କନକ ବ୍ୟୁରୋ: ପୋଲିସ୍ ଜନତାର ବନ୍ଧୁ । ତାହା ପ୍ରମାଣ କରିଛି ଆମ ଓଡ଼ିଶା ପୋଲିସ୍ । ସାମୁଦ୍ରିକ ଝଡ ‘ଫୋନି’ରେ ଲୋକଙ୍କୁ ଥଇଥାନ କରିବାଠାରୁ ଆରମ୍ଭକରି ଉଦ୍ଧାର କରିବା, ରିଲିଫ୍ ପ୍ରଦାନ, ରନ୍ଧା ଖାଦ୍ୟ ବଣ୍ଟନ, ରାସ୍ତାରେ ଭାଙ୍ଗି ପଡିଥିବା ଗଛ ସଫା ଯାଏଁ ପୋଲିସର ଏଭଳି ସେବା କାର୍ଯ୍ୟ ଇତିହାସରେ ଲିପିବଦ୍ଧ ହୋଇ ରହିବ । ହେଲେ ଓଡ଼ିଶା ପୋଲିସରେ ଏଭଳି କିଛି ଅଫିସର ଅଛନ୍ତି ଯିଏ ଏବେ ସେବାଧର୍ମରେ ଉଦାହାରଣ ପାଲଟିଛନ୍ତି । ଆଉ ସେମାନଙ୍କ ମଧ୍ୟରୁ ପିପିଲି ଥାନାର ମହିଳା କନଷ୍ଟେବଳ ସଂଯୁକ୍ତା କୁଜୁର ଏବେ ସେବା ଧର୍ମର ଅନନ୍ୟ ଉଦାହରଣ ପାଲଟିଛନ୍ତି ।
ପ୍ରକୃତିର ବିଭୀଷିକା ଆଣିଥିବା ବାତ୍ୟା ‘ଫୋନି’ରେ ଅନେକଙ୍କ ଘର ଉଜୁଡ଼ି ଯାଇଥିବାବେଳେ ସମସ୍ତଙ୍କ ସୁରକ୍ଷା ଦାୟିତ୍ୱରେ ପୋଲିସ ଏକାଠି ହୋଇଥିଲେ । ସେତିକିବେଳେ ସଂଯୁକ୍ତାଙ୍କ ନିଜର ୨ ବର୍ଷର କଅଁଳ ପିଲାକୁ ସାଥିରେ ଧରି ପୋଲିସ ଷ୍ଟେସନରେ ନିଷ୍ଠାପରତା ସହିତ ଡ୍ୟୁଟି କରୁଥିବା ଦେଖିବାକୁ ମିଳିଛି । ଏପରିକି ଯେତେବେଳେ ପ୍ରବଳ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ଏଭଳି ଦୁର୍ଦ୍ଦଶା ସାମ୍ନାରେ ଥିଲେ ମଧ୍ୟ ତାଙ୍କ ମୁହଁରେ ସେବାଧର୍ମର ହସ ଦେଖାଯାଉଛି । ଯାହାକୁ ନେଇ ଏବେ କନଷ୍ଟେବଳ ସଂଯୁକ୍ତାଙ୍କୁ ସଲାମ କରୁଛନ୍ତି ଜନତା ।
#UnsungHeroes: Const Sanjukta Kujur of Pipili PS is on duty, with her 2 year old child, as no one is there to look after her son at home. Smile on her face, undeterred by the adversities and scorching heat… #CycloneFaniAftermath@CMO_Odisha@SRC_Odisha@odisha_policepic.twitter.com/rG7LbALIwf
— DGP, Odisha (@DGPOdisha) May 10, 2019
ସେପଟେ କନେଷ୍ଟବଳ ସଂଯୁକ୍ତାଙ୍କ ଲୋକଙ୍କ ସେବାରେ ଏଭଳି ନିଷ୍ଠାପରତା ଦେଖି ଡ଼ିଜିପି ଓଡ଼ିଶା ପ୍ରଶଂସା କରିଛନ୍ତି । ଆଉ ନିଜର ଅଫିସିଆଲ ଟ୍ୱିଟର ପେଜରେ ସଂଯୁକ୍ତାଙ୍କ ଡ୍ୟୁଟି ସମୟର ଫଟୋ ପୋଷ୍ଟ କରିଛନ୍ତି । ଆଉ ସୋସିଆଲ ମିଡ଼ିଆରେ ମଧ୍ୟ ସଂଯୁକ୍ତାଙ୍କ ଏଭଳି ସେବା ମନୋଭାବରେ ଉତ୍ସର୍ଗତା ଦେଖି ପ୍ରଶଂସାର ଶୁଅ ଛଟିବାରେ ଲାଗିଛି । ଆଉ ଜଣେ ମା’ ଓ ଜଣେ ମହିଳା ପୋଲିସ କର୍ମୀ ଭାବେ ତାଙ୍କର ଅଦମ୍ୟ ସାହାସ ପାଇଁ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ସଭିଏଁ ।