ପାଇକଗଡରୁ କଂଗ୍ରେସର ଶକ୍ତି ପ୍ରଦର୍ଶନ: ସଭା ମଂଚରୁ ସରକାରଙ୍କୁ ଟାର୍ଗେଟ 

48

କନକ ବ୍ୟୁରୋ: ଖୋର୍ଦ୍ଧାରେ ପରିବର୍ତନ ସମାବେଶ କରି ଶକ୍ତି ପ୍ରଦର୍ଶନ କରିଛି କଂଗ୍ରେସ । ୨୦୨୪ ନିର୍ବାଚନ ପୂର୍ବରୁ ଦଳୀୟ ସଂଗଠନକୁ ସୁଦୃଢ କରିବାକୁ ଦଳ ଅଭିଯାନ ଆରମ୍ଭ କରିଛି । ପାଇକମାଟିରୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି କଂଗ୍ରେସ ନେତା । କହିଛନ୍ତି ଏବେ ସରକାର ପରିବର୍ତନର ସମୟ ଆସିଯାଇଛି । ଏହାରି ଭିତରେ ପିସିସି ସଭାପତି ସଭାରେ ଘୋଷଣା କରିଛନ୍ତି, ଜଟଣୀ ଆସନରୁ ପୁଣି ସୁରବାବୁ ଲଢିବେ । ପୂର୍ବରୁ ନିର୍ବାଚନ ଲଢିବେ ନାହିଁ ବୋଲି କହିଥିବା ସୁର କହିିିଛନ୍ତି, ସମୟ ଆସିଲେ ନିଷ୍ପତି ନେବେ ।

ପାଇକ ମାଟି ଖୋର୍ଦ୍ଧାରୁ ପରିବର୍ତନ ସମାବେଶ କରି ଶକ୍ତି ପ୍ରଦର୍ଶନ କରିଛି କଂଗ୍ରେସ । ଜାନକୀ ବଲ୍ଲଭ ସ୍ମୃତି ଉଦ୍ୟାନ ଠାରୁ ବିଶାଳ ଶୋଭାଯାତ୍ରା କରିବା ସହ କଂଗ୍ରେସ ନେତା ଓ ଦଳୀୟ କର୍ମୀ ରଣହୁଙ୍କାର ଦେଇଛନ୍ତି । ଖୋର୍ଦ୍ଧା ହାବେଳୀ ପଡିଆରେ ଆୟୋଜିତ ସମାବେଶର ସଭାମଂଚରୁ କଂଗ୍ରେସର ବରିଷ୍ଠ ନେତାମାନେ ଉଭୟ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି । ସରକାରକୁ ପରିବର୍ତନ କରିବା ପାଇଁ ସମୟ ଆସି ଯାଇଛି ବୋଲି କହିଛନ୍ତି ।

୨୦୨୪ରେ ନିର୍ବାଚନ ଲଢ଼ିବେ ନାହିଁ ବୋଲି ବାରମ୍ବାର କହି ଆସୁଛନ୍ତି ଜଟଣୀ ବିଧାୟକ ସୁର ରାଉତରାୟ । ଏମିତି କି ଜଟଣୀରୁ ତାଙ୍କ ପୁଅଙ୍କୁ ଲଢ଼ାଇବା ପାଇଁ ସେ ପ୍ରସ୍ତୁତ ଚଳାଇଛନ୍ତି । କିନ୍ତୁ ଏତିକିବେଳେ ସଭାମଂଚରୁ, ସମସ୍ତଙ୍କୁ ଚମକାଇ ଦେଇ ବଡ ଘୋଷଣା କରିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ । କହିଛନ୍ତି, ଆଗାମି ନିର୍ବାଚନରେ ଜଟଣୀ ବିଧାନସଭା ଆସନରେ ସୁର ରାଉତରାୟ କଂଗ୍ରେସରୁ ପୁଣି ଲଢ଼ିବେ  । ତେବେ ସମୟ ଆସିଲେ ନିଷ୍ପତି ନେବେ ବୋଲି କହିଛନ୍ତି ସୁର ।

ରାଜ୍ୟରେ କଂଗ୍ରେସକୁ ପୁଣି ଥରେ ସକ୍ରିୟ କରିବା ପାଇଁ ଦଳ ପକ୍ଷରୁ ଏଭଳି କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି । ଏପର୍ଯ୍ୟନ୍ତ ୧୦ଟି ଜିଳ୍ଲାରେ ଏଭଳି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିବାବେଳେ, ଆଗାମି ଦିନରେ ରାଜ୍ୟର ସମସ୍ତ ଜିଲ୍ଲାରେ ଏଭଳି ସମାବେଶର ଆୟୋଜନ କରାଯିବ ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି ।