ଦିଲ୍ଲୀରେ ଓଡିଶା ପାଇଁ କଂଗ୍ରେସର ମାରାଥନ ବୈଠକ: ପ୍ରାର୍ଥୀଙ୍କ ନାମ ଉପରେ ମୋହର ମାରିବା ଆଗରୁ ଚାଲିଛି ବିଚାର ବିମର୍ଶ
ଶୀଘ୍ର ଆସିବ ଚୁଡାନ୍ତ ପ୍ରାର୍ଥୀ ତାଲିକା, ବାମ ଦଳକୁ ଆସ୍କା ଓ ଭୁବନେଶ୍ୱର ଆସନ ଛାଡିପାରେ କଂଗ୍ରେସ
କନକ ବ୍ୟୁରୋ: ଦିଲ୍ଲୀରେ ଓଡିଶା ପାଇଁ କଂଗ୍ରେସର ମାରାଥନ ବୈଠକ । ରାଜ୍ୟ କଂଗ୍ରେସ କମିଟି ପଠାଇଥିବା ଲୋକସଭା ଓ ବିଧାନସଭା ପ୍ରାର୍ଥୀ ତାଲିକା ଉପରେ ବୈଠକରେ ଆଲୋଚନା ହେଉଛି । ତାଲିକା ପ୍ରସ୍ତୁତ କରାଯାଇ ଅନୁମୋଦନ ପାଇଁ କଂଗ୍ରେସ ସଭାପତି ରାହୁଲ ଗାନ୍ଧିଙ୍କ ପାଖକୁ ପଠାଯିବ । ନିକଟରେ କେନ୍ଦ୍ରୀୟ ସ୍କ୍ରିନିଂ କମିଟି ଓ ପ୍ରଦେଶ ଇଲେକ୍ସନ କମିଟି ବୈଠକ ବସି ସମ୍ଭାବ୍ୟ ଆଶାୟୀ ତାଲିକା ଚୂଡାନ୍ତ ହୋଇ ଦିଲ୍ଲୀ ପଠାଯାଇଥିଲା । ଏହି ବୈଠକରେ ଓଡିଶା ପ୍ରଭାରୀ ଜିତେନ୍ଦ୍ର ସିଂହ, ସାମୟିକ ପ୍ରଭାରୀ ଟିଏସ ସିଂହଦେଓ, ପିସିସି ସଭାପତି ନିରଂଜନ ପଟ୍ଟନାୟକ, ବିରୋଧୀ ଦଳ ନେତା ନରସିଂହ ମିଶ୍ର, ବରିଷ୍ଠ ନେତା ପ୍ରଦୀପ ମାଝୀ ପ୍ରମୁଖ ଉପସ୍ଥିତ ଅଛନ୍ତି । ତେଣୁ ଖୁବ ଶୀଘ୍ର କଂଗ୍ରେସର ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ ବୋଲି ଆଶା କରାଯାଉଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ସୂଚନା ଅନୁସାରେ, ପ୍ରଥମ ପର୍ୟ୍ୟାୟର ନିର୍ବାଚନ ସାମ୍ନା କରୁଥିବା ନବରଙ୍ଗପୁର ଲୋକସଭା ଆସନ ପାଇଁ ପ୍ରଦେଶ କଂଗ୍ରେସ କମିଟିର କାର୍ୟ୍ୟକାରୀ ସଭାପତି ପ୍ରଦୀପ ମାଝୀ, କଳାହାଣ୍ଡି ଆସନରୁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭକ୍ତଚରଣ ଦାସ, କୋରାପୁଟ ଆସନରୁ ସପ୍ତଗିରି ଉଲାକାଙ୍କ ନାମ ଆପାତତଃ ଚୂଡ଼ାନ୍ତ ହୋଇଛି। ବ୍ରହ୍ମପୁର ଆସନରେ ଏକାଧିକ ପ୍ରାର୍ଥୀଙ୍କ ନାମ ଉପରେ ଆଲୋଚନା ଚାଲିଛି। ସିପିଆଇ ପାଇଁ ଆସ୍କା ଓ ସିପିଆଇ(ଏମ୍) ନିମନ୍ତେ ଭୁବନେଶ୍ବର ଲୋକସଭା ଆସନ ଛାଡ଼ିଦେବାକୁ ଆପାତତଃ ସ୍ଥିର ହୋଇଛି।
