କନକ ବ୍ୟୁରୋ: ଦିନେ ଯେଉଁଠି ପ୍ରକୃତିରାଣୀ ସଜେଇ ହୋଇ ସମସ୍ତଙ୍କ ମନ ଆକୃଷ୍ଟ କରୁଥିଲା, ଆଜି ସେହି ଜାଗା କାନ୍ଦ ବୋବାଳିରେ ଫାଟିପଡୁଛି । ଭୟଙ୍କର ଭୁସ୍ଖଳନରେ କେତେଯେ ଲୋକ ବାସହରା ହୋଇଛନ୍ତି, କେତେଯେ ଲୋକ ନିଜ ଆତ୍ମୀୟଙ୍କୁ ହରାଇଛନ୍ତି, କୁନି କୁନି ପିଲା ବାପା ମା ଛେଉଣ୍ଡ ହୋଇଛନ୍ତି ତାର ହିସାବ ନାହିଁ । ତଥାପି ମାଟି କାଦୁଅ, ପଥର ତଳେ ଚାଲିଛି ଜୀବନର ସନ୍ଧାନ ।

ରଖେ ହରି ତ ମାରେ କିଏ
୪ଦିନ ପରେ ମାଟି ଅତଡା ତଳୁ ୪ ଜୀବନ ଉଦ୍ଧାର

ପ୍ରକୃତିର ପ୍ରକୋପରେ ଭାସିସାଇଛି ୱାୟନାଡ । ୩ଶହ ଉପରେ ଟପିଲାଣି ମୃତ୍ୟୁ ସଂଖ୍ୟା । ଶତାଧିକ ଲୋକଙ୍କ ଏବେ ବି ପତା ମିଳୁନି । ଏହା ଭିତରେ ଚମତ୍କାର ଦେଖିବାକୁ ମିଳିଛି । ମୃତ୍ୟୁକୁ ମାତ ଦେଇ ୪ ଜଣ ଲୋକ ୪ ଦିନ ପରେ ମାଟି ଅତଡା ତଳୁ ଉଦ୍ଧାର ହୋଇଛନ୍ତି । ଏନଡିଆରଏଫ ଦ୍ବାରା ଉଦ୍ଧାର ଦୁଇ ପୁରୁଷ ଓ ଦୁଇ ମହିଳାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

publive-image

ବିରୋଧୀଦଳ ନେତା ରାହୁଲ ଗାନ୍ଧୀ ଓ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ୱାୟନାଡ ଗସ୍ତ କରି ସ୍ଥିତି ସମୀକ୍ଷା କରିଛନ୍ତି । ଭୁସ୍ଖଳନ ପୀଡିତଙ୍କୁ ଭେଟିବା ସହ ବଡ ଘୋଷଣା ମଧ୍ୟ କରିଛନ୍ତି ।ପୀଡିତଙ୍କ ଭେଟିବା ପରେ ରାହୁଲ ବାପା ରାଜୀବ ଗାନ୍ଧୀଙ୍କୁ ହରାଇଥିବା ପୀଡା କଥା ମଧ୍ୟ କହି ଭାବବିହ୍ବଳ ହୋଇପଡିଥିଲେ ।

ମୋଟ ୪୦ଟି ଏନଡିଆରଏଫ ଓ ସେନା ଟିମ ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ସବୁଠୁ ଅଧିକ ପ୍ରଭାବିତ ତମଲ୍ଲା, ଆରାନମଲ୍ଲା, ମୁଣ୍ଡୁକାଇ,ପୁଂଚିରିମାଥମ, ଭେଲାରାଇମାଲାରେ ଏବେ ବି କିଛି ଜୀବନ ବଂଚିରହିଥିବା ସମ୍ଭାବନାର ସର୍ଚ୍ଚ ଅପରେସନ ଜାରି ରହିଛି ।ସୂଚନା ଅନୁସାରେ ମୋବାଇଲଫୋନର ଲାଷ୍ଟଲୋକେସନକୁ ଟ୍ରାକ କରି ମୃତକ, ନିଖୋଜଙ୍କ ପାଖରେ ପହଁଚିବାକୁ ଚେଷ୍ଟା କରାଯାଉଛି ।