ଏଆଇସିସି ସ୍କ୍ରିନିଂ କମିଟିର କସରତ ପରେ ଆଜି କଂଗ୍ରେସର କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକରେ ଯଦି ପ୍ରଥମ ପର୍ୟ୍ୟାୟ ବାକି ତାଲିକା ଚୂଡ଼ାନ୍ତ ହୁଏ ତେବେ ତାଲିକା ପ୍ରକାଶ ପାଇପାରେ। ଖାସ କରି କୋରାପୁଟ ଆସନରୁ କିଏ ଟିକେଟ ପାଇବ ତାକୁ ନେଇ ଛକାପଂଝା ଲାଗି ରହିଥିବା ବେଳେ ଦଳ କାହାକୁ ସାଂସଦ ପ୍ରାର୍ଥୀ ଭାବେ ସାମ୍ନାକୁ ଆଣୁଛି, ତାହା ଗୁରୁତ୍ୱପୂର୍ଣ୍ଣ । କାରଣ, ଏହି ପ୍ରସଙ୍ଗକୁ ନେଇ ପୂର୍ବରୁ ତାରା ପ୍ରସାଦ ବାହିନୀପତି, ଦଳର ନେତା ପ୍ରଦୀପ ମାଝୀଙ୍କୁ ଟାର୍ଗେଟ କରିସାରିଛନ୍ତି ।
କଂଗ୍ରେସ ପ୍ରାର୍ଥୀ ଚୟନ ନେଇ ଦିଲ୍ଲୀରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଜାରି ରହିଛି। ନୂଆଦିଲ୍ଲୀର ୧୦ ଲୋଧି ରୋଡ଼ରେ କଂଗ୍ରେସ ସ୍କ୍ରିନିଂ କମିଟି ବୈଠକ ଅନୁଷ୍ଠିତ ହୋଇଛି। ଏହାପରେ ସଂଧ୍ୟା ୬ଟାରେ ୧୦ ଜନପଥରେ କଂଗ୍ରେସ କେନ୍ଦ୍ରୀୟ ନିର୍ବାଚନ କମିଟିର ବୈଠକ ହେବ। ଏହି ବୈଠକରେ କଂଗ୍ରେସ ସ୍କ୍ରିନିଂ କମିଟିର ସୁପାରିସ ଆଧାରରେ ପ୍ରାର୍ଥୀ ତାଲିକା ଚୂଡ଼ାନ୍ତ ହେବ। କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକରେ ପିସିସି ସଭାପତି ନିରଂଜନ ପଟ୍ଟନାୟକ, ବିରୋଧୀ ଦଳ ନେତା ନରସିଂହ ମିଶ୍ର ଓ ଓଡ଼ିଶା ପ୍ରଭାରୀ ଜିତେନ୍ଦ୍ର ସିଂ ଓ କମିଟିର ସଦସ୍ୟ ଥିବା ଦଳର ବରିଷ୍ଠ ନେତା ଉପସ୍ଥିତ ଥିବା ଜଣାପଡ଼ିଛି।
ପୂର୍ବରୁ, ଗତ ୧୮ ତାରିଖରେ ୩୬ଟି ବିଧାନସଭା ଆସନ ଓ ୬ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଥିଲା। ବଡ କଥା ହେଉଛି, ପ୍ରଥମ ପର୍ଯ୍ୟାୟ ପାଇଁ ନାମାଙ୍କନ ୨୫ରେ ଶେଷ ହେଉଥିବା ବେଳେ ତିନିଦଳ ତରଫରୁ ଏଯାଏଁ ଚୁଡାନ୍ତ ତାଲିକା ପ୍ରକାଶ ପାଇ ପାରୁନାହିଁ । ପ୍ରତିପକ୍ଷର ଚାଲ ଉପରେ ନଜର ରଖୁଥିବା ଦଳ ଗୁଡିକ କେଉଁ ଆଭିମୁଖ୍ୟ ଗ୍ରହଣ କରୁଛନ୍ତି, ତାଉପରେ ନଜର ରହିଛି ।