କେନ୍ଦ୍ର ସରକାରଙ୍କୁ ସୋନିଆ ଗାନ୍ଧୀଙ୍କ ପରାମର୍ଶ । କରୋନା ମହାମାରୀକୁ ଜିତିବା ପାଇଁ ସବୁ ରାଜନୈତିକ ଦଳମାନଙ୍କୁ ନେଇ ସରକାର ପ୍ରସ୍ତୁତ କରନ୍ତୁ ରଣନୀତି । ସହଯୋଗ କରିବ କଂଗ୍ରେସ

346

କନକ ବ୍ୟୁରୋ : କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଏକ ଭିଡିଓ ବାର୍ତ୍ତା ଜରିଆରେ କରୋନା ସଂକଟରୁ ମୁକୁଳିବାକୁ କେନ୍ଦ୍ର ସରକାରଙ୍କୁ କିଛି ଉପାୟ ବତାଇଛନ୍ତି । ଏହାସହ ସମସ୍ତ ରାଜନୈତିକ ଦଳମାନଙ୍କର ସହମତିରେ ରଣନୀତି ପ୍ରସ୍ତୁତ କରିବାକୁ କେନ୍ଦ୍ର ସରକାରଙ୍କୁ ପରାମର୍ଶ ଦେଇଛନ୍ତି । ସେ କହିଛନ୍ତି କି ଏଭଳି ସଂକଟ ସମୟରେ ସରକାର ସମସ୍ତ ରାଜନୈତିକ ଦଳମାନଙ୍କର ମତ ନେଇ ରଣନୀତି ପ୍ରସ୍ତୁତ କରନ୍ତୁ । ଏହାସହ ଦେଶବାସୀଙ୍କୁ କରୋନାରୁ ମୁକ୍ତ କରିବାକୁ କେନ୍ଦ୍ର ସରକାରଙ୍କ ତରଫରୁ ନିଆଯାଉଥିବା ସମସ୍ତ ପଦକ୍ଷେପ ସହ କଂଗ୍ରେସ ସହଯୋଗ କରିବ ବୋଲି ସେ କହିଛନ୍ତି ।

ସୋନିଆ ଗାନ୍ଧୀ କହିଛନ୍ତି କି ବର୍ତ୍ତମାନର ସ୍ଥିତି ମଣିଷର ମେରୁଦଣ୍ଡକୁ ଦୋହଲାଇ ଦେଇଛି । କେଉଁଠି ଅକ୍ସିଜେନର ଅଭାବ ତ କେଉଁଠି ଔଷଧ ନପାଇ ପ୍ରାଣ ହରାଉଛନ୍ତି କରୋନା ସଂକ୍ରମିତ । ଅନ୍ୟପଟେ କେଉଁଠି ମେଡିକାଲରେ ବେଡର ଅଭାବ ତ କେଉଁଠି ରୋଗୀ ପାଖରେ ପହଂଚି ପାରୁନି ଆମ୍ବୁଲାନ୍ସ । ଏସବୁ ଆମ ପାଇଁ ପରୀକ୍ଷାର ସମୟ । ଏହି ସମୟରେ ପରସ୍ପର ପରସ୍ପରକୁ ସହାଯ୍ୟ କରିବାକୁ ସେ ଦେଶବାସୀଙ୍କୁ ଅନୁରୋଧ କରିଛନ୍ତି ।

ସେ ଆହୁରି କହିଛନ୍ତି କି ସରକାରଙ୍କୁ ବର୍ତ୍ତମାନ ଜାଗୃତ ରହିବା ଓ କର୍ତ୍ତବ୍ୟ ନିଭାଇବାର ଏହା ପ୍ରକୃଷ୍ଠ ସମୟ । ପ୍ରବାସୀ ଶ୍ରମିକ ମାନେ ଯେଭଳି କର୍ମକ୍ଷେତ୍ର ଛାଡି ଘରକୁ ଫେରୁଛନ୍ତି ତାହା ଉପରେ ସରକାର ନଜର ଦେବା ସହ ପ୍ରତି ଶ୍ରମିକଙ୍କ ପରିବାରକୁ ମାସିକ ୬ ହଜାର ଟଙ୍କା ପ୍ରଦାନ କରନ୍ତୁ । ଏହାସହ କୋଭିଡ୍-ଟେଷ୍ଟିଂ ବୃଦ୍ଧି କରିବାକୁ ସେ ସରକାରଙ୍କ ଠାରେ ଦାବି କରିବା ସହ ସରକାର ଦେଶର ପ୍ରତି ନାଗରିକଙ୍କୁ ମାଗଣାରେ ଟିକା ପ୍ରଦାନ କରନ୍ତୁ ବୋଲି ଦାବି କରିଛନ୍ତି