ମାସ୍କ କିଣା ଦୁର୍ନୀତି ଅଭିଯୋଗ ଉପରେ ସରକାରଙ୍କୁ ଘେରିଲେ ପିସିସି ସଭାପତି । କହିଲେ, ମହାମାରୀରେ ହୋଇଛି ମହାଦୁର୍ନୀତି, ବିଜେପି କହିଲା, ହେମନ୍ତ ଶର୍ମାଙ୍କୁ ଅବ୍ୟାହତି, ଦୁର୍ନୀତିର ବଡ ପ୍ରମାଣ ।

114

କନକ ବ୍ୟୁରୋ : ମହାମାରୀ କରୋନା ସମୟରେ ରାଜ୍ୟରେ ମହାଦୁର୍ନୀତି ହୋଇଛି । କୋଭିଡ୍ ସାମଗ୍ରୀ କିଣାରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ଆଣିଛି କଂଗ୍ରେସ । ଆଜି ସାମ୍ବାଦିକ ସମ୍ମିଳନୀ କରି ପିସିସି ସଭାପତି କହିଛନ୍ତି, ସରକାର ଜାଣିଶୁଣି ବେସରକାରୀ ସଂସ୍ଥାଠାରୁ ଅଧିକ ଦରରେ ସାମଗ୍ରୀ କିଣିଛନ୍ତି । ସେପଟେ ପ୍ରସଙ୍ଗକୁ ନେଇ ରାଜନୀତି ସରଗରମ ଥିବା ବେଳେ ମାମଲା ପହଁଚିଛି ହାଇକୋର୍ଟରେ ।

କୋଭିଡ୍ ସାମଗ୍ରୀ କିଣାକୁ ନେଇ ରାଜ୍ୟ ରାଜନୀତି ଧମିବାର ନାଁ ନେଉନି । ରାଜ୍ୟ ସରକାରଙ୍କ ବାରମ୍ବାର ସ୍ପଷ୍ଟୀକରଣ ପରେ ବି କରୋନା ଅର୍ଥକୁ ସରକାର ଆତ୍ମସାତ୍ କରିଥିବା ଅଭିଯୋଗ ଆଣିଛି କଂଗ୍ରେସ । ପିସିସି ସଭାପତି କହିଛନ୍ତି, ଜାଣିଶୁଣି ବେସରକାରୀ ସଂସ୍ଥାଠାରୁ ଅଧିକ ଟଙ୍କା ଦେଇ କୋଭିଡ୍ ସାମଗ୍ରୀ କିଣିଛନ୍ତି ସରକାର । କେଉଁ ପରିସ୍ଥିତିରେ ଅଧିକ ଟଙ୍କା ଦେଇ ମାସ୍କ କିଣାଗଲା ବୋଲି କଂଗ୍ରେସ ପ୍ରଶ୍ନ କରିଥିବା ବେଳେ ପୂର୍ବରୁ ଏହି ପ୍ରସଙ୍ଗରେ ସରକାରଙ୍କୁ ଘେରୁଥିବା ବିଜେପି ଏବେ କାହିଁକି ଚୁପ୍ ବୋଲି ପ୍ରଶ୍ନ କରିଛି କଂଗ୍ରେସ । ଦୁର୍ନୀତି କରିଥିବା ଲୋକଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନହେଲେ ଦଳ ରାଜରାସ୍ତାକୁ ଓହ୍ରାଇବ ବୋଲି କହିଛି କଂଗ୍ରେସ ।

ପ୍ରସଙ୍ଗକୁ ନେଇ ରାଜନୀତି ସରଗରମ ଥିବା ବେଳେ ମାମଲା ପହଁଚିଛି ହାଇକୋର୍ଟରେ । କରୋନା ସାମଗ୍ରୀ କିଣାରେ ବ୍ୟାପକ ଅନିୟମିତତା ଅଭିଯୋଗ କରି ଏହାର ସିବିଆଇ ତଦନ୍ତ ଦାବି କରିଛନ୍ତି ଆଇନଜୀବୀ । ଏପଟେ ମାସ୍କ କିଣା ଦୁର୍ନୀତି ଅଭିଯୋଗରେ ଆଇଏଏସ୍ ହେମନ୍ତ ଶର୍ମାଙ୍କ ବିରୋଧରେ ଥାନାରେ ଏତଲା ଦେଇଛି ସୂଚନା ଅଧିକାର ଆଇନ୍ ଅଭିଯାନ । ଯେଉଁ ଦୁଇ ଗୁଣା ଦରରେ ମାସ୍କ କିଣା ହେଲା ସେଥିରେ ଲାଭ କିଏ ପାଇଲା ବୋଲି ଓଡିଶା ସୂଚନା ଅଧିକାର ଅଭିଯାନ ପ୍ରଶ୍ନ କରିଛି ।