କନକ ବ୍ୟୁରୋ : କେନ୍ଦ୍ରଗୃହ ମନ୍ତ୍ରୀ ଅମିତ ଶାହାଙ୍କ ପ୍ରସ୍ତାବକୁ ଖାରଜ କରିବା ପରେ କୃଷକ ଓ ସରକାରଙ୍କ ଆଲୋଚନାର ଗତି ଏକ ପ୍ରକାର ଅନିଶ୍ଚିତ ହୋଇଯାଇଥିଲା । ଆଜି କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ପ୍ରେସମିଟ୍ କରି କହିଛନ୍ତି, ସରକାରଙ୍କ ପ୍ରସ୍ତାବକୁ ଚାଷୀମାନେ ବିଚାର କରନ୍ତୁ, ଏବଂ ସରକାର ସେମାନଙ୍କ ସହ ଆଲୋଚନା ପାଇଁ ସବୁବେଳେ ପ୍ରସ୍ତୁତ ଅଛନ୍ତି ।
ଚାଷୀଙ୍କୁ ବୁଝାଇବାକୁ ଅମିତ ଶାହା, ରାଜନାଥ ସିଂହ, ପୀୟୁଷ ଗୋଏଲ, ନରେନ୍ଦ୍ର ସିଂହ ତୋମାରଙ୍କ ଭଳି ମୋଦୀ ସରକାରଙ୍କ ପାୱାରଫୁଲ ମନ୍ତ୍ରୀଙ୍କ ସମସ୍ତ ଉଦ୍ୟମ ବିଫଳ ହୋଇଛି । ଚାଷୀ ସଂଗଠନ ସହ ବାରମ୍ବାର ଆଲୋଚନା ପରେ ବି ବାହାରି ପାରୁନି ନିଷ୍କର୍ଷ । ଚାଷୀ ସଂଗଠନଗୁଡିକର ଗୋଟିଏ ଜିଦ, ନୂଆ କୃଷି ଆଇନକୁ ପ୍ରତ୍ୟାହାର କରନ୍ତୁ ମୋଦୀ ସରକାର । ୧୫ ଦିନ ହେଲା ଦିଲ୍ଲୀ ସୀମା ସିଂଘୁରେ ହଜାର ହଜାର ଚାଷୀ ଏକାଠି ହୋଇ ପ୍ରତିବାଦ କରୁଛନ୍ତି । ଦିନ ପରେ ଦିନ ଗଡ଼ି ଚାଲିଛି, ହେଲେ ସମସ୍ୟାର ସମାଧାନ ହୋଇପାରୁନି ।
ଦିନକୁ ଦିନ ଅଚଳାବସ୍ଥା ଆଡକୁ ଗତି କରୁଛି ସ୍ଥିତି । ଏଭଳି ସ୍ଥିତିରେ ଚାଷୀଙ୍କ ଆଶଙ୍କା ଓ ସରକାରଙ୍କ ଆଭିମୁଖ୍ୟ ସଂପର୍କରେ ସ୍ପଷ୍ଟ କରିଛନ୍ତି କେନ୍ଦ୍ର କୃଷିମନ୍ତ୍ରୀ । ଖୋଲାମନରେ ନିଜର ପ୍ରସ୍ତାବ ନେଇ ଆଲୋଚନା କରିବାକୁ ଚାଷୀଙ୍କୁ ଅପିଲ୍ କରିଛନ୍ତି ତୋମାର ।
ପ୍ରେସ କରି ତୋମାର କହିଛନ୍ତି, ଏମଏସପି ବନ୍ଦ ହେବା ଆଶଙ୍କା ଅମୂଳକ । ଚାଷୀଙ୍କ ଜମି ଶିଳ୍ପପତି ହଡପ କରିନେବା ଆଶଙ୍କାର ମଧ୍ୟ କୌଣସି ଆଧାର ନାହିଁ । ନୂଆ ଆଇନରେ ଚାଷୀଙ୍କ ସ୍ୱାର୍ଥକୁ ଗୁରୁତ୍ୱ ଦିଆଯାଇଛି । ପ୍ରତିଦ୍ୱନ୍ଦିତାମୂଳକ ବଜାରରେ ଉତ୍ପାଦନ ବିକ୍ରି କରି ଚାଷୀ ଲାଭବାନ ହେବେ । ସମସ୍ୟାର ସମାଧନ ପାଇଁ ଚାଷୀଙ୍କ ଆଡୁ ପ୍ରସ୍ତାବ ଆସୁ ବୋଲି କହିଛନ୍ତି କୃଷିମନ୍ତ୍ରୀ ।
ସରକାରଙ୍କ ଆଭିମୁଖ୍ୟ ହେଉଛି,
ଏମଏସପି ବନ୍ଦ ହେବା ଆଶଙ୍କା ଅମୂଳକ
ଚାଷୀଙ୍କ ଜମି ଶିଳ୍ପପତି ହଡପ କରିନେବା ଆଶଙ୍କା ନିରାଧାର
ନୂଆ ଆଇନରେ ଚାଷୀଙ୍କ ସ୍ୱାର୍ଥକୁ ଦିଆଯାଇଛି ଗୁରୁତ୍ୱ
ମଣ୍ଡି ବାହାରେ ବି ବିକ୍ରି କରି ଲାଭବାନ ହେବେ ଚାଷୀ
ସମସ୍ୟାର ସମାଧନ ପାଇଁ ପ୍ରସ୍ତାବ ଦିଅନ୍ତୁ ଚାଷୀ
ସେପଟେ କିନ୍ତୁ ନୂଆ କୃଷି ଆଇନ ପ୍ରତ୍ୟାହାର ଦାବିରେ ଅଟଳ ରହିଛନ୍ତି ଚାଷୀ । ୮ ତାରିଖ ଦିନ ଭାରତ ବନ୍ଦ କରିବା ପରେ ଆନ୍ଦୋଳନକୁ ଆହୁରି ବ୍ୟାପକ କରିବାକୁ ଚାଷୀ ସଂଗଠନଗୁଡିକ ଯୋଜନା କରିଛନ୍ତି । ଆସନ୍ତା ୧୨ ତାରିଖରେ ଦିଲ୍ଲୀ-ଜୟପୁର ରାଜପଥ ଅବରୋଧ କରିବା ସହ ୧୪ ତାରିଖରେ ଦେଶବ୍ୟାପୀ ପ୍ରତିବାଦ କରିବେ ଚାଷୀ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/12/24-11.jpg)