କନକ ବ୍ୟୁରୋ : କିଛି ସପ୍ତାହର ଆଲୋଚନା ପରେ କଂଗ୍ରେସ ତରଫରୁ ରବିବାର ଦିନ କେନ୍ଦ୍ର ସରକାରଙ୍କ ଦ୍ୱାରା ଦିଲ୍ଲୀ ପାଇଁ ଅଣାଯାଇଥିବା ବିବାଦୀୟ ଅଧ୍ୟାଦେଶ ବିରୋଧରେ କଂଗ୍ରେସ ଆମ୍ ଆଦମୀ ପାର୍ଟିକୁ ସମର୍ଥନ ଦେବ ବୋଲି ଜଣାପଡିଛି । ଏହି କ୍ରମରେ କେଜ୍ରିୱାଲ ବିରୋଧୀମେଣ୍ଟ ବୈଠକରେ ଯୋଗଦେବା ନେଇ ସମ୍ଭାବନା ବୃଦ୍ଧି ପାଇଛି । ଏନେଇ କଂଗ୍ରେସ ମହାସଚିବ କେ.ସି ବେଣୁଗୋପାଳ କହିଛନ୍ତି କି ଆସନ୍ତା କାଲି ବିରୋଧୀ ମେଣ୍ଟ ବୈଠକରେ କେଜ୍ରିୱାଲ ଯୋଗଦେଇପାରନ୍ତି ।

Advertisment

ଏକ ଜାତୀୟ ଗଣମାଧ୍ୟମର ସୂଚନା ମୁତାବକ କେ.ସି ବେଣୁଗୋପାଳ କହିଛନ୍ତି କି କେନ୍ଦ୍ର ସରକାରଙ୍କର ଅଧ୍ୟାଦେଶ ବିରୋଧରେ କଂଗ୍ରେସର ମତ ସ୍ପଷ୍ଟ । କଂଗ୍ରେସ କେନ୍ଦ୍ର ସରକାର ଆଣିଥିବା ବିବାଦୀୟ ଅଧ୍ୟାଦେଶକୁ କେବେ ବି ସମର୍ଥନ କରିବ ନାହିଁ ବୋଲି ବେଣୁଗୋପାଳ ସ୍ପଷ୍ଟ କରିଛନ୍ତି ।

ସେପଟେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନଙ୍କ ସହ ଆପ୍ ର ଶୀର୍ଷନେତାମାନେ ଆଜି ଏକ ପିଏସି ବୈଠକରେ ଯୋଗ ଦେଇଛନ୍ତି । ଏହି ବୈଠକରେ ନିଷ୍ପତ୍ତି ହେବ କି ଆସନ୍ତା କାଲି ବିରୋଧୀ ମେଣ୍ଟ ବୈଠକରେ ଆମ୍ ଆଦମୀ ପାର୍ଟି ଯୋଗ ଦେବ କି ନାହିଁ ।

ସୂଚନା ଥାଉକି କେନ୍ଦ୍ର ସରକାର ଦିଲ୍ଲୀରେ ଅଧିକାରୀଙ୍କ ନିଯୁକ୍ତି ଓ ଟ୍ରାନ୍ସଫର ନେଇ ଦିଲ୍ଲୀ ସରକାରଙ୍କ ହାତରେ ଥିବା କ୍ଷମତାକୁ ଏକ ବିବାଦୀୟ ଅଧ୍ୟାଦେଶ ଆଣି ଛଡାଇ ନେଇଛନ୍ତି । ଏହି ଅଧ୍ୟାଦେଶକୁ ବିରୋଧ କରି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ବିରୋଧୀଦଳଙ୍କ ସମର୍ଥନ ଲୋଡିଥିଲେ । ଏନେଇ ପାଟନାରେ ବସିଥିବା ବିରୋଧୀମେଣ୍ଟ ବୈଠକରେ କେଜ୍ରିୱାଲ ଯୋଗ ଦେଇଥିଲେ ବି କଂଗ୍ରେସର ମତ ସ୍ପଷ୍ଟ ନହେବାରୁ ସେ ବୈଠକ ଅଧାରୁ ଫେରି ଆସିଥିଲେ ।