ନିମନ୍ତ୍ରଣ ସତ୍ୱେ ଅଯୋଧ୍ୟା ଯିବେନି ଖଡଗେ ଓ ସୋନିଆ । ରାମ ଲଲାଙ୍କ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମରେ ସାମିଲ ହେବନି କଂଗ୍ରେସ

131

କନକ ବ୍ୟୁରୋ : ଜାନୁଆରୀ ୨୨ ଅଯୋଧ୍ୟା ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମରେ ସାମିଲ ହେବନି କଂଗ୍ରେସ । କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ, ସଂସଦୀୟ ଦଳ ସଭାପତି ସୋନିଆ ଗାନ୍ଧୀ, ଲୋକସଭାରେ କଂଗ୍ରେସ ଦଳର ନେତା ଅଧିର ରଞ୍ଜନ ଚୌଧୁରୀଙ୍କ ସମେତ କୌଣସି ବି ନେତା ଏହି କାର୍ଯ୍ୟକ୍ରମରେ ଯୋଗ ଦେବେନାହିଁ । କଂଗ୍ରେସ ପକ୍ଷରୁ ଏନେଇ ଏକ ବିବୃତି ଜାରି କରାଯାଇଛି । ବିବୃତିରେ କୁହାଯାଇଛି ଯେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଇଁ ଆମ ଦଳକୁ ନିମନ୍ତ୍ରଣ ମିଳିଛି, ଏହି ନିମନ୍ତ୍ରଣକୁ ଆମେ ସମ୍ମାନର ସହ ଅସ୍ୱୀକାର କରୁଛୁ । ଧର୍ମ ଏକ ବ୍ୟକ୍ତିଗତ ବିଷୟ ହୋଇଥିବା ବେଳେ ଆରଏସଏସ ଓ ବିଜେପି ଏହାକୁ ନିର୍ବାଚନର ଅସ୍ତ୍ର ଭାବେ ବ୍ୟବହାର କରୁଥିବା କଂଗ୍ରେସ କହିଛି । ଆଗକୁ ଲୋକସଭା ନିର୍ବାଚନ ଆସୁଥିବା ବେଳେ ବିଜେପି ତରବରିଆ ଭାବେ ଅଧା ନିର୍ମାଣ ହୋଇଥିବା ମନ୍ଦିରକୁ ଉଦଘାଟନ କରୁଛି । ୨୦୧୯ରେ ରାମ ମନ୍ଦିରକୁ ନେଇ ସୁପ୍ରିମକୋର୍ଟଙ୍କ ରାୟକୁ କଂଗ୍ରେସ ସମ୍ମାନ ଜଣାଇବା ସହ ନିମନ୍ତ୍ରଣକୁ ଅସ୍ୱୀକାର କରୁଛୁ ବୋଲି କଂଗ୍ରେସ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି । ସେପଟେ ଏନେଇ କଂଗ୍ରେସକୁ ଟାର୍ଗେଟ କରିଛି ବିଜେପି, ବିନାଶ କାଳେ ଏହା କଂଗ୍ରେସର ବୀପରିତ ବୁଦ୍ଧି ବୋଲି କହିଛି ଦଳ ।