ହିମାଚଳପ୍ରଦେଶର ମନ୍ତ୍ରୀ ଚଣ୍ଡିଗଡରେ । ହୋଟେଲରେ ୬ ବିଦ୍ରୋହୀ ବିଧାୟକଙ୍କୁ ଭେଟିଲେ, ପୁଣି ଆରମ୍ଭ ହେଲା ଚର୍ଚ୍ଚା ।

121

କନକ ବ୍ୟୁରୋ : ହିମାଚଳପ୍ରଦେଶରେ ପୁଣିଥରେ ରାଜନୈତିକ ହଲଚଲ ଦେଖିବାକୁ ମିଳିଛି । ଗତକାଲି କଂଗ୍ରେସ ପର୍ଯ୍ୟବେକ୍ଷକଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଥିଲା ଯେ, ସୁଖବିନ୍ଦର ସିଂ ସୁଖୁ ହିଁ ମୁଖ୍ୟମନ୍ତ୍ରୀ ରହିବେ । ସେହିଭଳି ଗତକାଲି ୬ ଜଣ ବିଦ୍ରୋହୀ ବିଧାୟକଙ୍କୁ ଅଯୋଗ୍ୟ ଘୋଷିତ କରିଥିଲେ ବାଚସ୍ପତି । ତେବେ ସୁଖୁ ସରକାର ଉପରୁ ସଙ୍କଟ ଟଳିବା ପରେ ଏବେ ହିମାଚଳପ୍ରଦେଶର ଜଣେ ମନ୍ତ୍ରୀ ୬ ବିଦ୍ରୋହୀ ବିଧାୟକଙ୍କୁ ଭେଟିବାକୁ ହୋଟେଲରେ ପହଞ୍ଚିଛନ୍ତି । ଯାହାକୁ ନେଇ ପୁଣିଥରେ ହିମାଚଳପ୍ରଦେଶ ରାଜନୀତିରେ ହଟଚମଟ ସୃଷ୍ଟି ହୋଇଛି ।

ମିଳିଥିବା ସୂଚନା ମୁତାବକ, ସୁଖୁ ସରକାରଙ୍କ କ୍ୟାବିନେଟ ମନ୍ତ୍ରୀ ୬ ବିଦ୍ରୋହୀ ବିଧାୟକଙ୍କୁ ଚଣ୍ଡିଗଡର ଏକ ହୋଟେଲରେ ଭେଟିଛନ୍ତି । ତେବେ ବିଦ୍ରୋହୀ ବିଧାୟକଙ୍କ ସହ କଣ ଆଲୋଚନା ହେଲା ତାହା ସ୍ପଷ୍ଟ ହୋଇନାହିଁ । ତେବେ ମନ୍ତ୍ରୀଙ୍କ ସହ ଦୁଇ ଜଣ କଂଗ୍ରେସ ବିଧାୟକ ମଧ୍ୟ ଉପସ୍ଥିତ ଥିଲେ । ଯାହା ପୂରା ଘଟଣାକୁ ରୋଚକ କରିଛି ।

ଏହାପୂର୍ବରୁ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁ ଗୁରୁବାର ସାମ୍ବାଦିକ ସମ୍ମିଳନୀରେ ସଂକେତ ଦେଇଥିଲେ ଯେ, ବିଦ୍ରୋହୀ ବିଧାୟକ ପୁଣିଥରେ ଦଳକୁ ଫେରିପାରିବେ । ମୁଖ୍ୟମନ୍ତ୍ରୀ କହିଥିଲେ, ବିଦ୍ରୋହୀଙ୍କୁ କ୍ଷମା ଦିଆଯାଇପାରିବ । କାରଣ ସମସ୍ତେ ମୋର ସାନ ଓ ବଡ ଭାଇ ଭଳି । ବିଦ୍ରୋହୀ ବିଧାୟକଙ୍କ ପରିବାର ଲୋକ ମୋତେ ମିଳିବାକୁ ଆସିଥିଲେ । ତେବେ ମୁଖ୍ୟମନ୍ତ୍ରୀଙ୍କ କଥା ଶେଷ ହେବା ପୂର୍ବରୁ ଏଥିରେ ପୂର୍ଣ୍ଣଚ୍ଛେଦ ପକାଇଥିଲେ ଡିକେ ଶିବକୁମାର ।

ସେହିଭଳି ହିମାଚଳର କଂଗ୍ରେସ ଅଧ୍ୟକ୍ଷ ପ୍ରତିଭା ସିଂ କହିଥିଲେ ଅତି ତରବରିଆ ଭାବେ ନିଷ୍ପତ୍ତି ନିଆଯାଇଛି । ୬ ବିଦ୍ରୋହୀ ବିଧାୟକଙ୍କୁ ଅଯୋଗ୍ୟ ଘୋଷିତ କରିବା ଦ୍ୱାରା ଲୋକସଭା ନିର୍ବାଚନ ଉପରେ ଏହାର ପ୍ରଭାବ ପଡିବ । ଯେତେବେଳେ ବିଧାୟକ ହେବାର ଗୋଟିଏ ବର୍ଷ ବିତିଗଲାଣି ଏବଂ ଆପଣଙ୍କ କଥା ଶୁଣାଯିବନି ସେତେବେଳେ ଯେ କେହି ବି ଅସନ୍ତୁଷ୍ଟ ହେବା ସ୍ୱାଭାବିକ । ଯଦି ସେମାନଙ୍କ ସହ ପୂର୍ବରୁ ଆଲୋଚନା କରିଥାନ୍ତେ ତେବେ ଆଜି ଏଭଳି ସ୍ଥିତି ଉପୁଜିନଥାନ୍ତା । ଏଭଳି କହି ବିଦ୍ରୋହୀ ବିଧାୟକଙ୍କୁ ସମର୍ଥନ କରିଥିଲେ ପ୍ରତିଭା ସିଂ ।