ବିଜେପି ପଦଯାତ୍ରାକୁ ପ୍ରଦୀପ ମାଝୀଙ୍କ ସ୍ୱାଗତ ପରେ କଂଗ୍ରେସରେ କମ୍ପନ । କାର୍ଯ୍ୟାନୁଷ୍ଠାନ ଦାବି କଲେ ତାରା, ପ୍ରଦୀପ କହିଲେ, ପରୀକୁ ନ୍ୟାୟ ଦେବା ନେଇ ସବୁ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରସ୍ତୁତ ।

499

କନକ ବ୍ୟୁରୋ : କଂଗ୍ରେସ ନେତା ପ୍ରଦୀପ ମାଝୀଙ୍କ ବୟାନକୁ ନେଇ ଦଳ ଭିତରେ କମ୍ପନ ଦେଖାଦେଇଛି । ବିଜେପିର ଏକ କାର୍ଯ୍ୟକ୍ରମକୁ ପ୍ରଦୀପ ମାଝୀ କହିଥିଲେ, ଏହାକୁ ସ୍ୱାଗତ କରାଯିବା ଉଚିତ୍ । ଏହି ବୟାନ ପରେ ଦଳ ଭିତରେ ପ୍ରଦୀପଙ୍କୁ ସନ୍ଦେହ ଦୃଷ୍ଟିରେ ଦେଖାଯାଇଛି ।

ବିଜେପିର ପଦଯାତ୍ରାକୁ ପ୍ରଦୀପ ମାଝୀଙ୍କ ସମର୍ଥନ । ପ୍ରଦେଶ କଂଗ୍ରେସରେ ସୃଷ୍ଟି ହେଲା କମ୍ପନ । ବିଜେପି ପଦଯାତ୍ରାକୁ କଂଗ୍ରେସର କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀଙ୍କ ଖୋଲା ସମର୍ଥନକୁ ଗ୍ରହଣ କରିପାରିନାହାନ୍ତି ଦଳର ଅନ୍ୟ ବରିଷ୍ଠ ନେତା । ବିଧାୟକ ତାରାପ୍ରସାଦ ବାହିନୀପତି ଏହାକୁ କଡ଼ା ସମାଲୋଚନା କରିଥିବା ବେଳେ ଏହାର ଜବାବ ରଖିଛନ୍ତି ପ୍ରଦୀପ ମାଝୀ ।

ଶୁଣିବାକୁ ମିଳୁଛି, ବିଜେପି ପଦଯାତ୍ରାକୁ ପ୍ରଦୀପ ମାଝୀଙ୍କ ସମର୍ଥନକୁ ସହଜରେ ହଜମ କରିପାରୁନାହାନ୍ତି କଂଗ୍ରେସର ତୁଙ୍ଗ ନେତା । ଏପରିକି ଏହି ପ୍ରସଙ୍ଗରେ ପିସିସି ସଭାପତି ଓ ରାଜ୍ୟ ପ୍ରଭାରୀଙ୍କ ନିକଟରେ ଅଭିଯୋଗ କରିବା ସହ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି । ସେପଟେ ପିସିସି ସଭାପତି କହିଛନ୍ତି, ଯଦି କେହି ନେତା ଦଳ ବିରୋଧୀ ଆଭିମୁଖ୍ୟ ରଖିଛନ୍ତି, ସେଥିପ୍ରତି ଦଳ ସଚେତନ ଅଛି । ପରୀ ମାମଲାରେ କିଏ ଆଗରେ ରହିବ, ଏ ନେଇ କଂଗ୍ରେସ ଓ ବିଜେପି ଭିତରେ ପ୍ରତିଯୋଗିତା ଚାଲିଥିବା ବେଳେ ଏହାକୁ ନେଇ କଂଗ୍ରେସ ଭିତରେ ସୃଷ୍ଟି ହୋଇଛି ଅନ୍ତଦ୍ୱର୍ନ୍ଦ୍ୱ ।