Advertisment

କନକ ବ୍ୟୁରୋ: ଉତରପ୍ରଦେଶ ଲଖୀମପୁର ହିଂସାକୁ ନେଇ ରାଷ୍ଟ୍ରପତିଙ୍କୁ ଭେଟିଛି କଂଗ୍ରେସ ପ୍ରତିନିଧି ଦଳ । ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀଙ୍କ ସମେତ ୫ ଜଣିଆ ପ୍ରତିନିଧି ଦଳ ରାଷ୍ଟ୍ରପତି ଭବନରେ ରାମନାଥ କୋବିନ୍ଦଙ୍କୁ ଭେଟିଛି । ରାଷ୍ଟ୍ରପତିଙ୍କୁ ଭେଟି କେନ୍ଦ୍ର ଗୃହରାଷ୍ଟ୍ର ମନ୍ତ୍ରୀ ଅଜୟ ମିଶ୍ରଙ୍କ ଇସ୍ତଫା ଦାବି କରିଛି ଦଳ ।

ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟିଲେ ରାହୁଲ ଗାନ୍ଧୀ । ଲଖିମପୁର ହିଂସାକାଣ୍ଡକୁ ନେଇ ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ କଂଗ୍ରେସର ୫ ଜଣିଆ ପ୍ରତିନିଧି ଦଳ ରାଷ୍ଟ୍ରପତିଙ୍କୁ ଭେଟିଛି । ରାହୁଲ ଗାନ୍ଧୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା, ରାଜ୍ୟସଭାର ବିରୋଧିଦଳ ନେତା ମାଲିକାର୍ଜୁନା ଖଡ୍ଗେ, ବରିଷ୍ଠ ନେତା ଏ.କେ ଆଂଟୋନୀ ଏବଂ ଗୁଲାବ ନବି ଆଜାଦ୍ ରାଷ୍ଟ୍ରପତିଙ୍କୁ ଭେଟି କେନ୍ଦ୍ର ଗୃହରାଷ୍ଟ୍ର ମନ୍ତ୍ରୀ ଅଜୟ ମିଶ୍ରଙ୍କୁ ତାଙ୍କ ପଦରୁ ବହିଷ୍କାର ନେଇ ଦାବି କରିଛନ୍ତି ।

ରାଷ୍ଟ୍ରପତିଙ୍କୁ ଭେଟିବା ପରେ ରାହୁଲ ଗାନ୍ଧୀ କହିଛନ୍ତି, ପୀଡ଼ିତ ପରିବାରକୁ ନ୍ୟାୟ ମିଳୁ । ଅଭିଯୁକ୍ତଙ୍କୁ କଠୋର ଦଣ୍ଡ ମିଳୁ । ଯେ ପର୍ଯ୍ୟନ୍ତ ଅଜୟ ମିଶ୍ର ମନ୍ତ୍ରୀ ଅଛନ୍ତି, ସେ ପର୍ଯ୍ୟନ୍ତ ନିରପେକ୍ଷ ଯାଂଚ ହୋଇପାରିବ ନାହିଁ । ଆଶିଷ ମିଶ୍ରଙ୍କ ବାପା ମନ୍ତ୍ରୀ ଥିବା ପର୍ଯ୍ୟନ୍ତ ନିରପେକ୍ଷ ତଦନ୍ତ କିପରି ହେବ ବୋଲି ସେ ପ୍ରଶ୍ନ କରିଛନ୍ତି । ସେହିପରି କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ମଧ୍ୟ ପୀଡ଼ିତଙ୍କ ପରିବାରକୁ ନ୍ୟାୟ ଓ ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି ।

ସେପଟେ କଂଗ୍ରେସର ଏଭଳି ପଦକ୍ଷେପକୁ ଏକ ନାଟକ ବୋଲି କହିଛି ବିଜେପି । କଂଗ୍ରେସ ଶାସିତ ରାଜ୍ୟରେ ଅନେକ କନ୍ଦଳ ଥାଇ କଂଗ୍ରେସ ଭାରତୀୟ ନାଗରୀକଙ୍କୁ ଉସୁକାଇବା ପାଇଁ ଉତରପ୍ରଦେଶ ହିଂସାକୁ ଗୁରୁତ୍ୱ ଦେଉଛି । ଗତ ୩ ତାରିଖରେ ଲଖୀମପୁର ଖେରୀରେ ହିଂସାକାଣ୍ଡ ଘଟିଥିଲା । ଏଥିରେ ୪ ଜଣ କୃଷକଙ୍କ ସମେତ ୮ ଜଣଙ୍କ ଜୀବନ ଯାଇଛି । ଏହି ଘଟଣାରେ କେନ୍ଦ୍ର ଗୃହରାଜ୍ୟ ମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶିଷ ମିଶ୍ରଙ୍କୁ ଗିରଫ କରାଯାଇଛି ।