ଅଯୋଧ୍ୟା ରାୟ ନେଇ ନୂଆ ମୋଡ଼ ! ବିକଳ୍ପ ଜମି ଗ୍ରହଣ କରିବାକୁ ମନା କଲା ଜମାତ ଉଲେମା, ପୁନର୍ବିଚାର ପାଇଁ କରିପାରେ ଆବେଦନ

862

କନକ ବ୍ୟୁରୋ: ମସଜିଦ ନିର୍ମାଣ ପାଇଁ ବିକଳ୍ପ ଜମି ଗ୍ରହଣ କରିବାକୁ ମନା କଲା ନିର୍ଦ୍ଦିଷ୍ଟ ମୁସଲିମ ସଂଗଠନ । ଏହି ମାମଲାର ପ୍ରମୁଖ ଆବେଦନକାରୀ ଜମାତ ଉଲେମା-ଇ-ହିନ୍ଦ କହିଛି ଯେ, ମସଜିଦ ନିର୍ମାଣ ପାଇଁ ସୁପ୍ରିମକୋର୍ଟ ରାୟରେ ଯେଉଁ ୫ ଏକର ବିକଳ୍ପ ଜମି କଥା କହିଥିଲେ, ତାହା ଗ୍ରହଣ କରାଯିବନି । ଦିଲ୍ଲୀରେ କାର୍ଯ୍ୟକାରୀ କମିଟି ବୈଠକ ପରେ ସଂଗଠନ ଏହା କହିଛି ।

ଏପରିକି ମସଜିଦର ବିକଳ୍ପ ଭାବେ କିଛି ହେଲେ ଗ୍ରହଣ କରାଯାଇପାରବନି । ଏହାସହ ଅଯୋଧ୍ୟା ରାୟର ପୁନର୍ବଚାର ପାଇଁ ଆବେଦନ କରିବାକୁ ଜମାତ ଉଲେମା ବିଚାର କରିପାରେ ବୋଲି ସୂଚନା ମିଳିଛି । ସଂଗଠନର ୟୁପି ମୁଖ୍ୟ ମୌଲାନା ଆସଦ ରସିଦି ଏନେଇ ସୂଚନା ଦେଇଛନ୍ତି ।

ସୁପ୍ରିମକୋର୍ଟର ୫ ଜଣିଆ ବେଂଚ ୯ ତାରିଖରେ ଐତିହାସିକ ରାୟ ଶୁଣାଇଥିଲେ । ରାୟ ଅନୁସାରେ ଅଯୋଧ୍ୟାର ବିବାଦୀୟ ୨.୭୭ ଏକର ଜମିକୁ ରାମ ଜନ୍ମଭୂମି ନ୍ୟାସକୁ ହସ୍ତାନ୍ତର କରାଯିବ । ମନ୍ଦିର ନିର୍ମାଣ ପାଇଁ ତିନିମାସ ଭିତରେ ଏକ ଟ୍ରଷ୍ଟବୋର୍ଡ ଗଠନ କରିବେ କେନ୍ଦ୍ର ସରକାର । ଏହାସହ କେନ୍ଦ୍ର ସରକାର ଅଯୋଧ୍ୟାରେ ମସଜିଦ ନିର୍ମାଣ ପାଇଁ ଏକ ବିକଳ୍ପ ସ୍ଥାନ ଚିହ୍ନଟ କରିବେ । ୫ ଏକର ଜାଗା ଚିହ୍ନଟ କରି ମସଜିଦ ନିର୍ମାଣ ପାଇଁ ସୁନ୍ନି ୱାକଫ ବୋର୍ଡକୁ ହସ୍ତାନ୍ତର କରାଯିବ ବୋଲି ସୁପ୍ରିମକୋର୍ଟ ବେଂଚ ରାୟ ଦେଇଥିଲେ ।