ଭବାନୀପାଟଣାରେ ତାତିଲେ କଂଗ୍ରେସ କର୍ମୀ : ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ଘରକୁ କଲେ ଅଣ୍ଡାମାଡ

ନାରାବାଜି, ମୁର୍ଦ୍ଦାବାଦ ସ୍ଲୋଗାନରେ କମ୍ପିଲା ପରିବେଶ

143

କନକ ବ୍ୟୁରୋ : ମମିତା ମେହେର ହତ୍ୟା ମାମଲାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଅଡୁଆ ବଢିବାରେ ଲାଗିଛି । ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବି କରି କଳାହାଣ୍ଡିରେ ଜିଲ୍ଲାପାଳଙ୍କ ଅଫିସ ଘେରାଉ କଲା କଂଗ୍ରେସ । ଏହାସହ ମନ୍ତ୍ରୀଙ୍କ ଭବାନୀପାଟଣା ସ୍ଥିତ ବାସଭବନ ଉପରେ ଅଣ୍ଡା ଓ ଟମାଟୋ ମାଡ଼ କରିଛି ଯୁବ କଂଗ୍ରେସ । ପୋଲିସ ସୁରକ୍ଷା ବ୍ୟବସ୍ଥା ବଢ଼ାଇ କଂଗ୍ରେସ କର୍ମୀଙ୍କୁ ତଡ଼ିବାରୁ ସ୍ଥିତି ସାମାନ୍ୟ ହୋଇଛି ।

ସେପଟେ ଭୁବନେଶ୍ୱରରେ ବି ବିଜେପି ମହିଳା ମୋର୍ଚ୍ଚା କର୍ମୀ କ୍ୟାପିଟାଲ ଥାନାରେ ହଙ୍ଗାମା କରିଛନ୍ତି । ମମିତା ମେହେର ହତ୍ୟା ଘଟଣାରେ ଗୃହରାଷ୍ଟ୍ର ମନ୍ତ୍ରୀ କ୍ୟାପ୍ଟେନ ଦିବ୍ୟଶଙ୍କର ମିଶ୍ରଙ୍କ ବିରୁଦ୍ଧରେ ଏଫଆଇଆର ଦେବାକୁ ଆସିଥିବା ସମୟରେ ମହିଳା ମୋର୍ଚ୍ଚା ଥାନାକୁ ଧସେଇ ପସିଥିଲେ । ଏହାସହ ଥାନା ଭିତରେ ନାରାବାଜି କରିଥିଲେ । ଟେବୁଲ ବାଡ଼େଇ ବାଡ଼େଇ ଦିବ୍ୟଶଙ୍କରଙ୍କ ଗିରଫ ଦାବି କରିଥିଲେ ବିଜେପି ମହିଳା ମୋର୍ଚ୍ଚା କର୍ମୀ ।

ସେପଟେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ଟ୍ୱିଟ କରିଛନ୍ତି । ସେ ମନ୍ତ୍ରୀଙ୍କ କଲ ରେକର୍ଡ ଯାଂଚ କରିବାକୁ ଦାବି କରିଛନ୍ତି । ପ୍ରଦୀପ୍ତ କହିଛନ୍ତି, ପୀଡିତାଙ୍କ ପରିବାରଲୋକ ରାଜ୍ୟର ଗୃହ ରାଷ୍ଟ୍ରମନ୍ତ୍ରୀ ଘଟଣାରେ ସାମିଲ ଥିବା କହିଛନ୍ତି । ଏହାଛଡା ଗୋବିନ୍ଦ ସାହୁଙ୍କ ଆଖପାଖ ଲୋକ ଓ ମନ୍ତ୍ରୀଙ୍କ ପାଖଲୋକଙ୍କ କଲ ତଥ୍ୟକୁ ତଦନ୍ତ ପରିସରଭୁକ୍ତ କରାଯାଉ ବୋଲି ସେ ଦାବି କରିଛନ୍ତି ।