କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛି କଂଗ୍ରେସ । କଂଗ୍ରେସ ନେତା ରଣଦୀପ୍ ସୁର୍ଜେୱାଲା ପ୍ରେସ୍ କନଫରେନ୍ସ କରି କହିଛନ୍ତି, ଯେତେବେଳେ ପୁଲୱାମା ଆତଙ୍କବାଦୀ ହମଲାରେ ୪୦ ଜଣ ଯବାନ ସହିଦ ହୋଇଥିଲେ, ସେତେବେଳେ ଡକ୍ୟୁମେଂଟାରୀ ଫିଲ୍ମ ସୁଟିଂରେ ବ୍ୟସ୍ତ ଥିଲେ ପ୍ରଧାନମନ୍ତ୍ରୀ । ଏହି ସୁଟିଂ ସଂଧ୍ୟା ପର୍ଯ୍ୟନ୍ତ ଚାଲିଥିଲା ବୋଲି ଅଭିଯୋଗ କରିଛନ୍ତି ସୁର୍ଜେୱାଲା । ଏପରି ସାଂଘାତିକ ଅଭିଯୋଗ ଉପରେ ଜବାବ ଦେଇ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ସାହା କହିଛନ୍ତି ପୁଲୱାମା ହମଲାକୁ ନେଇ ରାଜନୀତି କରୁଛି କଂଗ୍ରେସ ।

Advertisment

ପୁଲୱାମା ହମଲା ଦିନ କ’ଣ କରୁଥିଲେ ମୋଦୀ ? କଂଗ୍ରେସ ଆଣିଲା ସାଂଘାତିକ ଅଭିଯୋଗ । ପୁଲୱାମା ହମଲା ପରେ କେନ୍ଦ୍ର ସରକାରଙ୍କୁ ପୂର୍ଣ୍ଣ ସମର୍ଥନ ଘୋଷଣା କରିବା ସହ ରାଜନୈତିକ ବୟାନବାଜିରୁ ଦୂରେଇ ରହିଥିଲା କଂଗ୍ରେସ । ତେବେ ଏହି ଘଟଣାର ୭ ଦିନ ପରେ ସିଧା ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରିଛି ଦଳ । କଂଗ୍ରେସ ଅଭିଯୋଗ କରିଛି, ପୁଲୱାମା ହମଲାରେ ୪୦ ଜଣ ଯବାନ ସହିଦ ହେବାକୁ ନେଇ ଯେତେବେଳେ ସାରା ଦେଶ ଶୋକରେ ଥିଲା, ସେତେବେଳେ କରବେଟ୍ ନାସନାଲ୍ ପାର୍କରେ ଡକ୍ୟୁମେଂଟାରୀ ଫିଲ୍ମ ସୁଂଟି କରୁଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।

publive-imageକଂଗ୍ରେସର ଅଭିଯୋଗ, ଫେବ୍ରୁଆରୀ ୧୪ ତାରିଖ ଅପରାହ୍ନ ୩ଟା ୧୦ରେ ପୁଲୱାମାରେ ଆତଙ୍କବାଦୀ ହମଲା ହେଲା । ଭୟଙ୍କର ଆକ୍ରମଣରେ ସିଆରପିଏଫର ୪୦ ଜଣ ଯବାନ ସହିଦ ହେଲେ । ସାରା ଦେଶରେ ଶୋକର ଛାୟା ଖେଳି ଯାଇଥିଲା । କିନ୍ତୁ ସଂଧ୍ୟା ୬ଟା ୪୦ ମିନିଟ୍ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ପ୍ରମୋସନାଲ ଫିଲ୍ମ ସୁଟିଂରେ ବ୍ୟସ୍ତ ଥିଲେ । ରଣଦୀପ ସୁର୍ଜେୱାଲା ଅଭିଯୋଗ କରିଛନ୍ତି, ପ୍ରଧାନମନ୍ତ୍ରୀ ରାଜ ଧର୍ମ ଭୁଲି ଯାଇଥିଲେ । ଯେତେବେଳେ ଦୁଃଖରେ ଡୁବି ସାରା ଦେଶ ପାଟିକୁ ଦାନା ନେଉନଥିଲା, ସଂଧ୍ୟା ୭ଟା ବେଳେ ଗେଷ୍ଟ ହାଉସରେ ବସି ଚା’, ସିଙ୍ଗଡ଼ା ଖାଉଥିଲେ ମୋଦୀ । କଂଗ୍ରେସ ଅଭିଯୋଗ ଉପରେ କଡ଼ା ଜବାବ ରଖିଛି ବିଜେପି ।

