କନକ ବ୍ୟୁରୋ: ତିନି ରାଜ୍ୟରେ ହିନ୍ଦୁତ୍ୱ କାର୍ଡ ଖେଳି ପରାଜୟର ମୁହଁ ଦେଖିଛି କଂଗ୍ରେସ । ତେଣୁ ଚର୍ଚ୍ଚା ହେଉଛି ବର୍ଷ ବର୍ଷ ଧରି ଧର୍ମନିରପେକ୍ଷତାର ଛବି ରହିଆସିଥିବା ଏହି ସର୍ବପୁରାତନ ଦଳ ହିନ୍ଦୁତ୍ୱର ଖୋଳପା ପିନ୍ଧି ଭୋଟରଙ୍କୁ ଆକୃଷ୍ଟ କରିପାରିବ ନାହିଁ । ନିକଟରେ କଂଗ୍ରେସ ଶ୍ରୀମନ୍ଦିର ଚାରି ଦ୍ୱାର ଖୋଲିଦେବାକୁ ଦାବି କରି ପୁରୀରେ ବିରାଟ ପ୍ରତିବାଦ ରାଲି କରିଥିଲା । ସରକାର ଦାବି ନମାନିବାରୁ ତୁଳସୀ ଯାତ୍ରା କରି ଚାପ ପକାଇବାକୁ ପ୍ରୟାସ କରାଗଲା । ହେଲେ ରାଜନୈତିକ ସମୀକ୍ଷକଙ୍କ ମତରେ ପୁରୀ ଶ୍ରୀମନ୍ଦିରକୁ ନେଇ କଂଗ୍ରସ ପଲିଟିକ୍ସ କାମ ଦେଇନପାରେ । ୨୦୨୩ ନିର୍ବାଚନରୁ ଉଦାହରଣ ନେଇ ୨୦୨୪ ପାଇଁ ଦଳକୁ ରଣନୀତି ପ୍ରସ୍ତୁତ କରିବାକୁ ପଡିବ ।

ବିଜେପିର ହିନ୍ଦୁତ୍ୱ ଆଭିମୁଖ୍ୟ ସବୁବେଳେ ଏହି ସଂପ୍ରଦାୟର ଭୋଟରଙ୍କୁ ଆକୃଷ୍ଟ କରି ଆସିଛି । ଓଡିଶାରେ ବିଜେପିର ହିନ୍ଦୁତ୍ୱ ଛବିକୁ କାଉଣ୍ଟର କରିବା ପାଇଁ ବିଜେଡି ସରକାର ମଧ୍ୟ ଶ୍ରୀଜଗନ୍ନାଥଙ୍କୁ ନେଇ ରାଜନୀତି ଆରମ୍ଭ କରିଛନ୍ତି । ଆଉ କିଛି ଦିନ ମଧ୍ୟରେ ଶେଷ ହୋଇଯିବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ । ରାଜ୍ୟ ସାରା ବିଭିନ୍ନ ମନ୍ଦିରର ଭିତ୍ତିଭୂମି ଉନ୍ନତିକରଣ ବିଜେଡିକୁ ଫାଇଦା ଦେଇପାରେ । ତେଣୁ ହିନ୍ଦୁ ଭାବାବେଗ ଓ ଶ୍ରୀଜଗନ୍ନାଥ ପ୍ରସଙ୍ଗରୁ କଂଗ୍ରେସ ଯେଉଁ ଫାଇଦା ନେବାକୁ ବସିଛି ତାର ଲାଭ ମିଳିନପାରେ । ୨୦୨୪ ନିର୍ବାଚନ ପାଇଁ କଂଗ୍ରେସକୁ ଅନ୍ୟ ରାଜନୈତିକ ପ୍ରସଙ୍ଗ ଉପରେ ଗୁରୁତ୍ୱ ଦେବାକୁ ପଡିବ । ଦଳର ବରିଷ୍ଠ ବିଧାୟକ ତାରା ବାହିନୀପତି ମଧ୍ୟ ଏକଥାକୁ ସ୍ୱୀକାର କରିଛନ୍ତି । ତେଲେଙ୍ଗାନାରେ ସଫଳତା ପରେ କଂଗ୍ରେସ ଦକ୍ଷିଣ ଓଡିଶାରେ ବିଜୟର ଅଧିକ ସମ୍ଭାବନା ଦେଖିପାରୁଛି । ରେବନ୍ତ ରେଡ୍ଡି କିମ୍ବା ଡିକେ ଶିବକୁମାରଙ୍କ ଭଳି ଚେହେରା ଦକ୍ଷିଣ ଓଡିଶାରେ କଂଗ୍ରେସକୁ ଏହି ଫାଇଦା ଆଣି ଦେଇପାରିିବ । ତେଣୁ ତାରା ବାହିନୀପତି କହିଛନ୍ତି, ସେ ଦକ୍ଷିଣ ଓଡିଶାର ନେତୃତ୍ୱ ନେବାକୁ ପ୍ରସ୍ତୁତ ।