ଜେଲ ଯିବେ ନବଜୋତ ସିଂ ସିଦ୍ଧୁ । ବର୍ଷେ ଜେଲ ଦଣ୍ଡାଦେଶ ଶୁଣାଇଲେ ସୁପ୍ରିମକୋର୍ଟ ।

341

କନକ ବ୍ୟୁରୋ: ଅଡୁଆରେ କଂଗ୍ରେସ ନେତା ନବଜୋତ ସିଂହ ସିଦ୍ଧୁ । ୩୩ ବର୍ଷ ପୂରୁଣା ମାମଲାରେ ସିଦ୍ଧୁଙ୍କୁ ଲାଗିଛି ବଡ ଝଟକା । ସୁପ୍ରିମକୋର୍ଟ ୩୩ ବର୍ଷ ପୂରୁଣା ଏକ ମାମଲାରେ ଶୁଣାଣି ନବଜୋତ ସିଂହ ସିଦ୍ଧୁଙ୍କୁ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି । ନିଜ ରାଜନୈତିକ ବୟାନବାଜିକୁ ନେଇ ସବୁବେଳେ ଚର୍ଚ୍ଚାରେ ରହୁଥିବା ସିଦ୍ଧୁଙ୍କୁ ଜେଲ ଦଣ୍ଡ ଶୁଣାଣି ପରେ ପଂଜାବ ଠାରୁ ଦିଲ୍ଲୀ ପର୍ଯ୍ୟନ୍ତ ହଇଚଇ ସୃଷ୍ଟି ହୋଇଯାଇଛି । ୧୯୮୮ ମସିହାରେ ଏକ ରୋଡ୍ ରେଜ୍ ମାମଲାକୁ ନେଇ ଗୁରୁବାର ସୁପ୍ରିମକୋର୍ଟ ଶୁଣାଣି କରିଛନ୍ତି । ଯେଉଁଥିରେ ସିଦ୍ଧୁଙ୍କୁ ୧ ବର୍ଷର ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି ସର୍ବୋଚ୍ଚ କୋର୍ଟ । ଶୁଣାଣି ପରେ ଗଣମାଧ୍ୟମ କର୍ମୀ ଯେତେବେଳେ ସିଦ୍ଧୁଙ୍କ ପ୍ରତିକ୍ରିୟା ନେବାକୁ ଚାହିଁଥିଲେ ସେତେବେଳେ ସିଦ୍ଧୁ ନୋ କମେଂଟ୍ସ ବା କିଛି କହିବେ ନାହିଁ ବୋଲି କହିଦେଇଥିଲେ।ସୁପ୍ରିମକୋର୍ଟଙ୍କ ଜେଲ ଦଣ୍ଡାଦେଶକୁ ନେଇ କଂଗ୍ରେସ ନେତା ସିଦ୍ଧୁ ଟ୍ୱିଟ୍ କରି ପ୍ରତିକ୍ରିୟା ରଖିଛନ୍ତି ।

କୋର୍ଟଙ୍କ ରାୟକୁ ସେ ଗ୍ରହଣ କରିଥିବା କଥା ଟ୍ୱିଟ କରି ଜଣାଇଛନ୍ତି । ଏବେ ସିଦ୍ଧୁ ପଂଜାବ ପୋଲିସର ହେପାଜତକୁ ଯିବେ । ୧୯୮୮ ରୋଜ୍ ରେଜ୍ ଘଟଣାରେ ହାଇକୋର୍ଟ ସିଦ୍ଧୁଙ୍କୁ ଦଣ୍ଡ ଦେଇଥିଲେ । ମାତ୍ର ସୁପ୍ରିମକୋର୍ଟ ଉଦ୍ଦେଶ୍ୟ ନଥାଇ ହତ୍ୟା ମାମଲାକୁ ଖାରଜ କରିଦେଇଥିଲେ । ମାତ୍ର ୨ ବର୍ଷ ପୂର୍ବରୁ ମୃତକଙ୍କ ପରିବାର ସୁପ୍ରିମକୋର୍ଟରେ ରିଭ୍ୟୁ ପିଟିସନ ଦାୟର କରିଥିଲେ । ଆଇପିସିର ଧାରା ୩୨୩ ଅନୁସାରେ ସିଦ୍ଧୁଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲେ । ଏହି ମାମଲାରେ ସର୍ବାଧିକ ଏକବର୍ଷ ହିଁ ଜେଲଦଣ୍ଡ ହୋଇପାରିବ ।

୧୯୮୮ ମସିହାର ଘଟମାକୁ ନେଇ ୩୩ ବର୍ଷ ପରେ ଜେଲ ଦଣ୍ଡ ଭୋଗିବେ ସିଦ୍ଧୁ । ତେବେ କଣ ଥିଲା ଏହି ଘଟଣା ଯାହା ଏତେ ବର୍ଷ ପରେ ବି ସିଦ୍ଧୁଙ୍କ ପିଛା ଛାଡିନି, ଆସନ୍ତୁ ଜାଣିବା ।

ସିଦ୍ଧୁଙ୍କୁ ଜେଲ-

– ୧୯୮୮ ୨୭ ଡିସେମ୍ବରରେ ସିଦ୍ଧୁ ପଟିଆଲାରେ ବନ୍ଧୁଙ୍କ ସହ ବଜାରକୁ ଯାଇଥିଲେ

– ଏହି ସମୟରେ ସେ ଅନ୍ତର୍ଜାତୀୟ କ୍ରିକେଟର ଥିଲେ ଏବଂ ବେଶ ଲୋକପ୍ରିୟ ଥିଲେ

– ବଜାରରେ କାର ପାର୍କିଂକୁ ନେଇ ୬୫ ବର୍ଷିୟ ଗୁରୁନାମଙ୍କ ସହ ସିଦ୍ଧୁଙ୍କ ଯୁକ୍ତିତର୍କ ହୋଇଥିଲା

– ସିଦ୍ଧୁ-ଗୁରୁନାମଙ୍କ ମଧ୍ୟରେ କଥା ହାତାହାତି ଯାଏଁ ବି ଯାଇଥିଲା

– ଏଥିରେ ଗୁରୁନାମ ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଥିଲେ

– ମେଡିକାଲରେ ହୃଦଘାତ ଯୋଗୁଁ ଗୁରନାମଙ୍କ ମୃତ୍ୟୁ ହୋଇଥିଲା

– ସିଦ୍ଧୁ ଓ ତାଙ୍କ ବନ୍ଧୁଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା

ଏହାପରେ ମାମଲାକୁ ନେଇ ସୁପ୍ରିମକୋର୍ଟରେ ପହଁଚିଥିଲେ ସିଦ୍ଧୁ । ୧୬ ମେ, ୨୦୧୮ରେ ଧାରା ୩୦୪ ଆଧାରରେ ସିଦ୍ଧୁଙ୍କୁ ନିର୍ଦ୍ଦୋଶ ବୋଲି କହିଥିଲେ ସର୍ବୋଚ୍ଚ କୋର୍ଟ । ହେଲେ ଏବେ ମୃତକଙ୍କ ପରିବାର ଲୋକଙ୍କ ପୁନଃ ଆବେଦନ ପରେ ସିଦ୍ଧୁଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ୧ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି ସୁପ୍ରିମକୋର୍ଟ ।