ବଳିଆ ଖାଇଲେ ପୁରୁଥିଲା ଜଗାର ପେଟ ! ଗୋଟିଏ ଶରୀରରୁ ଆଉ ଗୋଟିଏ ଶରୀରକୁ ହେଉଥିଲା ରକ୍ତ ସଂଚାଳନ

56

କନକ ବ୍ୟୁରୋ : କନ୍ଧମାଳର ଯୋଡାମୁଣ୍ଡ ଶିଶୁ ଜଗାବଳିଆଙ୍କୁ ନେଇ ନୂଆ ତଥ୍ୟ ସାମ୍ନାକୁ ଆସିଛି । ତାଙ୍କୁ ଅପରେସନ୍ କରୁଥିବା ଦିଲ୍ଲୀ ଏମ୍ସର ୪୦ ଜଣିଆ ଡାକ୍ତରୀ ଟିମର ମୁଖ୍ୟ ଡାକ୍ତର ଅଶୋକ ମହାପାତ୍ର କହିଛନ୍ତି, ଏହି ଅପରେସନ୍ ବିଶ୍ୱରେ ବିରଳ । କାରଣ, ଜଗାବଳିଆଙ୍କ କ୍ଷେତ୍ରରେ ଏକ ବଡ ଅସ୍ୱାଭାବିକତା ଲକ୍ଷ୍ୟ କରାଯାଇଥିଲା । ଜଣେ ଖାଇଲେ ଅନ୍ୟର ପେଟ ପୁରୁଥିଲା । ଏପରିକି ବଳିଆର ରକ୍ତ, ଜଗା ଦେହରେ ସଂଚାଳନ ହେଉଥିଲା । ତେଣୁ ବଳିଆର ସ୍ୱାଧୀନ ଭାବରେ ଶିରା ପଶିରାର ଢାଂଚା ତିଆରି କରାଯାଇ ପ୍ରତିରୋପଣ କରାଯାଇଛି । ପ୍ରଥମ ପର୍ଯ୍ୟାୟ ଅପରେସନରେ ଡାକ୍ତରମାନେ ଏହି ବଡ କାମ କରିବାରେ ସଫଳ ହୋଇଛନ୍ତି ।

ଗତ ସୋମବାର ହୋଇଥିବା ଏହି ଅପରେସନ୍ ଯେତିକି ଜଟିଳ ଥିଲା, ସାରା ଓଡ଼ିଶାର ଲୋକଙ୍କ ମଧ୍ୟରେ ସେତିକି ଉକ୍ରଣ୍ଠା ବି ଭରି ରହିଥିଲା । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଦୀର୍ଘ ୨୦ ଘଂଟା ଧରି ଚାଲିଥିବା ଏହି ଅପରେସନ୍ ସାରା ବିଶ୍ୱରେ ବିରଳ ତଥା ପ୍ରଥମ ଧରଣର ଅପରେସନ୍ । ୪୦ ଜଣିଆ ଡାକ୍ତରୀ ଦଳର ନେତୃତ୍ୱ ନେଉଥିବା ଡାକ୍ତର ଅଶୋକ ମହାପାତ୍ର ଏ ନେଇ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଦେଇଛନ୍ତି । ଜଗାବଳିଆ ଅପରେସନ୍ ଏଥିପାଇଁ ସବୁଠାରୁ ଜଟିଳ ଥିଲା ଯେହେତୁ

-ବଳିଆର ରକ୍ତ ସଂଚାଳନ ଜଗାକୁ ହେଉଥିଲା
-ବଳିଆର ମସ୍ତିଷ୍କ ଯୋଡ଼ି ହୋଇଥିଲା ଜଗାର ମସ୍ତିଷ୍କ ସହ
-ବଳିଆକୁ ଦିଆଯାଉଥିବା ତରଳ ଖାଦ୍ୟ ଜଗା ଦେହକୁ ଯାଉଥିଲା
-ଫଳରେ ଜଗାର ଅଧିକ ପରିସ୍ରା ହେଉଥିଲା

ତେଣୁ ଡାକ୍ତରଙ୍କ ଆଗରେ ପ୍ରଥମ ଚ୍ୟାଲେଂଜ୍ ଥିଲା- ବଳିଆର ରକ୍ତ ସଂଚାଳନକୁ ଜଗାଠାରୁ ଅଲଗା କରିବା । ଏଥିପାଇଁ କୃତ୍ରିମ ଶିରାପ୍ରଶିରା ରୋପଣ କରିବାର ଆବଶ୍ୟକତା ପଡ଼ିଲା ।

କୃତ୍ରିମ ଶିରାପ୍ରଶିରାର ଢ଼ାଂଚା ତିଆରି କରିବା ଏବଂ ଏହାକୁ ବଳିଆ ଦେହରେ ରୋପଣ କରିବା ପାଇଁ ସ୍ୱତନ୍ତ୍ର ଭାବେ ଜାପାନରୁ ଜଣେ ଡାକ୍ତରଙ୍କୁ ଡକାଯାଇଥିଲା । ଏବଂ ଜାପାନର ସେହି ଡାକ୍ତର ପ୍ରଥମ ପର୍ଯ୍ୟାୟର ୨୦ ଘଂଟାର ଅପରେସନରେ ନିଜେ ନେଇଥିଲେ ୧୫ ଘଂଟା ।

ଅପରେସନରେ ଏଭଳି ଜଟିଳତା ପାଇଁ ୧୦ଟି ଦେଶର ବିଶେଷଜ୍ଞ ଡାକ୍ତରଙ୍କ ସହ ଇମେଲ୍ ଓ ଭିଡିଓ କନ୍ଫରେନସିଂ ଯୋଗେ କଥା ହୋଇଥିଲେ ଦିଲ୍ଲୀ ଏମ୍ସର ଡାକ୍ତର । ଏବଂ ଦୀର୍ଘ ଦିନ ଧରି ଏହି ଆଲୋଚନା ପରେ କନ୍ଧମାଳର ଜଗାବଳିଆଙ୍କ ଅପରେସନ୍ ଆରମ୍ଭ ହୋଇଥିଲା ।