କନକ ବ୍ୟୁରୋ: ଆଜିର ଦେଶର ପ୍ରାୟ ସବୁ ଖବରକାଗଜରେ ବାହାରିଛି କଂଗ୍ରେସର ବିଜ୍ଞାପନ । ଯେଉଁଥିରେ ଭାରତୀୟ ଜନତା ପାର୍ଟିକୁ ଟାର୍ଗେଟ୍ କରିଛି ଦଳ । ବାରମ୍ବାର ଇଣ୍ଡି-ମେଂଟ ଓ କଂଗ୍ରେସକୁ ସମାଲୋଚନା କରୁଥିବା ବିଜେପିକୁ ୱାସିଂ ମେସିନ୍ କହି କଟାକ୍ଷ କରିଛି କଂଗ୍ରେସ । କେବଳ ସେତିକି ନୁହେଁ ବିଜ୍ଞାପନରେ ବିଜେପିକୁ ଜୁମଲା ପାର୍ଟି କହି ସମାଲୋଚନା କରିଛି ଦଳ । ବିଜ୍ଞାପନରେ ଲେଖାଯାଇଛି, - ‘ମିତ୍ର, ଭ୍ରଷ୍ଟାଚାରିଙ୍କ ବିରୁଦ୍ଧରେ ଆକ୍ସନ୍ ନେବି’ ଜଣ-ଜଣ କରି ଜୁମଲା ପାର୍ଟିରେ ଭରି ଦେବି । ଯାହାକୁ ବିଜେପି ଦୁର୍ନୀତି ଖୋର ନେତା ବୋଲି କହୁଛି, ସେମାନଙ୍କୁ ନିଜ ଦଳରେ ନେଇ ସ୍ୱଚ୍ଛ କରିଦେଇଥିବା ଅଭିଯୋଗ କରିଛି କଂଗ୍ରେସ ।
ଏହା ପୂର୍ବରୁ ଗୋଟିଏ ପରେ ଗୋଟିଏ ଭିଡିଓ ବିଜ୍ଞାପନ ଜରିଆରେ ଇଣ୍ଡି-ମେଂଟର ସବୁ ଦଳକୁ କଟାକ୍ଷ କରିଛି ଭାରତୀୟ ଜନତା ପାର୍ଟି । ଦଳ ପକ୍ଷରୁ ଲଗାତାର ତିନୋଟି ବିଜ୍ଞାପନ ସେୟାର କରାଯାଇଛି । ଯେଉଁଥିରେ ଇଣ୍ଡିଆ ମେଂଟର ସବୁ ଦଳକୁ ସମାଲୋଚିତ କରାଯାଇଛି । ବର ଖୋଜିବା ନାଁରେ ଇଣ୍ଡି ମେଂଟର ସବୁ ନେତାଙ୍କୁ ଜବରଦସ୍ତ ଟାର୍ଗେଟ୍ କରିଛି ବିଜେପି । ସେହିପରି ଆଉ ଏକ ବିଜ୍ଞାପନରେ ଇଣ୍ଡି ମେଂଟକୁ ଖାନଦାନୀ ଲୁଟେରା ବୋଲି କହିଥିଲା ବିଜେପି । ଏଭଳି ବାରମ୍ବାର ଟାର୍ଗେଟ୍ ପରେ ବିଜେପିକୁ କଟାକ୍ଷ କରି ବିଜ୍ଞାପନ ବାହାର କରିଛି କଂଗ୍ରେସ । ଆଉ ଏଥିରେ ବିଜେପିକୁ ୱାସିଂ ମେସିନ୍ କହି କଟାକ୍ଷ କରିଛି ଦଳ ।
ଗତ ସପ୍ତାହରେ ସାମ୍ବାଦିକ ସମ୍ମିଳନୀ କରି ବିଜେପି ଉପରେ ବର୍ଷିଥିଲା କଂଗ୍ରେସ । ଏୟାର ଇଣ୍ଡିଆ ବିମାନ ଲିଜ ଦୁର୍ନୀତି ମାମଲାରେ ପ୍ରଫୁଲ ପଟେଲଙ୍କୁ କ୍ଲିନଚିଟ୍ ମିଳିବା ପରେ ଏହି ସାମ୍ବାଦିକ ସମ୍ମିଳନୀ କରିଥିଲା ଦଳ । ଏନ୍ଡିଏରେ ଏନ୍ସିପି ମିଶିବା ପରେ ନେତା ଫ୍ରଫୁଲ ପଟେଲ୍ଙ୍କୁ ଏହି କ୍ଲିନ୍ଚିଟ୍ ମିଳିଛି । ଆଉ ସବୁ ଦୁର୍ନୀତି ବିଜେପିର ୱାସିଂ ମେସିନ୍ରେ ଆସି ସଫା ହୋଇ ଯାଉଥିବା ଅଭିଯୋଗ କରିଥିଲା କଂଗ୍ରେସ । ବିଜେପରେ ଯୋଗ ଦେଲେ ଦଳର ୱାଶିଂମେସିନରେ ସମସ୍ତ ଅଭିଯୋଗ ସରିଯିବ ବୋଲି କଂଗ୍ରେସ କହିଥିଲା ।
ସାଧାରଣ ନିର୍ବାଚନ ପାଖେଇ ଆସୁଥିବାବେଳେ ବିଜେପି ଓ ବିରୋଧୀଙ୍କ ଭିତରେ ଏଭଳି ବିଜ୍ଞାପନ ଯୁଦ୍ଧ ଆରମ୍ଭ ହୋଇ ଯାଇଛି । ଯାହା ରାଜନୈତିକ ମାହୋଲକୁ ଆହୁରି ରୋଚକ କରିଛି ।