କନକ ବ୍ୟୁରୋ: ଦିଲ୍ଲୀରେ ଆଜି କଂଗ୍ରେସ ସ୍କ୍ରିନିଂ କମିଟିର ବୈଠକ ବସିବ । ବୈଠକରେ ସାମିଲ ହେବା ପାଇଁ ପିସିସି ସଭାପତି ଶରତ ପଟ୍ଟନାୟକ ଦିଲ୍ଲୀ ଗସ୍ତ କରିଛନ୍ତି । ପିସିସି ସଭାପତିଙ୍କ ସମେତ କଂଗ୍ରେସ ପ୍ରଭାରୀ ଅଜୟ କୁମାର ବୈଠକରେ ସାମିଲ ହେବେ । କଂଗ୍ରେସର ପ୍ରଥମ ପ୍ରାର୍ଥୀ ତାଲିକାରୁ ଓଡିଶା ବାଦ୍ ପଡିଛି । ଆଜିର ବୈଠକରେ ଓଡିଶା ପାଇଁ ପ୍ରାର୍ଥୀ ତାଲିକା ଉପରେ ନିଷ୍ପତି ନିଆଯିବ । ତେଣୁ ଟିକେଟ ଆଶାୟୀ ପ୍ରାର୍ଥୀଙ୍କ ଭାଗ୍ୟ ଆଜି ଦିଲ୍ଲୀରେ ଲେଖାଯିବ ବୋଲି କୁହାଯାଉଛି । କିଏ କଂଗ୍ରେସ ଟିକେଟ ପାଇବ, କେଉଁ ଲୋକସଭା ଓ ବିଧାନସଭା ଆସନରେ କିଏ ପ୍ରାର୍ଥୀ ହେବେ । କେଉଁ ଆସନରେ କଂଗ୍ରେସ ପ୍ରାର୍ଥୀ ଦେବ ଓ କେଉଁ ଆସନ ଇଣ୍ଡିଆ ମେଣ୍ଟର ସହଯୋଗୀ ଦଳକୁ ଛାଡିବ, ତାହା ଆଜିର ସ୍କ୍ରିନିଂ କମିଟି ବୈଠକରେ ଚୂଡାନ୍ତ ହେବ । ବୈଠକ ପରେ ପ୍ରତି ନିର୍ବାଚନମଣ୍ଡଳୀର ଚୂଡାନ୍ତ ନାମ ଏଆଇସିସିର କେନ୍ଦ୍ରୀୟ ନିର୍ବାଚନ କମିଟି ପାଖକୁ ପଠାଯିବ । ଏହି ତାଲିକା ପାଇବା ପରେ ଯେକୌଣସି ମୂହୁର୍ତରେ କଂଗ୍ରେସର ଦ୍ୱିତୀୟ ପ୍ରାର୍ଥୀ ତାଲିକା ଘୋଷଣା କରାଯିବା ସମ୍ଭାବନା ରହିଛି ।

Advertisment

ସେପଟେ ୨୦୨୪ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ତା’ର ପ୍ରଥମ ଲୋକସଭା ପ୍ରାର୍ଥୀ ତାଲିକା ଜାରି କରିଛି । ପ୍ରଥମ ତାଲିକାରେ ୮ଟି ରାଜ୍ୟର ୩୯ ଲୋକସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଇଛି । ଏଥର ମଧ୍ୟ କଂଗ୍ରେସ ନେତା ରାହୁଲ ଗାନ୍ଧୀ କେରଳର ୱାଏନାଡ ଆସନରୁ ନିର୍ବାଚନ ଲଢ଼ିବେ । ସେହିପରି ପୂର୍ବତନ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ରାଜନନ୍ଦଗାଁଓ ଲୋକସଭା ଆସନରୁ ପ୍ରାର୍ଥୀ ହେଇଛନ୍ତି । ବରିଷ୍ଠ କଂଗ୍ରେସ ନେତା ଡକ୍ଟର ଶଶୀ ଥରୁରଙ୍କୁ ଥିରୁବନନ୍ତପୁରମ ଆସନରୁ ଟିକେଟ୍ ଦିଆଯାଇଥିବା ବେଳେ ବେଙ୍ଗାଲୁରୁ ଗ୍ରାମାଞ୍ଚଳ ଆସନ ପାଇଁ ବରିଷ୍ଠ କଂଗ୍ରେସ ନେତା ଡି.କେ ସୁରେଶଙ୍କୁ ପ୍ରାର୍ଥୀ କରାଯାଇଛି ।

ତେବେ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ଓଡ଼ିଶାର ନାଁ ନାହିଁ । ପ୍ରଥମ ପ୍ରାର୍ଥୀ ତାଲିକାରେ କେରଳର ସର୍ବାଧିକ ୧୫ ଲୋକସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଇଛି । ସେହିପରି କର୍ଣ୍ଣାଟକର ୮ଟି ଆସନ, ଛତିଶଗଡ଼ର ୬ଟି ଆସନ, ତେଲେଙ୍ଗାନାର ୫ଟି ଆସନ, ମେଘାଳୟର ୨ଟି ଆସନ, ନାଗାଲାଣ୍ଡ, ସିକିମ ଓ ତ୍ରିପୁରାର ଗୋଟିଏ ଲେଖାଏଁ ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଇଛି ।