ପିଆଜର ଅହେତୁକ ଦର ବୃଦ୍ଧିକୁ କଂଗ୍ରେସର ବିରୋଧ । ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଘର ଉପରକୁ ଫୋପାଡିଲେ ପିଆଜ

301

କନକ ବ୍ୟୁରୋ: ପିଆଜର ଅହେତୁକ ଦର ବୃଦ୍ଧିକୁ କଂଗ୍ରେସର ବିରୋଧ । ପିଆଜ ଦର ବୃଦ୍ଧି ନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କ ଘର ଉପରକୁ ପିଆଜ ମାଡ କରିଛନ୍ତି ଯୁବ ଛାତ୍ର କଂଗ୍ରେସ । କଂଗ୍ରେସ ଭବନରୁ ଯୋଗାଣ ମନ୍ତ୍ରୀଙ୍କ ବାସଭବନ ଯାଏ ରାଲି କରାଯାଇଥିଲା । ବେକରେ ପିଆଜ ମାଳ ପକାଇ ଛାତ୍ର କଂଗ୍ରେସ ପକ୍ଷରୁ ରାଲି କରାଯାଇଥିଲା । ରାଲିରେ ଯାଇ ମନ୍ତ୍ରୀଙ୍କ ଘର ଉପରକୁ ପିଆଜ ମାଡ କରାଯାଇଥିଲା ।

ରାଜ୍ୟରେ ଉଭୟ ନେତା ଏବଂ ଜନତାଙ୍କ ଚିନ୍ତା ବଢାଇଛି ପିଆଜ ଦର । ଯେଉଁଠି ୨୦ରୁ ୩୦ ଟଙ୍କା ଦେଇ ଲୋକଙ୍କୁ ପିଆଜ କିଣିବାକୁ ପଡୁଥିଲା ସେଇଠି ବର୍ତ୍ତମାନ ୧୦୦ରୁ ୧୫୦ ଟଙ୍କା ଗଣିବାକୁ ପଡୁଛି । ଫଳରେ ହାଣ୍ଡିଶାଳରୁ ବର୍ତ୍ତମାନ ଉଭାନ ହୋଇଯାଇଛି । ସେପଟେ ପିଆଜର ବର୍ଦ୍ଧିତ ଦର ସରକାରଙ୍କର ବି ମୁଣ୍ଡବ୍ୟଥାର କାରଣ ପାଲଟି ଯାଇଛି । ଏଥିପାଇଁ ବିଭାଗୀୟ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଘନ ଘନ ବୈଠକ ବସୁଥିବା ବେଳେ ଆସନ୍ତା ମାସ ପ୍ରଥମ ସପ୍ତାହ ବେଳକୁ ପିଆଜ ଦର ହ୍ରାସ ପାଇବା ନେଇ ଆଶ୍ୱସନା ଦେଇଛନ୍ତି ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ।

ତେବେ ପିଆଜ ଦର ବୃଦ୍ଧିକୁ ନେଇ ପ୍ରତିବାଦ କରିଛି ଯୁବ ଛାତ୍ର କଂଗ୍ରେସ । କଂଗ୍ରେସ ଭବନରୁ ଯୋଗାଣ ମନ୍ତ୍ରୀଙ୍କ ବାସଭବନ ଯାଏ ଏକ ବିଶାଳ ଶୋଭାଯାତ୍ରାରେ ଯିବା ସହ ଯୋଗାଣ ମନ୍ତ୍ରୀଙ୍କ ଘର ଉପରକୁ ପିଆଜ ମାଡ କରି ପ୍ରତିବାଦ ଜଣାଇଛି ଛାତ୍ର କଂଗ୍ରେସ । ମନ୍ତ୍ରୀଙ୍କ ବାସଭବନରେ ପଶିବା ପୂର୍ବରୁ ଛାତ୍ର କଂଗ୍ରେସ ସଦସ୍ୟଙ୍କୁ ପୋଲିସ ଗିରଫ କରିଛି । କିଛି ଦିନ ପୂର୍ବରୁ ମଧ୍ୟ କଂଗ୍ରେସ ପକ୍ଷରୁ ମାଷ୍ଟର କ୍ୟାଣ୍ଟିନ ପାଖରେ ପିଆଜ କିଲୋ ୪୦ଟଙ୍କାରେ ବିକ୍ରି କରାଯାଇ ପିଆଜ ଦର ବୃଦ୍ଧିକୁ ବିରୋଧ କରାଯାଇଥିଲା ।