ଆମେରିକାରେ ଷଡ଼ଯନ୍ତ୍ର, ମୁମ୍ବାଇରେ ଫାୟରିଂ! ଦେଢ଼ମାସ ପୂର୍ବରୁ ବ୍ଲୁପ୍ରିଂଟ ଥିଲା ପ୍ରସ୍ତୁତ । ମୌକା ଦେଖି କରିଥିଲେ ଗୁଳିମାଡ଼

236

କନକ ବ୍ୟୁରୋ: ଅଭିନେତା ସଲମାନ ଖାନଙ୍କ ମୁମ୍ବାଇ ଘର ଗାଲାକ୍ସି ବାହାରେ ହୋଇଥିବା ଗୁଳିମାଡ଼ ଘଟଣାରେ ନୂଆ ତଥା ଚାଞ୍ଚଲ୍ୟକର ଖୁଲ୍ଲାସା ସାମ୍ନାକୁ ଆସୁଛି । ମୁମ୍ବାଇ କ୍ରାଇମବ୍ରାଞ୍ଚ ଦାବି କରିଛି ଯେ ଗୁଳିମାଡ଼ ପାଇଁ ଆମେରିକାରେ ରଚାଯାଇଥିଲା ଷଡ଼ଯନ୍ତ୍ର । ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ନୋୟୀ ଭାଇ ଅନମୋଲ ଓ ସହଯୋଗୀ ରୋହିତ ଗୋଦରା ଆମେରିକାରେ ଦେଇଥିବା ନିର୍ଦ୍ଦେଶକ୍ରମେ ସାର୍ଫ ସୁଟର ଗୁଳିମାଡ଼ କରିଥିଲେ ।

ତେବେ ସୋସିଆଲ ମିଡିଆରୁ କ୍ରାଇମବ୍ରାଞ୍ଚକୁ ମିଳିଛି ବଡ଼ ସୁରାକ । ଫେସବୁକ ପୋଷ୍ଟରେ ଗୁଳିମାଡ଼ ଘଟଣା ପାଇଁ ନିଜକୁ ଦାୟୀ କରି ଏକ ପୋଷ୍ଟ ଲେଖିଥିଲା ଅନମୋଲ ବିଷ୍ନୋୟୀ । ଏହି ପୋଷ୍ଟର ଆଇପି ଠିକଣା, ଭିପିଏନରୁ ଫେସବୁକ ଲଗଇନ ଆମେରିକା ଓ ପର୍ତୁଗାଲରୁ କରାଯାଇଥିବା ସୂଚନା ମିଳିଛି । ଏହି ସୁରାକ ଆଧାରରେ ଅଧିକ ଛାନଭିନ କରୁଛି କ୍ରାଇମବ୍ରାଞ୍ଚ ଟିମ ।

  • ଗୁଜରାଟରୁ ଦୁଇ ସାର୍ଫ ସୁଟର ଗିରଫ
  • ୧୦ଦିନିଆ ରିମାଣ୍ଡରେ ଅଭିଯୁକ୍ତ

୧୪ ତାରିଖ ଭୋରୁ ଗୁଳିମାଡ଼ କରି ଦୁଇ ସାର୍ଫ ସୁଟର ଭିକି ଗୁପ୍ତା ଓ ସାଗର ପାଲ ଫେରାର ହୋଇଥିଲେ । ତେବେ ଘଟଣାର ୨୪ ଘଣ୍ଟା ଭିତରେ ଏମାନଙ୍କୁ ଭୁଜରୁ ଗିରଫ କରିଛି ମୁମ୍ବାଇ କ୍ରାଇମବ୍ରାଞ୍ଚ ଟିମ । ମୁମ୍ବାଇକୁ ଅଣାଯିବା ପରେ କିିଲ୍ଲା କୋର୍ଟରେ ହାଜର କରାଯିବା ପରେ କୋର୍ଟ ତାଙ୍କୁ ୧୦ଦିନିଆ ରିମାଣ୍ଡରେ ପଠାଇଛନ୍ତି । ଜେରା ସମୟରେ ଅଭିଯୁକ୍ତ କହିଛନ୍ତି ଯେ ଗୁଳିମାଡ଼ କରିବା ପୂର୍ବରୁ ସଲମାନଙ୍କ ଘର ଓ ପନଭେଲ ଫାର୍ମହାଉସ ନିକଟରେ ଘୁରିବୁଲୁଥିଲେ ସୁଟର । ସୋମବାର ଭୋର ୫ଟାରେ ଗାଲାକ୍ସି ଆପାର୍ଟମେଣ୍ଟ ନିକଟରେ ପହଞ୍ଚିଥିଲେ ଓ ୫ରାଉଣ୍ଡ ଗୁଳିମାଡ଼ କରିଥିଲେ । ମୁମ୍ବାଇରୁ ଗୁଜରାଟ ଫେରାର ପରେ ସୁଟରମାନେ ସୁରଟର ଏକ ନଦୀରେ ବନ୍ଧୁକକୁ ଫିଙ୍ଗିଥିଲେ । ଅପରାଧୀ ଦୁଇଜଣ ଅର୍ନ୍ତଜାତୀୟ ସାର୍ଫ ସୁଟର । ବିଭିନ୍ନ ରାଜ୍ୟରେ ଏମାନଙ୍କ ରାକେଟ ରହିଛି ।

ଗାଲାକ୍ସି ଆପାର୍ଟମେଣ୍ଟକୁ କଡ଼ା ସୁରକ୍ଷା ବନ୍ଦୋବସ୍ତ କରାଯାଇଛି । ସେପଟେ ଘଟଣା ବାବଦରେ ଅଧିକ ତଥ୍ୟ ଯୋଗାଡିବାକୁ ୭ ରାଜ୍ୟରେ ପହଞ୍ଚିଛି ମୁମ୍ବାଇ କ୍ରାଇମବ୍ରାଞ୍ଚ ଟିମ । ଗୁଳିମାଡ଼ ପଛରେ ଅନମୋଲ ବିଷ୍ନୋୟୀ ଓ ରୋହିତ ଗୋଦରାଙ୍କ ହାତ କେତେ ଦୂର ରହିଛି? ଗୁଳିମାଡ଼ ପଛର ପ୍ରକୃତ କାରଣ କ’ଣ? ଅପରାଧୀଙ୍କ ଆଉ କି ଯୋଜନା ରହିଛି? ସେହି ସବୁରୁ ଚେର ଖୋଜୁଛି ମୁମ୍ବାଇ ପୁଲିସ । ସେପଟେ ଘର ବାହାରେ ପ୍ରଶଂସକଙ୍କୁ ଭିଡ ନକରିବାକୁ ଓ କୌଣସି କଳାକାର ଏବଂ ସାଙ୍ଗସାଥୀ ଗାଲାକ୍ସି ଆପାର୍ଟମେଣ୍ଟକୁ ନଆସିବାକୁ ସଲମାନ ଅନୁରୋଧ କରିଛନ୍ତି ।