କନକ ବ୍ୟୁରୋ : ଆସନ୍ତା ବର୍ଷ ଦେଶର ସବୁଠାରୁ ବଡ ରାଜ୍ୟରେ ଉତ୍ତରପ୍ରଦେଶରେ ଅନୁଷ୍ଠିତ ହେବାକୁ ଯାଉଛି ବିଧାନସଭା ନିର୍ବାଚନ । ଏହା ପୂର୍ବରୁ କଂଗ୍ରେସ ସେଠାରେ ତାର ପୂର୍ବ ସ୍ଥିତି ଫେରାଇଆଣିବାକୁ ଜୋରଦାର ପ୍ରୟାସ ଆରମ୍ଭ କରିଛି । ଏହି କ୍ରମରେ ୟୁପିର ନିର୍ବାଚନ ଦାୟିତ୍ୱ ନେଇଛନ୍ତି କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ । କୌଣସି ପରିସ୍ଥିତିରେ ସେଠି ଦଳର ପୂର୍ବ ସ୍ଥିତି ଫେରାଇଆଣିବାକୁ ସେ ପୁରା କଳ, ବଳ, କୌଶଳ ଲଗାଇ ଦେଇଛନ୍ତି ।

Advertisment

ଆଜି ପ୍ରିୟଙ୍କା ଗାନ୍ଧୀ ଏକ ସାମ୍ବାଦିକ ସମ୍ମିଳନୀ କରିବାକୁ ଯାଉଛନ୍ତି । ହେଲେ ତା ପୂର୍ବରୁ ସୂଚନା ମିଳିଛି କି ୟୁପି ନିର୍ବାଚନକୁ ନେଇ ବିଶେଷ କିଛି ଘୋଷଣା କରିପାରନ୍ତି ପ୍ରିୟଙ୍କା । ସୂତ୍ର ସୂଚନା ମୁତାବକ ଆସନ୍ତା ବିଧାନସଭା ନିର୍ବାଚନରେ ୪୦ ପ୍ରତିଶତ ମହିଳାଙ୍କୁ ଟିକେଟ ଦେବାକୁ ପ୍ରିୟଙ୍କା ଘୋଷଣା କରିପାରନ୍ତି ।

ଏହି କ୍ରମରେ ଆଜି ରାଜ୍ୟର ସମସ୍ତ ଜିଲ୍ଲାର ମହିଳା କାର୍ଯ୍ୟକତ୍ତାଙ୍କୁ ଦଳର ରାଜ୍ୟ କାର୍ଯ୍ୟାଳୟକୁ ପ୍ରିୟଙ୍କା ଡାକିଛନ୍ତି । ସାମ୍ବାଦିକ ସମ୍ମିଳନୀ ପୂର୍ବରୁ ପ୍ରିୟଙ୍କା ସେମାନଙ୍କ ସହ ରାଜ୍ୟର ସ୍ଥିତି ନେଇ ବିସ୍ତୃତ ଆଲୋଚନା ଜାରି ରଖିଛନ୍ତି । ଅନ୍ୟପଟେ କିଛି କଂଗ୍ରେସ ନେତା କହିଛନ୍ତି କି ୟୁପି ନିର୍ବାଚନରେ ମହିଳ ଫ୍ୟାକ୍ଟର ଗୁରୁତ୍ୱପୂର୍ଣ୍ଣ । ପ୍ରିୟଙ୍କା ଜଣେ ମହିଳା ହୋଇଥିବାରୁ ଦିନକୁ ଦିନ ରାଜ୍ୟର ମହିଳାମାନଙ୍କର ସେ ଆସ୍ଥାଭାଜନ ହେବାରେ ଲାଗିଛନ୍ତି । ତେଣୁ ମହିଳା ସଶକ୍ତିକରଣ ଓ ନିର୍ବାଚନରେ ମହିଳାଙ୍କ ଭାଗିଦାରୀ ବୃଦ୍ଧି କରିବାକୁ ପ୍ରିୟଙ୍କା ଯୋଜନା କରୁଛନ୍ତି ।

କହିରଖୁ କି ୟୁପିରେ ମୋଟ ଭୋଟରଙ୍କ ସଂଖ୍ୟର ୧୪.୬୧ କୋଟି ହୋଇଥିବା ବେଳେ ପୁରୁଷ ଭୋଟରଙ୍କ ସଂଖ୍ୟା ୭.୯୦ ଲକ୍ଷ ଓ ମହିଳା ଭୋଟରଙ୍କ ସଂଖ୍ୟା ୬.୭୦ ଲକ୍ଷ ରହିଛି । ତେଣୁ ମହିଳା ଭୋଟରଙ୍କୁ ଆକୃଷ୍ଟ କରିପାରିଲେ କଂଗ୍ରେସକୁ ଭଲ ସଫଳତା ମିଳିବ ବୋଲି ଆଶା କରିଛନ୍ତି ପ୍ରିୟଙ୍କା ଗାନ୍ଧୀ