ରାଜସ୍ଥାନ ଉଦୟପୁରରେ ଆଜିଠୁ କଂଗ୍ରେସର ୩ ଦିନିଆ ଚିନ୍ତନ ଶିବିର : ଆଗାମୀ ରଣନୀତି ନେଇ ମାନସ ମନ୍ଥନ

70

କନକ ବ୍ୟୁରୋ : ରାଜସ୍ଥାନ ଉଦୟପୁରରେ ଆଜିଠୁ କଂଗ୍ରେସର ତିନି ଦିନିଆ ଚିନ୍ତନ ଶିବିର । ଏଥିରେ ଆଗାମୀ ଦିନରେ କିପରି ଦଳକୁ ମଜବୁତ କରାଯିବ ସେନେଇ ରଣନୀତି ପ୍ରସ୍ତୁତ କରିବ ଦଳ । ୨୦୨୪ ସାଧାରଣ ନିର୍ବାଚନ ସହିତ ଆଗାମୀ ବିଧାନସଭା ନିର୍ବାଚନ ସଂପର୍କର ଆଲୋଚନା ହେବ । ଚଳିତ ବର୍ଷ ଗୁଜରାଟ ଓ ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ହେବ । ଏହା ସହ ଆସନ୍ତାବର୍ଷ ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ଼, କର୍ଣ୍ଣାଟକ ଓ ତେଲେଙ୍ଗାନା ବିଧାନସଭା ନିର୍ବାଚନ ହେବାର ଅଛି । ଏହା ସହ ଦଳର ନେତୃତ୍ୱକୁ ନେଇ ବଡ଼ ସମସ୍ୟା ସୃଷ୍ଟି ହୋଇଛି ।

୨୦୧୯ ଲୋକସଭା ନିର୍ବାଚନ ପରେ ଦଳର କେହି ପୂର୍ଣ୍ଣକାଳୀନ ଅଧ୍ୟକ୍ଷ ନାହାନ୍ତି । ଏହି ଚିନ୍ତନ ବୈଠକରେ ଏସବୁ ପ୍ରସଙ୍ଗରେ ଆଲୋଚନା ହୋଇପାରେ । ଆଜି ଅପରାହ୍ଣରେ ସୋନିଆ ଗାନ୍ଧୀଙ୍କ ଅଧ୍ୟକ୍ଷତାରେ ଚିନ୍ତନ ଶିବିରର ଆରମ୍ଭ ହେବ । ଏଥିରେ କଂଗ୍ରେସର ୪୩୦ ଜଣ ପ୍ରତିନିଧି ସାମିଲ ହେବେ । ଆଜି ଓ ଆସନ୍ତାକାଲି ବିଭିନ୍ନ ଦିଗ ଉପରେ ଆଲୋଚନା ହେବ । ଏଥିରେ ନେତାମାନେ ସେମାନଙ୍କ ମତ ରଖିପାରିବେ । ଏଥିରେ ଯେଉଁ ପ୍ରସ୍ତାବ ପାରିତ ହେବ ୧୫ ତାରିଖରେ କଂଗ୍ରେସ କାର୍ଯ୍ୟକାରୀ କମିଟି ତାହା ଉପରେ ମୋହର ଲଗାଇବ ।