ଅତି ଶାଣୀତ ଢଙ୍ଗରେ ଅଭିଯୋଗ ଉଠାଇ ସୁର୍ଜେୱାଲା କହିଛନ୍ତି, ହିିମାଳୟରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦିନ କିପରି କଟିଥିଲା, ଏ ସଂପର୍କରେ ଡିସ୍କୋଭରୀ ପାଇଁ ଡକ୍ୟୁମେଂଟାରୀ ଫିଲ୍ମ ସୁଟିଂ କରୁଥିଲେ ମୋଦୀ । ଡିସ୍କୋଭରୀର ମୁଖ୍ୟ ଓ କ୍ୟାମେରା ଟିମ୍ ସହ ବୋଟରେ ବୁଲି ନାସନାଲ ପାର୍କରେ କୁମ୍ଭୀର ଦେଖୁଥିଲେ ପ୍ରଧାନମନ୍ତ୍ରୀ ।

ସାମ୍ବାଦିକ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିବା ସହ ୫ଟି ପ୍ରଶ୍ନ ପଚାରିଛି କଂଗ୍ରେସ । ଗୁଇନ୍ଦା ବିଫଳତା ପାଇଁ ଦାୟୀ କିଏ? ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ, ଏନଏସଏ କାହିଁକି ଏଥିପାଇଁ ନିଜକୁ ଦାୟୀ କରୁନାହାନ୍ତି? ଆତଙ୍କୀଙ୍କ ପାଖକୁ ଏତେ ମାତ୍ରାରେ ଆରଡିଏକ୍ସ କିପରି ଆସିଲା? କାଶ୍ମୀର ଉପତ୍ୟକାରେ ଆକାଶ ମାର୍ଗରେ ସିଆରପିଏଫ୍ ଯବାନଙ୍କୁ ନେବା ପାଇଁ ଦାବିକୁ କାହିଁକି ଅଣଦେଖା କରାଗଲା? ବିମୁଦ୍ରାକରଣ ପରେ କାହିଁକି ଆତଙ୍କବାଦୀ ହମଲା କମିଲା ନାହିଁ? ସେପଟେ କଂଗ୍ରେସ ଉପରେ ବର୍ଷିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା । ସେ କହିଛନ୍ତି, ପୁଲୱାମା ହମଲାକୁ ନେଇ କଂଗ୍ରେସ ରାଜନୀତି କରୁଛି । ଦେଶବାସୀ ଜାଣନ୍ତି ଯେ ଜାତୀୟ ସୁରକ୍ଷାକୁ କେତେ ଗୁରୁତ୍ୱ ଦେଇଥାନ୍ତି ପ୍ରଧାନମନ୍ତ୍ରୀ । ସର୍ଜିକାଲ୍ ଷ୍ଟ୍ରାଇକ୍ ଉପରେ ପ୍ରଶ୍ନ ଉଠାଇଥିବା କଂଗ୍ରେସ, କେଉଁ ମୁହଁରେ ଏପରି ଅଭିଯୋଗ ଆଣୁଛି ବୋଲି ପାଲଟା ପ୍ରଶ୍ନ କରିଛନ୍ତି ଅମିତ ଶାହା ।