ମଧ୍ୟପ୍ରଦେଶରେ ନିର୍ବାଚନୀ ବିଗୁଲ ଫୁଙ୍କିଲେ କଂଗ୍ରେସ ଅଧ୍ୟକ୍ଷ ! ଭୋପାଳରେ ରାହୁଲଙ୍କ ବିଶାଳ ରୋଡ୍ ସୋ, ପୋଷ୍ଟରରେ ଶିବଭକ୍ତ ରାହୁଲ ଗାନ୍ଧୀ ।

57

କନକ ବ୍ୟୁରୋ : ମଧ୍ୟପ୍ରଦେଶରେ ବିଧାନସଭା ନିର୍ବାଚନୀ ମାହୋଲ ଭିତରେ ପ୍ରଥମ ଥର ପାଇଁ ରାଜଧାନୀ ଭୋପାଳରେ ରୋଡ ସୋ କରିଛନ୍ତି କଂଗ୍ରେସ ଅଧ୍ୟକ୍ଷ । ରାହୁଲଙ୍କ ଗସ୍ତ ପାଇଁ ଭୋପାଳରେ ଲଗାଯାଇଥିବା ପୋଷ୍ଟରରୁ ଏହା ସ୍ପଷ୍ଟ ହେଉଛି ଯେ ସେଠାରେ ହିନ୍ଦୁତ୍ୱକୁ ନେଇ ନିର୍ବାଚନ ଲଢିବ କଂଗ୍ରେସ । ଏହି ପୋଷ୍ଟର ଗୁଡିକରେ ରାହୁଲଙ୍କୁ ଜଣେ ଶିବଭକ୍ତ ଭାବେ ଦର୍ଶାଯାଇଥିବା ବେଳେ ସିନ୍ଦୁର ଓ ଚାଉଳରେ ଏହାକୁ ସଜା ଯାଇଛି ।

ଶିବ ଭକ୍ତ ରାହୁଲ ଗାନ୍ଧୀ । ସହର ସାରା ରାହୁଲଙ୍କ ଶିବଭକ୍ତିର ପୋଷ୍ଟର । ଗୁଜରାଟ ପରେ ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନରେ ହିନ୍ଦୁତ୍ୱ ପ୍ରସଙ୍ଗ ନେଇ ମଇଦାନକୁ ଓହ୍ଲାଇବାକୁ କଂଗ୍ରେସର ପ୍ରୟାସ । ଯାହା ଆଜି କଂଗ୍ରେସର ପୋଷ୍ଟର, ହୋର୍ଡିଂ ଓ ବ୍ୟାନରକୁ ଦେଖିଲେ ସ୍ପଷ୍ଟ ବାରି ହୋଇପଡୁଛି । ଭୋପାଳରେ ରାହୁଲ ଗାନ୍ଧୀଙ୍କ ରୋଡ ସୋ ଅବସରରେ ଲଗାଯାଇଥିବା ପୋଷ୍ଟର ଗୁଡିକରେ ରାହୁଲ ଗାନ୍ଧୀଙ୍କୁ ଜଣେ ଶିବ ଭକ୍ତ ବୋଲି ଦର୍ଶାଯାଇଛି । ଏହି ପୋଷ୍ଟର ଶିବଲିଙ୍ଗରେ ରାହୁଲ ପାଣି ଢାଳୁଥିବା ବେଳେ ପଛପଟରେ କୈଳାଶ ମାନସରୋବରର ଦୃଶ୍ୟ ଶୋଭା ପାଉଛି । କେବଳ ଏତିକି ନୁହେଁ କଂଗ୍ରେସର ସଂକଳ୍ପ ଯାତ୍ରା ଲେଖାଥିବା ପୋଷ୍ଟରକୁ ସିନ୍ଦୁର ଓ ଚାଉଳ ଦେଇ ସଜା ଯାଇଛି । ବିମାନବନ୍ଦରରୁ ଦଶହରା ପଡିଆ ପର୍ଯ୍ୟନ୍ତ ପ୍ରାୟ ୧୩ କିଲୋମିଟର ରାସ୍ତାର ଉଭୟ ପାଶ୍ୱର୍ରେ ଏହି ପୋଷ୍ଟର ଦେଖିବାକୁ ମିଳିଛି । ଏହା ସହ ରୋଡ ସୋ ଜରିଆରେ କର୍ମୀଙ୍କୁ ଉଦବୋଧନ ଦେଇଛନ୍ତି ରାହୁଲ ଗାନ୍ଧୀ ।

ଆଜି ରୋଡ ସୋ ଆରମ୍ଭ ପୂର୍ବରୁ ପୂଜାର୍ଚ୍ଚନା କରି କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ ରାହୁଲ ଗାନ୍ଧୀ । ତେବେ ଆଜିର କଂଗ୍ରେସ କାର୍ଯ୍ୟକ୍ରମରେ ରାହୁଲଙ୍କୁ ଜଣେ ଶିବଭକ୍ତ ବୋଲି ଦର୍ଶାଇବାକୁ ନେଇ ଏହାର ସମାଲୋଚନା କରିଛି ବିଜେପି । କଂଗ୍ରେସ ରାଜନୀତିରେ ଛଳନା କରୁଛି ବୋଲି କହିଛନ୍ତି କେନ୍ଦ୍ର ମନ୍ତ୍ରୀ ମୁଖତାର ଅବାସ ନକଭି । ଏବଂ ଯେଉଁ ଟୋପି, ତିଲକ କରି ଶାସନ ଡୋର କଂଗ୍ରେସ ହାତକୁ ନେବାକୁ ଚାହୁଁଛି ସେଥିରେ କେବେବି ରାହୁଲଙ୍କୁ ସଫଳତା ମିଳିବନି ବୋଲି ବିଜେପି କହିଛି । ମଧ୍ୟପ୍ରଦେଶରେ ମୁସଲିମ ସମ୍ପ୍ରଦାୟଙ୍କ ସଂଖ୍ୟା ଅଧିକ ନୁହଁ । ଏପରି ସ୍ଥିତିରେ ମତଦାତାଙ୍କୁ ଆକୃଷ୍ଟ କରିବା ପାଇଁ କଂଗ୍ରେସ ହିନ୍ଦୁତ୍ୱ କାର୍ଡର ସାହାର ନେଇଛି । ଗତ କିଛି ଦିନ ତଳେ କଂଗ୍ରେସ ଦଳର ଡିଏନଏ ହିଁ ବ୍ରାହ୍ମଣ ବୋଲି କହିଥିଲେ କଂଗ୍ରେସ ମୁଖପାତ୍ର ରଣଦୀପ ସୁର୍ଜେୱାଲା । ତାଙ୍କ ଏହି ବୟାନ ସବର୍ଣ୍ଣଙ୍କୁ ଆକୃଷ୍ଟ କରିବା ପାଇଁ କୁହାଯାଇଥିଲା ବୋଲି ଚର୍ଚ୍ଚା ହୋଇଥିଲା ।