ପ୍ରତ୍ୟେକ ପରିବାରକୁ ନିଶ୍ଚିତ ନିଯୁକ୍ତି ସହ ମାସିକ ମିଳିବ ୩ ହଜାର ଟଙ୍କା ! ଇସ୍ତାହାର ପ୍ରକାଶ କରି ୧୯ଟି ପ୍ରମୁଖ ପ୍ରତିଶ୍ରୁତି ଦେଲା କଂଗ୍ରେସ

350

କନକ ବ୍ୟୁରୋ: କ୍ଷମତାକୁ ଆସିଲେ ରାଜ୍ୟ କଂଗ୍ରେସ ବେକାରଙ୍କୁ ମାସିକ ୩ ହଜାର ଟଙ୍କାର ବେକାରୀ ଭତ୍ତା  ଦେବ ।  ଆଜି ଏହି ଘୋଷଣା କରିଛି କଂଗ୍ରେସ । ଆଜି ଭୁବେଶ୍ୱରରେ  ଇସ୍ତାହାର ପ୍ରକାଶ କରି ଏହି ଘୋଷଣା କରିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ  । କଂଗ୍ରେସର ଏହି ଇସ୍ତାହର ପତ୍ରର ନାଁ ରହିଛି ‘ଆସିବ କଂଗ୍ରେସ ହସିବ ଓଡିଶା’ । ତେବେ କଂଗ୍ରେସର ଇସ୍ତାହାରରେ ଚାଷୀ, ମହିଳା , ଯୁବକ, ଆଦିବାସୀ ଦଳିତ ଏବଂ ବେରୋଜଗାରୀଙ୍କୁ ଗୁରୁତ୍ୱ ଦିଆଯାଇଛି। ଏହାଛଡା ଇସ୍ତାହରରେ ୧୯ଟି ପ୍ରମୁଖ ପ୍ରତିଶ୍ରୃତି ଦିଆଯାଇଛି ।

• ଏଥିମଧ୍ୟରେ ରହିଛି  ‘ନ୍ୟାୟ’ ଯୋଜନାରେ  ପ୍ରତି ଗରିବ ପରିବାରଙ୍କୁ ମାସିକ ୬ ହଜାର ଟଙ୍କାର ସହାୟତା । ଯଦି ଓଡିଶାରେ କଂଗ୍ରେସ ସରକାର ଗଢେ ତେବେ  ଗରିବ ଲୋକଙ୍କ ମାସିକ ୬ ହଜାର ଟଙ୍କା ଲେଖାଏଁ ଆୟର ଗ୍ୟାରେଂଟି ଦିଆଯିବ । ଆଉ ଏହି ଟଙ୍କା ଗରିବ ପରିବାରର ମହିଳାଙ୍କ ଖାତାରେ ଜମା କରିବ ଦଳ ।

• ସେହିପରି ପ୍ରତି ପରିବାରକୁ ସରକାରୀ ହେଉ ଅବା ବେସରକାରୀ ହେଉ, ଯୁବକମାନଙ୍କ ନିଯୁକ୍ତି ଦିଆଯିବ ।

• ଚାକିରି ଆରମ୍ଭର ବୟସ ସୀମାକୁ ମଧ୍ୟ ବୃଦ୍ଧି କରାଯିବ ।

• ଯେପର୍ଯ୍ୟନ୍ତ ସେ ଚାକିରି ପାଇନାହାଁନ୍ତି, ଯୁବକମାନଙ୍କୁ ମାସିକ ୩ ହଜାର ଟଙ୍କା ବେକାରୀ ଭତ୍ତା ଦିଆଯିବ ।

• ଠିକା କର୍ମଚାରୀଙ୍କୁ  ନିୟମିତ କରାଯିବ ।

• ୨୦୨୪ ସୁଦ୍ଧା ସମସ୍ତଙ୍କୁ ଘର ଓ ଭୂମି ଦେବାକୁ ବି ପ୍ରତିଶ୍ରୃତି ଦେଇଛି କଂଗ୍ରେସ  ।

• ମହିଳା ସଶକ୍ତିକରଣ ପାଇଁ  ପାର୍ଲାମେଂଟ, ବିଧାନସଭା ଓ ସମସ୍ତ ସରକାରୀ  ଚାକିରୀରେ ୩୩ ପ୍ରତିଶତ ସଂରକ୍ଷଣ  ପାଇଁ ଇସ୍ତାହାରରେ କହିଛି କଂଗ୍ରେସ ।

• ସେହିଭଳି  ୬ ମାସ ଭିତରେ ଚିଟଫଣ୍ଡ ଜମାକାରୀଙ୍କୁ ସେମାନଙ୍କ ଟଙ୍କା ଫେରାଯିବ ।

• ମନରେଗାକୁ  ୧୫୦  ଦିନ ବଢାଯିବ ।

• ୨୦୨୪ ସୁଦ୍ଧା ସମସ୍ତ ଗାଁ ଓ ସହରାଂଚଳ ବାସିନ୍ଦାଙ୍କୁ ପିଇବା ପାଣି ଦିଆଯିବ ।

• ଅଙ୍ଗନୱାଡି କର୍ମୀଙ୍କୁ  ମାସିକ ୯ ହଜାର ଟଙ୍କାର ମାସିକ ଦରମା ବଢାଇବାକୁ ବି ପ୍ରତିଶ୍ରୃତି ଦେଇଛି କଂଗ୍ରେସ ।

