କନକ ବ୍ୟୁରୋ : ଦେଶ ରାଜନୀତିରେ ଉତ୍ତରପ୍ରଦେଶରେ ଭୂମିକା ସବୁବେଳେ ଗୁରୁତ୍ୱପୂର୍ଣ୍ଣ ରହି ଆସିଛି । ଦୀର୍ଘ ୧୦ ବର୍ଷ ହେବ ଏଠାରେ ବିଜେପିର ସରକାର ରହିଛି । ବିଜେପି ସରକାରକୁ ଭାଙ୍ଗିବାକୁ ହାତ ମିଳାଇଛନ୍ତି କଂଗ୍ରେସ ଓ ସମାଜବାଦୀ ପାର୍ଟି । ଲୋକସଭା ନିର୍ବାଚନରେ ଏହି ମେଣ୍ଟକୁ ସଫଳତା ମିଳିଥିବା ବେଳେ ଆଗକୁ ହେବାକୁ ଥିବା ୧୦ ଟି ବିଧାନସଭା କ୍ଷେତ୍ରରେ ଉପ ନିର୍ବାଚନ ପାଇଁ ମଧ୍ୟ ଉଭୟ ଦଳ ମେଣ୍ଟରେ ପ୍ରାର୍ଥୀ ଦେବାକୁ ଯାଉଛନ୍ତି । ଏନେଇ କଂଗ୍ରେସ ତରଫରୁ ଚଳିତ ମାସ ୨୧ ତାରିଖରେ ସମସ୍ତ ଜିଲ୍ଲା ମୁଖ୍ୟଙ୍କର ଏକ ବୈଠକ ଡାକିଛି । ଏହି ବୈଠକରେ ସବୁକଥାକୁ ଅନ୍ତିମ ରୂପ ଦିଆଯିବ । ଅନୁମାନ କରାଯାଉଛି କି, ୧୦ ଟି ଆସନ ମଧ୍ୟରୁ ସମାଜବାଦୀ ପାର୍ଟି ୭ ଟି ଓ କଂଗ୍ରେସ ୩ ଟି ଆସନରେ ନିର୍ବାଚନ ଲଢିପାରେ ।

Advertisment

ସୂଚନା ଥାଉକି, ନିର୍ବାଚନ ହେବାକୁ ଥିବା ୧୦ ବିଧାନସଭା ଆସନ ମଧ୍ୟରୁ ୫ ଟି ସମାଜବାଦୀ ପାର୍ଟି ପାଖରେ ରହିଛି, ଆରଏଲଡି ଓ ନିଷାଦ ପାର୍ଟି ପାଖରେ ଗୋଟିଏ ଲେଖାଏଁ ଆସନ ରହିଛି  ଓ ବିଜେପି ପାଖରେ ୩ଟି ଆସନ ରହିଛି । ହେଲେ ଲୋକସଭା ନିର୍ବାଚନରେ କଂଗ୍ରେସ ଓ ସମାଜବାଦୀ ପାର୍ଟି ମେଣ୍ଟ ରାଜ୍ୟରେ ବିଜେପିକୁ ଯେଭଳି ଭାବେ ଟକ୍କର ଦେଲା, ତାହାକୁ ଦେଖିଲେ ଏବେ ଏହି ଉପ ନିର୍ବାଚନ ବିଜେପି ପାଇଁ ସମ୍ମାନର ପ୍ରଶ୍ନ ପାଲଟିଛି ।