ଟିକେଟ୍ ମାଗିଲା ମହିଳା କଂଗ୍ରେସ । ସଭାନେତ୍ରୀ କହିଲେ, ମହିଳାଙ୍କୁ ଟିକେଟ୍ ନଦେଲେ ପ୍ରତିବାଦ ହେବ ।

156

କନକ ବ୍ୟୁରୋ: ଗତକାଲି ରାତି ଅଧିଆ ଘୋଷଣା ହୋଇଥିବା ପ୍ରଦେଶ କଂଗ୍ରେସ ପ୍ରାର୍ଥୀ ତାଲିକା ପରେ ଅସନ୍ତୋଷ ତେଜିବାରେ ଲାଗିଛି । କାରଣ ୬ଟି ଲୋକସଭା ଏବଂ ୩୬ଟି ବିଧାନସଭାରେ କିଏ କଂଗ୍ରେସର ମଙ୍ଗ ଧରିବେ ସେନେଇ ପ୍ରାର୍ଥୀଙ୍କ ନାଁ ଚୂଡ଼ାନ୍ତ ହେବାପରେ ମୁହଁ ଖୋଲିଛନ୍ତି ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ ସୁମିତ୍ରା ଜେନା । ସୁମିତ୍ରାଙ୍କ କହିବା ମୁତାବକ, ଘୋଷଣା ହୋଇଥିବା ପ୍ରାର୍ଥୀ ତାଲିକା ନିରାଶ କରିଛି । କାରଣ ୫୨ ଜଣ ମହିଳା ପ୍ରାର୍ଥୀଙ୍କ ନାଁ ମୁଁ ଦେଇଥିଲି । କିନ୍ତୁ ୩୬ ଜଣ ପ୍ରାର୍ଥୀ ତାଲିକାରେ ମାତ୍ର ଜଣକୁ ଟିକେଟ୍ ମିଳିଛି । ଯଦି ଉପଯୁକ୍ତ ପରିମାଣରେ ମହିଳାଙ୍କୁ ଟିକେଟ୍ ନମିଳେ ତେବେ ଆମେ ସ୍ୱର ଉତ୍ତୋଳନ କରିବୁ ବୋଲି କହିଛନ୍ତି ସୁମିତ୍ରା ।

ଅପରପକ୍ଷେ ବିଶ୍ୱାସ ରହିଛି ଯେ, ହାଇକମାଣ୍ଡ ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟରେ ମହିଳାଙ୍କୁ ପ୍ରାର୍ଥୀ ତାଲିକାରେ ସ୍ଥାନ ଦେବେ ବୋଲି କହିଛନ୍ତି ସୁମିତ୍ରା । ଅନ୍ୟମାନଙ୍କ କଥାରେ ସତ୍ୟତା ଥାଇପାରେ ନଥାଇପାରେ ମୁଁ କହିପାରିବି ନାହିଁ । କିନ୍ତୁ ମୁଁ ମହିଳାଙ୍କୁ ଟିକେଟ୍ ମିଳିବା ନେଇ ହାଇକମାଣ୍ଡଙ୍କୁ ଅବଗତ କରାଇଛି । ତେବେ ସୁମିତ୍ରା ଭଦ୍ରକ ଆସନ ପାଇଁ ଆବେଦନ କରିଥିବା କହିଛନ୍ତି । ଯଦି ମୋତେ ଭଦ୍ରକ ପାଇଁ ହାଇକମାଣ୍ଡ ଟିକେଟ୍ ନଦେଇ ଅନ୍ୟ କାହାକୁ ପ୍ରାର୍ଥୀ କରନ୍ତି ସେ ୫ ହଜାର ଟିକେଟ୍ ମଧ୍ୟ ପାଇବ ନାହିଁ ବୋଲି କହିଛନ୍ତି ସୁମିତ୍ରା ।