କନକ ବ୍ୟୁରୋ : ମୋଦୀ ସରକାରର ୧୦ ବର୍ଷର କାର୍ଯ୍ୟକାଳ ଅନ୍ୟାୟର କାଳ । ଏଥିପାଇଁ ଏକ ବ୍ଲାକ ପେପର ଜାରି କରିଛି କଂଗ୍ରେସ । ଚଳିତ ଅଧିବେଶନରେ ମୋଦୀ ସରକାର ଶ୍ୱେତ ପତ୍ର ଜାରି କରିବାକୁ ଯାଉଛନ୍ତି । ଏହାପୂର୍ବରୁ ଗୁରୁବାର କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ମୋଦୀ ସରକାରକୁ ଟାର୍ଗେଟ କରି ବ୍ଲାକ ପେପର ଜାରି କରିଛନ୍ତି । କଂଗ୍ରେସ କହିଛି, କେତେ ଲୋକଙ୍କୁ ଚାକିରି ମିଳିଲା? ମନରେଗା ପାଣ୍ଠିକୁ ନେଇ ସରକାର ଭେଦଭାବ କରୁଛନ୍ତି । ଅଣ ବିଜେପି ଶାସିତ ରାଜ୍ୟମାନଙ୍କ ପ୍ରତି କେନ୍ଦ୍ର ଭେଦଭାବ କରୁଛି କହି ଟାର୍ଗେଟ କରିଛି ।

Advertisment

କଂଗ୍ରେସର ବ୍ଲାକ ପେପରକୁ ଟାର୍ଗେଟ କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଖଡଗେଙ୍କ ବ୍ଲାକ ପେପର କଳା ଟିକା ଭଳି । କଳା ପୋଷାକ ପିନ୍ଧି ପ୍ୟାରେଡ୍ ହେଉଥିବା ଦେଖିଥିଲେ ବୋଲି କହିଛନ୍ତି ମୋଦୀ । ସଂସଦର ଚଳିତ ବଜେଟ୍ ଅଧିବେଶନରେ ପ୍ରକାଶ ପାଇବାକୁ ଥିବା ସରକାରଙ୍କ ‘ଶ୍ୱେତପତ୍ର’ର ଜବାବରେ କଂଗ୍ରେସର ‘ବ୍ଲାକ୍ ପେପର’ ଆଣିଛି । କଂଗ୍ରେସ ନେତୃତ୍ୱାଧୀନ ୟୁପିଏ କ୍ଷମତାରେ ଥିବା ବେଳେ ଦେଶର ଖରାପ ଅର୍ଥନୈତିକ ସ୍ଥିତି ଏବଂ ବର୍ତ୍ତମାନର ସରକାର କିପରି ପରିବର୍ତ୍ତନ ଆଣିଲା ତାହା ସରକାରଙ୍କ ‘ଶ୍ୱେତପତ୍ର’ରେ ଦର୍ଶାଯିବ ବୋଲି କୁହାଯାଉଛି ।

ମୁଖ୍ୟତଃ ୟୁପିଏ ଏବଂ ଏନଡିଏ ସରକାରକୁ ତୁଳନା କରାଯାଇ ଦେଶବାସୀଙ୍କ ଆଗରେ ନିର୍ବାଚନ ପୂର୍ବରୁ ଶ୍ୱେତ ପତ୍ର ଜରିଆରେ ମୋଦୀ ସରକାର ନିଜ ସରକାରର ଢୋଲ ପିଟିବାକୁ ଯାଉଛନ୍ତି ।

ସେପଟେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ଉପସ୍ଥାପନ କରିଛନ୍ତି ତାଙ୍କ ସରକାରର ଶ୍ୱେତପତ୍ର । ୟୁପିଏ ସରକାର ସମୟରେ ଦେଶର ଆର୍ଥିକ ସ୍ଥିତି ଏବଂ ଏବେର ଆର୍ଥିକ ସ୍ଥିତି ବାବଦରେ ସୀତାରମଣ ସଫେଇ ରଖିଛନ୍ତି । ୟୁପିଏ ସରକାର ବେଳେ ଅର୍ଥନୈତିକ ଅବ୍ୟବସ୍ଥା ଓ ଆର୍ôଥକ ଶୃଙ୍ଖଳା ହୀନତା ଥିଲା ଏବଂ ବ୍ୟାପକ ଦୁର୍ନୀତି ହୋଇଥିଲା । ଏହା ଏକ ସଙ୍କଟଜନକ ପରିସ୍ଥିତି ଥିଲା । ବର୍ତ୍ତମାନ ଆମେ ଅର୍ଥନୀତିକୁ ସ୍ଥିର କରିଛୁ ଏବଂ ଏହାକୁ ପୁନରୁଦ୍ଧାର ଏବଂ ଅଭିବୃଦ୍ଧି ପଥରେ ସ୍ଥାପିତ କରିଛୁ ବୋଲି ସୀତାରମଣ କହିଛନ୍ତି । ତେଣୁ ୟୁପିଏ ସରକାରଙ୍କ ଉତ୍ତରାଧିକାରୀ ଭାବରେ ଛାଡି ଯାଇଥିବା ଅସମ୍ଭବ ଆହ୍ୱାନଗୁଡ଼ିକୁ ସାର୍ବଜନୀନ କରିବା ଜରୁରୀ ବୋଲି ସେ କହିଛନ୍ତି । ୨୦୧୪ରେ ମୋଦୀ କ୍ଷମତାକୁ ଆସିବା ବେଳେ ଦେଶର ଆର୍ଥିକ ସ୍ଥିତି ଖରାପ ନୁହଁ ବରଂ ସଙ୍କଟରେ ଥିଲା ବୋଲି ସୀତାରମଣ କହିଛନ୍ତି । ସେହିପରି ସେତେବେଳେ ୫ ଆର୍ଥିକ ଦୁର୍ବଳ ଦେଶ ମଧ୍ୟରେ ଥିଲା ଭାରତ । ଏବେ ଦୁନିଆର ୫ ଶୀର୍ଷ ଅର୍ଥବ୍ୟବସ୍ଥାରେ ଥିବା ଦେଶ ବୋଲି ସେ କହିଛନ୍ତି । ୟୁପିଏ ସରକାର ବେଳେ ଦେଖାଦେଇଥିବା ଦୂରାବସ୍ଥା ଏହି ବର୍ଷଗୁଡ଼ିକରେ ସୁଧାର କରାଯାଇ ସମସ୍ୟା ଦୂର ହୋଇଛି । ବିଗତ ବର୍ଷର ସନ୍ଦେହ ଓ ଅସ୍ଥିରତାକୁ ଆତ୍ମବିଶ୍ୱାସରେ ବଦଳାଇ ଦିଆଯାଇଛି ବୋଲି ସୀତାରମଣ କହିଛନ୍ତି ।