ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ତ୍ରୁଟି: ମୋଦିଙ୍କ ଆନ୍ଧ୍ର ଗସ୍ତକୁ ବିରୋଧ କରି ହେଲିକପ୍ଟର ଉଡାଣ ବେଳେ କଳା ବେଲୁନ ଉଡାଇଲେ କଂଗ୍ରେସ କର୍ମୀ

369

କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ତ୍ରୁଟି । ଆନ୍ଧ୍ର ବିଜୟୱାଡାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ହେଲିକପ୍ଟର ଉଡାଣ ଭରିବାବେଳେ ହେଲିକପ୍ଟର ଆଖପାଖରେ ଦେଖିବାକୁ କଳା ବେଲୁନ । ଆଉ ମୋଦୀଙ୍କୁ ବିରୋଧ କରିବାକୁ ଯାଇ କଂଗ୍ରେସ କର୍ମୀ ଆକାଶକୁ ଛାଡିଛନ୍ତି ଏହି କଳା ବେଲୁନ । ଆନ୍ଧ୍ରପ୍ରଦେଶର ବିଜୟୱାଡାର ଗନ୍ନାୱରମ ବିମାନବନ୍ଦରରୁ ମୋଦୀଙ୍କ ବିମାନ ଉଡାଣ ଭରିଥିଲା । ଦୁଇଟି ହେଲିକପ୍ଟର ଆକାଶମାର୍ଗରେ ଯାଉଥିଲା । ଏହି ସମୟରେ କଂଗ୍ରେସ କର୍ମୀ ବିମାନ ବନ୍ଦର ପାଖରେ ଥିବା ଏକ ଅଧା ନିର୍ମାଣ କୋଠାରୁ କଳା ବେଲୁନ ଆକାଶ ମାର୍ଗକୁ ଛାଡିଥିଲେ । ଏହି ବେଲୁନରେ କଂଗ୍ରେସ କର୍ମୀ ପୋଷ୍ଟର ମଧ୍ୟ ଲଗାଇଥିଲେ । ମୋଦୀଙ୍କୁ ବିରୋଧ କରି ଏପରି କରିଥିଲେ କଂଗ୍ରେସ କର୍ମୀ । ପୋଲିସ ଏବେ ଏହି ମାମଲାରେ ତିନି ଜଣଙ୍କୁ ଗିରଫ କରିଛି । ସ୍ଥାନୀୟ ଏସପି କହିଛନ୍ତି, ବିମାନବନ୍ଦର ପାଖରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ।

କିନ୍ତୁ ମୋଦୀଙ୍କ ହେଲିକପ୍ଟର ଉଡାଣ ଭରିବା ମାତ୍ରେ ହଠାତ୍ କଳା ରଙ୍ଗର ଏହି ବେଲୁନ ଆକାଶ ମାର୍ଗକୁ ଉଠୁଥିବା ଦେଖିବାକୁ ମିଳିଥିଲା । ସୋମବାର ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଆନ୍ଧ୍ରପ୍ରଦେଶ ଆସିଥିଲେ ମୋଦୀ । ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ଦାୟିତ୍ୱରେ ଥିବା ଏସପିଜି ଏହାକୁ ସୁରକ୍ଷାରେ ତ୍ରୁଟି ବୋଲି କହିଛି । ମାମଲାକୁ ଗମ୍ଭୀର ଭାବେ ନେଇ ଏସପିଜି ରାଜ୍ୟ ପୁଲିସଠାରୁ ସ୍ପଷ୍ଟୀକରଣ ମାଗିଛି । ଏସପିଜି ରାଜ୍ୟ ପୁଲିସକୁ ପଚାରିଛି, ଯଦି କଳା ବେଲୁନ ସହ ଡ୍ରୋନ ଉଡିଥାନ୍ତା ତାହାହେଲେ କଣ ହୋଇଥାନ୍ତା । ତେବେ ଆନ୍ଧ୍ର ପୁଲିସ ଏହାକୁ ସୁରକ୍ଷାରେ ତ୍ରୁଟି ନୁହଁ ବୋଲି କହିଛି । ଆନ୍ଧ୍ର ପୁଲିସ କହିଛି, ବେଲୁନ ଛଡାଯିବା ସମୟରେ ମୋଦିଙ୍କ ହେଲିକପ୍ଟର ଉଡାଣ ଭରିସାରିଥିଲା । ବିମାନବନ୍ଦରରୁ ୪ କିଲୋମିଟର ଦୂରରେ ଥିବା କୋଠାରେ ଚଢି ଏହି ହାଇଡ୍ରୋଜେନ ବେଲୁନ ଛାଡିଥିଲେ ।