ବିଜେପୁର ପାଇଁ ବସିଲା ସର୍ବଦଳୀୟ ବୈଠକ । ଉପ-ନିର୍ବାଚନ ପାଇଁ ନିର୍ବାଚନ ଅଧିକାରୀ ଜାରି କଲେ ଗାଇଡଲାଇନ୍, ଛୁଟିଦିନ ଅର୍ଥାତ ଆସନ୍ତା ୨୮ ଓ ୨୯ରେ ହେବନାହିଁ ନାମାଙ୍କନପତ୍ର ଦାଖଲ

230

କନକ ବ୍ୟୁରୋ : ବିଜେପୁର ପାଇଁ ବସିଲା ସର୍ବଦଳୀୟ ବୈଠକ । ଉପ-ନିର୍ବାଚନକୁ କେମିତି ମୁକ୍ତ ଓ ନିରପେକ୍ଷ କରାଯାଇପାରିବ ସେନେଇ ବୈଠକରେ ଆଲୋଚନା ହୋଇଛି । ବିଜେପି ଓ ବିଜେଡି ଏହି ବୈଠକରେ ଯୋଗ ଦେଇଥିବା ବେଳେ କଂଗ୍ରେସ ଓ ଅନ୍ୟ ଦଳ ବୈଠକରେ ସାମିଲ ହୋଇନଥିଲେ । ସେପଟେ ବିଜେପୁର ପାଇଁ କିଏ ପ୍ରାର୍ଥୀ ହେବ ତାକୁ ନେଇ ତିନି ଦଳରେ ମାନସ ମନ୍ଥନ ଚାଲିଛି ।

ବିଜେପୁର ଉପ-ନିର୍ବାଚନ ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଅଧ୍ୟକ୍ଷତାରେ ବୈଠକ । ସର୍ବଦଳୀୟ ବୈଠକରେ ବିଜେଡି ଓ ବିଜେପି ପ୍ରତିନିଧି ସାମିଲ ହୋଇଥିବା ବେଳେ କଂଗ୍ରେସ କିମ୍ବା ଅନ୍ୟ ଦଳର ନେତାକୁ ଦେଖିବାକୁ ମିଳିନଥିଲା । ବିଜେପୁର ଉପ-ନିର୍ବାଚନକୁ କେମିତି ମୁକ୍ତ ଓ ନିରପେକ୍ଷ କରାଯାଇପାରିବ ତାକୁ ନେଇ ହୋଇଛି ଆଲୋଚନା ।
ଉପ-ନିର୍ବାଚନ ପାଇଁ ଗାଇଡଲାଇନ୍ –
– ପ୍ରାର୍ଥୀପତ୍ର ଦାଖଲ ପାଇଁ ପ୍ୟାନ୍ କାର୍ଡ ବାଧ୍ୟତାମୂଳକ
– ପ୍ରାର୍ଥୀଙ୍କୁ ନିର୍ଦ୍ଧାରିତ ଫର୍ମର ସମସ୍ତ ସ୍ତମ୍ଭ ପୂରଣ କରିବା ବାଧ୍ୟ
– ଛୁଟିଦିନ ଅର୍ଥାତ ଆସନ୍ତା ୨୮ ଓ ୨୯ରେ ନାମାଙ୍କନ ହେବନାହିଁ
– ପ୍ରଥମ ଥର ପାଇଁ ରାଜ୍ୟରେ ଏମ୍-୩ ଇଭିଏମ୍ ଓ ଭିଭିପ୍ୟାଟ ମେସିନ୍ ବ୍ୟବହାର ହେବ
– ଫଟୋଚିତ୍ର ସମ୍ବଳିତ ଚିରିକୁଟିରେ ଭୋଟ ଦାନ କରିହେବନାହିଁ
– ମତଦାତାଙ୍କୁ ୧୧ଟି ପରିଚୟ ପତ୍ର ମଧ୍ୟରୁ ଭୋଟ୍ ଦେବା ପାଇଁ ଗୋଟିଏ ପରିଚୟ ପତ୍ର ଦେଖାଇବାକୁ ପଡିବ

ଏପଟେ ବିଜେପୁର ପାଇଁ କିଏ ପ୍ରାର୍ଥୀ ହେବ ତାକୁ ନେଇ ଚାଲିଛି ରାଜ୍ୟ କଂଗ୍ରେସର ମାନସ ମନ୍ଥନ । ୫ଜଣ ଆଶାୟୀଙ୍କ ନାମକୁ ନେଇ ବିଚାର କରୁଛି ନରସିଂହଙ୍କ ନେତୃତ୍ୱରେ ଗଠିତ କମିଟି । ଖୁବଶୀଘ୍ର କଂଗ୍ରେସ ତା’ର ପ୍ରାର୍ଥୀ ଘୋଷଣା କରିବ ବୋଲି କହିଛନ୍ତି ପିସିସି ସଭାପତି ।

ପ୍ରାର୍ଥୀ ଚୟନ ନେଇ ବିଜେଡି ମଧ୍ୟ ତାର ରଣନୀତି ଆରମ୍ଭ କରିଛି । ସୋମବାର ଦିନ ନବୀନ ନିବାସରେ ପ୍ରାର୍ଥୀ ଚୟନ ନେଇ ବିଜେଡିର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ବିଜେପି ମଧ୍ୟ ପ୍ରାଥମିକ ଆଲୋଚନା ପରେ କିଏ ପ୍ରାର୍ଥା ହେବ ତାକୁ ନେଇ ତର୍ଜମା କରୁଛି । ଆସନ୍ତା ୩୦ ତାରିଖ ନାମାଙ୍କନ ଦାଖଲର ଶେଷ ତାରିଖ ଥିବା ବେଳେ ୨ ଦିନ ଛୁଟି ପଡୁଥିବାରୁ ଦିନେ ଦୁଇ ଦିନ ଭିତରେ ୩ ପ୍ରମୁଖ ରାଜନୈତିକ ଦଳ ସେମାନଙ୍କ ପ୍ରାର୍ଥୀ ଘୋଷଣା କରିପାରନ୍ତି ।