କନକ ବ୍ୟୁରୋ: କଂଗ୍ରେସର ପୋଷ୍ଟର ବୟ ରାହୁଲ ଗାନ୍ଧୀଙ୍କ ସଦସ୍ୟତା ପଦ ରଦ୍ଧ ହେବା, ବିରୋଧ କରି ଦେଶବ୍ୟାପି ପ୍ରତିବାଦ କରିଛି କଂଗ୍ରେସ । ତେବେ ଏଥର କଂଗ୍ରେସ କୌଣସି ବନ୍ଦ ଡାକରା କିମ୍ବା ବିକ୍ଷୋଭ ନକରି, ମୌନ ସତ୍ୟାଗ୍ରହ କରିଛି । ଭୁବନେଶ୍ୱରରେ କଂଗ୍ରେସ ଭବନ ସମ୍ମୁଖରେ ଓପିସିସି ପକ୍ଷରୁ ମୌନ ସତ୍ୟାଗ୍ରହ କରାଯାଇଛି । ପିସିସି ସଭାପତି ଶରତ ପଟ୍ଟନାୟକ, ଓଡିଶା ପ୍ରଭାରୀ ଚେଲା କୁମାରଙ୍କ ସମେତ ସମେତ ଦଳର ବହୁ ନେତା ଓ କର୍ମୀ ମୁହଁରେ କଳାପଟି ବାନ୍ଧି ନୀରବ ପ୍ରତିବାଦ ଜଣାଇଛନ୍ତି । ମୋଦୀ ସରକାର ଷଡଯନ୍ତ୍ର କରି ରାହୁଲଙ୍କ ସଦସ୍ୟତା ପଦ ନେଇଥିବା ଅଭିଯୋଗ କରିଛନ୍ତି କଂଗ୍ରେସ ନେତା ।

Advertisment

କଂଗ୍ରେସର ମୌନ ସତ୍ୟାଗ୍ରହ ସମୟରେ ଦେଖିବାକୁ ମିଳିଥିଲା ଏକ ରୋଚକ ଦୃଶ୍ୟ । ସତ୍ୟାଗ୍ରହରେ ସାମିଲ ହୋଇଥିଲେ ବିଧାୟକ ତାରା ପ୍ରସାଦ ବାହିନୀପତି । କିନ୍ତୁ ଦଳର ନିଷ୍ପତି ଅନୁସାରେ ଗଣମାଧ୍ୟମ ପ୍ରତିନିଧି ପ୍ରତିକ୍ରିୟା ନେବାକୁ ତାରାଙ୍କ ପ୍ରଶ୍ନ ପଚାରିଥିଲେ ବି ସେ ମଂଚ ଉପରେ ପାଟି ଖୋଲିନଥିଲେ । ବରଂ ଠାରରେ କିଛି କହିଥିଲେ । ତେବେ ମଂଚ ତଳକୁ ଓହ୍ଲାଇବା ପରେ ପ୍ରତିକ୍ରିୟା ରଖିଥିଲେ ତାରା ।

କଂଗ୍ରେସର ପ୍ରତିବାଦକୁ କେନ୍ଦ୍ରରେ କ୍ଷମତାରେ ଥିବା ଭାରତୀୟ ଜନତା ପାର୍ଟିର ନେତା ସମାଲୋଚନା କରିଛନ୍ତି । ସତ୍ୟାଗ୍ରହ ନାଁରେ କଂଗ୍ରେସ ଡ୍ରାମା କରୁଛି ବୋଲି କହିଛନ୍ତି ବିଜେପି ନେତା । ମୋଦୀ ସାଙ୍ଗିଆ ମାମଲାରେ ରାହୁଲ ଗାନ୍ଧୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନକୁ ବିରୋଧ କରି ଦେଶର ବିଭିନ୍ନ ରାଜ୍ୟର ରାଜଧାନୀରେ ଥିବା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତି ପାଖରେ ମୌନ ସତ୍ୟାଗ୍ରହ କରିଛନ୍ତି କଂଗ୍ରେସ କର୍ମୀ ଓ ନେତା । କର୍ଣ୍ଣାଟକର ବେଙ୍ଗାଲୁରୁ, ଛତିଶଗଡ, ମୁମ୍ବାଇ, କେରଳ, ତାମିଲନାଡୁ, ରାଜସ୍ଥାନରେ ମୌନ ସତ୍ୟାଗ୍ରହ କରିଛନ୍ତି କଂଗ୍ରେସ ନେତା ଓ କର୍ମୀ ।