କଂଗ୍ରେସ କରିବ ବାହାଘର: ବିଜେଡି-ବିଜେପି ଭିତରେ ପକାଇବ ହାତଗଣ୍ଠି!

247

କନକ ବ୍ୟୁରୋ: ଅନେକ ପ୍ରସଙ୍ଗରେ ବିଜେଡି-ବିଜେପି ନେତା ପରସ୍ପର ବିରୋଧରେ ବୟାନ ଦେଉଛନ୍ତି । ବିଭିନ୍ନ ପ୍ରସଙ୍ଗରେ ଦୁଇ ଦଳର ନେତା ପରସ୍ପରକୁ ସମାଲୋଚନା କରୁଛନ୍ତି, ତଥାପି ଉଭୟ ଦଳ ମଧ୍ୟରେ ଭିତିରି ବୁଝାମଣା ଥିବା ଆଲୋଚନା ହେଉଛି । ଏଭଳି ସ୍ଥିତିରେ ବିଜେଡି-ବିଜେପି ଏକାଠି ଅଛନ୍ତି ବୋଲି ବାର୍ତା ନେଇ ଲୋକଙ୍କ ପାଖକୁ ଯିବାକୁ ଯୋଜନା କରୁଛି ବିରୋଧୀ କଂଗ୍ରେସ ।

କଥାଟି ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଛି । କିନ୍ତୁ ବିଜେଡି-ବିଜେପି ମଧ୍ୟରେ ଭିତିରି ସମ୍ପର୍କ ଥିବା ଚର୍ଚ୍ଚା ଭିତରେ କଟାକ୍ଷ କରି, ଏମିତି ଏକ ନିଆରା ରଣନୀତି ଆପଣାଇବାକୁ ଯୋଜନା କରିଛି କଂଗ୍ରେସ । ଏଥିପାଇଁ ପ୍ରସ୍ତୁତି ବି ଆରମ୍ଭ ହୋଇଗଲାଣି । ଯୋଜନା ଅନୁସାରେ ଖୁବ୍ ଶୀଘ୍ର କଂଗ୍ରେସ ଭବନରେ ପ୍ରତୀକାତ୍ମକ ଭାବେ ଧୂମଧାମରେ ବିଜେଡି ଓ ବିଜେପିର ବାହାଘର ହେବ । ଏଥିରେ ବିଜେଡି ବର ହେବ ଓ ବିଜେପି କନିଆ ହେବ । ସାହାନାଇ ବାଜିବ । ଜନତା ସାଜିବେ ଅତିଥି । ଭୋଜିଭାତର ବି ଆୟୋଜନ ହେବ । ଏବେ କେବଳ ଅପେକ୍ଷା ତିଥିକୁ । ବ୍ରାହ୍ମଣ ତିଥି ଓ ସମୟ ଧାର୍ଯ୍ୟ କଲେ ବାହାଘର ହେବ ।

୨୦୧୯ ପରଠାରୁ ରାଜ୍ୟରେ କ୍ଷମତାରେ ଥିବା ବିଜେଡି କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଲକୁ ସମର୍ଥନ କରି ଆସିଛି । ଯେତେବେଳେ ବିରୋଧୀ କେନ୍ଦ୍ର ସରକାରକୁ ଅଡୁଆରେ ପକାଇବାର ଆଶଙ୍କା ସୃଷ୍ଟି ହୋଇଛି, ସେତେବେଳେ ବିଜେଡି, ପାଖରେ ଛିଡା ହୋଇଛି । କେବଳ ଏତିକି ଉଭୟ ଦଳର ନେତା ପରସ୍ପରକୁ ପ୍ରଶଂସା କରିଛନ୍ତି । ଯାହାକୁ ନେଇ ଦୁଇ ଦଳର ନେତା, କର୍ମୀଙ୍କଠାରୁ ଆରମ୍ଭ କରି ଜନତା, ସମସ୍ତେ ଦ୍ୱନ୍ଦ୍ୱରେ ପଡିଛନ୍ତି । ଆଉ ଏହାକୁ ନେଇ ବିରୋଧୀ କଂଗ୍ରେସ ବିଜେଡି-ବିଜେପିକୁ ଘେରି ଆସିଛି । ଦୁଇ ଦଳ ମଧ୍ୟରେ ଭିତିରି ବୁଝାମଣା ଥିବା ଅଭିଯୋଗ କରି ଆସିଛି । ହେଲେ, କଂଗ୍ରେସର ଅଭିଯୋଗକୁ ବିଜେଡି- ବିଜେପି ଖଣ୍ଡନ କରିଛନ୍ତି । ଏହା ଭିତିହୀନ ବୋଲି କହିଛନ୍ତି । ତେବେ କଂଗ୍ରେସର ଏହି ରଣନୀତିକୁ ଲୋକେ କେମିତି ଗ୍ରହଣ କରିବେ, ତାହା ଆଗାମି ଦିନରେ ସ୍ପଷ୍ଟ ହେବ ।