ଼ରେ ମଦ ପିଉଥିବାର ଭିଡିଓ ଭାଇରାଲ୍‌ ହୋଇଥିଲା । ତେଣୁ ତାଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଥିଲା । ଏହିଭଳି ପ୍ରସନ୍ନ ତାଙ୍କ କାର୍ଯ୍ୟକାଳ ଭିତରେ ୮ଥର ଶୃଙ୍ଖଳାଗତ ବିଭାଗୀୟ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହୋଇଥିବା ବେଳେ ତାଙ୍କ ବିରୋଧରେ ବିଭିନ୍ନ ଥାନାରେ ୫ଟି ଅପରାଧିକ ମାମଲା ରହିଛି ।