ଦରବୃଦ୍ଧି ବିରୋଧରେ ୧୪ ତାରିଖରୁ କଂଗ୍ରେସର ରଣହୁଙ୍କାର, ଜନ ଜାଗରଣ ଅଭିଯାନରେ ଗାଁରୁ ଆରମ୍ଭ ହେବ ପ୍ରଭାତଫେରି

85

କନକ ବ୍ୟୁରୋ : ଦରବୃଦ୍ଧି ବିରୋଧରେ କଂଗ୍ରେସ ଆରମ୍ଭ କରିବାକୁ ଯାଉଛି ଜନ ଜାଗରଣ ଅଭିଯାନ । ନଭେମ୍ବର ୧୪ ତାରିଖରୁ ଏହି ଅଭିଯାନ କ୍ରମେ ଦଳର ସମସ୍ତ ନେତା ଓ କର୍ମୀ ଗାନ୍ଧୀ ଟୋପୀ ପିନ୍ଧି ପଦଯାତ୍ରା କରିବାକୁ ଦଳ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ଅଲ ଇଣ୍ଡିଆ କଂଗ୍ରେସ କମିଟି ମୁଖ୍ୟାଳୟ ଠାରେ ବୁଧବାରଦିନ ଦଳର ନେତାମାନେ ସାମ୍ବାଦିକ ସମ୍ମିଳନୀ କରି ଏହି ସୂଚନା ଦେଇଛନ୍ତି । ଦଳୀୟ ନେତାମାନେ କହିଛନ୍ତି କି ଦେଶରେ ଦରବୃଦ୍ଧିକୁ ବିରୋଧ କରି ଦଳର କର୍ମୀ ଓ ନେତାମାନେ ଗ୍ରାମାଞ୍ଚଳରୁ ପ୍ରଭାତଫେରି କରିବେ ।

କଂଗ୍ରେସ ନେତା ଦିଗବିଜୟ ସିଂ, ରଣଦୀପସିଂ ସୁରଜେବାଲା ଓ କେ.ସି ବେଣୁଗୋପାଳ ଏହି ସାମ୍ବାଦିକ ସମ୍ମିଳନୀରେ ସାମିଲଥିଲା । ଏହି କ୍ରମରେ ବେଣୁଗୋପାଳ କହିଥିଲେ କି ନଭେମ୍ବର ୧୪ ତାରିଖରୁ ୨୯ ତାରିଖ ପର୍ଯ୍ୟନ୍ତ ସାରା ଦେଶରେ ଜନ ଜାଗରଣ ଅଭିଯାନ ଚାଲୁ ରହିବ । ଏହାସହ ପ୍ରତି କଂଗ୍ରେସ କାର୍ଯ୍ୟାଳୟ ଠାରୁ ପଦଯାତ୍ରା କରାଯିବ ଓ କର୍ମୀମାନେ ରାତିରେ ଗାଁ ମାନଙ୍କରେ ରହିବେ । ସକାଳୁ ପ୍ରଭାତଫେରୀ କରାଯିବ ।

ଅନ୍ୟପଟେ ଶୀତକାଳୀନ ଅଧିବେଶନରେ ଦଳ ପକ୍ଷରୁ ପେଗାସସ୍, ଦରବୃଦ୍ଧି ଭଳି ପ୍ରସଙ୍ଗ ଉଠାଇ ସରକାରଙ୍କୁ ଘେରିବାକୁ ଯୋଜନା କରିଛି । ଏହାସହ କୃଷି ଆଇନକୁ ଦଳ ମୁଖ୍ୟ ପ୍ରସଙ୍ଗ କରିବା ସହ ଅନ୍ୟ ଦଳମାନଙ୍କ ସାଥିରେ ଆଲୋଚନା କରି ସଂସଦରେ କିଭଳି ସରକାରଙ୍କ ଉପରେ ଚାପ ପକାଇହେବ ସେନେଇ ନିଷ୍ପତ୍ତି ନିଆଯାଇପାରେ ।