• ମହିଳାଙ୍କୁ ମାଗଣ ଶିକ୍ଷା ଓ ଗରିବ ପରିବାରକୁ ବିବାହ ପାଇଁ ଆର୍ଥିକ ସହାୟତା ଦେବାକୁ ବି କଂଗ୍ରେସ ପ୍ରତିଶ୍ରୃତି ଦେଇଛି । ସେହିଭଳି ଦ୍ୱାଦଶ ଯାଏଁ ମହିଳାମାନଙ୍କୁ ମାଗଣା ଶିକ୍ଷା। ମହିଳାମାନଙ୍କ ବୈଷୟିକ ଶିକ୍ଷା ପାଇଁ ସରକାରୀ କଲେଜରେ ମାଗଣା ଶିକ୍ଷାଦାନ। ବାହାଘର ସମୟରେ ମହିଳାଙ୍କୁ ଆର୍ଥିକ ସହାୟତା ମିଳିବ। ମହିଳାମାନଙ୍କ ନାମରେ ଥିବା ସମସ୍ତ ମାମଲା ପ୍ରତ୍ୟାହାର କରି ନିଆଯିବ।

• ଚାଷୀମାନଙ୍କ ପାଇଁ କଂଗ୍ରେସ ଇସ୍ତାହାରରେ ରହିଛି କି,  ଯଦି କଂଗ୍ରେସ ସରକାର ଗଢେ ତେବେ ଚାଷୀଙ୍କ ଋଣ ଛାଡ କରାଯିବ । ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଛାଡ କରାଯିବ । ଚାଷ ପାଇଁ ବ୍ୟବହୃତ ବିଦ୍ୟୁତକୁ ଛାଡ କରାଯିବ । ଯେଉଁଠି ମହିଳା ଚାଷୀ ଥିବେ ତାଙ୍କୁ ମାଗଣାରେ ଦିଆଯିବ ।

• ଯେଉଁ ଚାଷୀମାନେ ଋଣ ଫେରାଇ ଦେଇଛନ୍ତି, ସେମାନଙ୍କର ଟଙ୍କା ଫେରସ୍ତ କରିଦିଆଯିବ । ଏହାବ୍ୟତୀତ ସୋଲାର ପମ୍ପ ଚାଷୀ ମାନଙ୍କୁ ଦିଆଯିବ ।

• ବାର୍ଦ୍ଧକ୍ୟ ପେନ୍‌ସନ୍‌ ୧୫୦୦ ଟଙ୍କା ଦିଆଯିବ। ବିଧବା ଓ ଅସହାୟ ପେନ୍‌ସନ୍‌ ରାଶି ୨୦୦୦ ଟଙ୍କା କରାଯିବ। ୭୦ ବର୍ଷରୁ ଅଧିକ ବୟସ୍କ ନାଗରିକଙ୍କୁ ମଧ୍ୟ ୨୦୦୦ ଟଙ୍କା ବାର୍ଦ୍ଧକ୍ୟ ଭତ୍ତା ମିଳିବ।

• ଏହାଛଡା ୩ ବର୍ଷ ପାଇଁ ବାର୍ଷିକ ୧୦ ହଜାର ଟଙ୍କା ଲେଖାଏଁ ବର୍ଷକୁ ଅନ୍ୟାନ୍ୟ ଚାଷ କାମ କରିବା ପାଇଁ ଆର୍ଥିକ ସହାୟତା ଦିଆଯିବ ।

• ଧାନର ଏମଏସପି ମୂଳ ତଥା ୨ହଜାର ୬୦୦ଟଙ୍କାରେ ଚାଷୀମାନଙ୍କଠାରୁ କିଣିଯିବ । ମୀନାଥମ କମିଟିକୁ ଦଳ ଗ୍ରହଣ କରିବ । ଏବଂ ଧାନ ବ୍ୟତୀତ ଅନ୍ୟାନ୍ୟ କୃଷିଜାତ ଦ୍ରବ୍ୟକୁ ଗୁରୁତ୍ୱ ଦେବୁ ।

• ସ୍ୱାମୀନାଥମ କମିଟିକୁ ଦଳ ଗ୍ରହଣ କରିବ । ଏବଂ ଧାନ ବ୍ୟତୀତ ଅନ୍ୟାନ୍ୟ କୃଷିଜାତ ଦ୍ରବ୍ୟକୁ ଗୁରୁତ୍ୱ ଦେବୁ ।

• ସମସ୍ତ ପ୍ରାଥମିକ ଓ ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରରେ ସବୁ ପ୍ରକର ନିଦାନ, ଅସ୍ତ୍ରୋପଚାର ଆଦି ମାଗଣାରେ କରାଯିବ।