ଗତକାଲି ପୂର୍ବାହ୍ନ ୧୧ଟାରୁ ରାଜ୍ୟସଭା ସାଂସଦ ଡ. କେ.ଭି.ବି. ରାମଚନ୍ଦ୍ର ରାଉଙ୍କ ୧୦ ଲୋଧି ଇଷ୍ଟେଟ୍ ବାସଭବନରେ ଏହି ବୈଠକ ଆରମ୍ଭ ହୋଇଛି। ଏଥିରେ ଓଡ଼ିଶା ପାଇଁ ସ୍କ୍ରିନିଂ କମିଟି ଅଧ୍ୟକ୍ଷ ଭି.ଡି. ସାଥିସାନ୍, ଅନ୍ୟ ୨ଜଣ ସଦସ୍ୟ ଜିତିନ୍ ପ୍ରସାଦ ଓ ନୌସାଦ୍ ସୋଲାଙ୍କି, ଏଆଇସିସିର ଓଡ଼ିଶା ପ୍ରଭାରୀ ଜିତେନ୍ଦ୍ର ସିଂହ ଓ ଟି.ଏସ୍. ସିଂହଦେଓ, ୩ଜଣ ଏଆଇସିସି ସଂପାଦକ ଅନିଲ୍ଚୌଧୁରୀ, ସେକ୍ ମସ୍ତାନ୍ ଅଲ୍ଲୀ ଓ ରୁଦ୍ର ରାଜୁ, ଯୁଗ୍ମ ସଂପାଦକ ଆଦିତ୍ୟ ଶର୍ମା, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ବିରୋଧୀ ଦଳ ନେତା ନରସିଂହ ମିଶ୍ର, କାର୍ୟ୍ୟକାରୀ ସଭାପତି ପ୍ରଦୀପ ମାଝୀ ଓ ଚିରଞ୍ଜୀବ ବିଶ୍ବାଳ ପ୍ରମୁଖ ଯୋଗ ଦେଇଛନ୍ତି।
ବୈଠକ ମଝିରେ ପିସିସି ସଭାପତି ଶ୍ରୀ ପଟ୍ଟନାୟକ କହିଥିଲେ, ଏହି ବୈଠକ ବିଳମ୍ବିତ ରାତି ପର୍ୟ୍ୟନ୍ତ ଚାଲିବ। ଦିନେ ଦୁଇଦିନ ମଧ୍ୟରେ ସ୍କ୍ରିନିଂ କମିଟି ପ୍ରାର୍ଥୀମାନଙ୍କ ତାଲିକା ଚୂଡ଼ାନ୍ତ କରି କେନ୍ଦ୍ରୀୟ ନିର୍ବାଚନ କମିଟି(ସିଇସି)କୁ ପଠାଇବ। ବୈଠକରେ କିଛି ଆସନ ପାଇଁ ପ୍ରାର୍ଥୀମାନଙ୍କ ନାମ ଚୂଡ଼ାନ୍ତ ହୋଇଛି। ଅନ୍ୟ କିଛି ଆସନ ପାଇଁ ଆଲୋଚନା ଜାରି ରହିଛି। ତେବେ ସମସ୍ତ ପ୍ରାର୍ଥୀମାନଙ୍କ ତାଲିକା ଚୂଡ଼ାନ୍ତ ହେଲେ ସିଇସିକୁ ପଠାଯିବ। ନଚେତ୍ ସ୍କ୍ରିନିଂ କମିଟିରେ ଯେଉଁସବୁ ନାମଗୁଡ଼ିକୁ ଚୂଡ଼ାନ୍ତ କରାଯାଉଛି ସେସବୁକୁ ସିଇସିକୁ ଖୁବଶୀଘ୍ର ପଠାଇବା ପାଇଁ ପଦକ୍ଷେପ ନିଆଯିବ। ସିଇସି ବୈଠକ କେବେ ହେବ ସେ ନେଇ ତାରିଖ ଧାର୍ୟ୍ୟ ହୋଇନାହିଁ ବୋଲି ପିସିସି ସଭାପତି କହିଥିଲେ। ସେହିଭଳି ସୂଚନାନୁସାରେ, ସୁନ୍ଦରଗଡ଼ ଲୋକସଭା ଆସନ ପାଇଁ ଉଭୟ ଜର୍ଜ ତିର୍କୀ ଓ ଡା. ପ୍ରଫୁଲ୍ଲ ମାଝୀଙ୍କ ନାମ ପ୍ରାର୍ଥୀ ତାଲିକାରେ ରହିଛି। କଟକ ଆସନ ନିମନ୍ତେ ବିଜୟଲକ୍ଷ୍ମୀ ସାହୁ ଓ ପଞ୍ଚାନନ କାନୁନ୍ଗୋ, ଜଗତ୍ସିଂହପୁର ଆସନ ପାଇଁ ବିଭୁପ୍ରସାଦ ତରାଇ ଓ ପ୍ରଶାନ୍ତ ମଲ୍ଲିକ, ବ୍ରହ୍ମପୁର ଲୋକସଭା ଆସନ ନିମନ୍ତେ ସେଠାକାର ଜିଲ୍ଲା କଂଗ୍ରେସ ସଭାପତିଙ୍କ ନାମ ସହିତ ଅନ୍ୟ ଜଣେ ଆଶାୟୀଙ୍କ ନାମ ନେଇ କମିଟିରେ ଆଲୋଚନା ହୋଇଛି।