ଗେହଲଟଙ୍କ ନଜରରେ ପାଇଲଟ ‘ଗଦ୍ଦାର’, କଂଗ୍ରେସ କହିଲା…

146

କନକ ବ୍ୟୁରୋ : ବଢୁଛି ସଚିନ ପାଇଲଟ ଓ ଅଶୋକ ଗେହଲଟ ବିବାବ । ନିର୍ବାଚନ ଯେତିକି ପାଖେଇ ଆସୁଛି ରାଜସ୍ଥାନର କଂଗ୍ରେସର ଏହି ଦୁଇ ପ୍ରମୁଖ ନେତାଙ୍କ ମଧ୍ୟରେ ବିବାବ ବଢିବାରେ ଲାଗିଛି । ଦଳର ହାଇକମାଣ୍ଡ ବହୁବାର ଉଭୟଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ ବି ବିବାଦ କମିବା ପରିବର୍ତ୍ତେ ଆହୁରି ବଢିବାରେ ଲାଗିଛି । ସଚିନ ପାଇଲଟଙ୍କୁ ରାଜସ୍ଥାନର ମୁଖ୍ୟମନ୍ତ୍ରୀ କରିବା ଉପରେ ଗତକାଲି କଡା ମନ୍ତବ୍ୟ ଦେଇଥିଲେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ । ପାଇଲଟଙ୍କୁ ଗର୍ଦ୍ଦାର କହିବା ସହ ତାଙ୍କୁ ଦଳ କେବେବି ମୁଖ୍ୟମନ୍ତ୍ରୀ କରିବ ନାହିଁ ବୋଲି କହିଥିଲେ ଗେହଲଟ ।

ଆଉ ଏସବୁ ଭିତରେ କଂଗ୍ରେସ ରାଜସ୍ଥାନ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ବ୍ୟବହୃତ କିଛି ଶବ୍ଦକୁ ଅପ୍ରତ୍ୟାଶିତ ଓ ଆଶ୍ଚର୍ଯ୍ୟଜନକ କହିଛି । କଂଗ୍ରେସ ନେତା ଜୟରାମ ରମେଶ କହିଛନ୍ତି, ସାକ୍ଷାତକାର ସମୟରେ ବ୍ୟବହାର ହୋଇଥିବା କିଛି ଶବ୍ଦ ଅପ୍ରତ୍ୟାଶିତ ଥିଲା । ଆମେ ଗୋଟିଏ ପରିବାରର । କଂଗ୍ରେସକୁ ଉଭୟ ଗେହଲଟ ଓ ପାଇଲଟଙ୍କର ଆବଶ୍ୟକତା ରହିଛି । ଉଭୟଙ୍କ ମଧ୍ୟରେ କିଛି ମତଭେଦ ରହିଛି ଯାହାକୁ ତୁରନ୍ତ ସମାଧାନ କରାଯିବ । ଆମ ଦଳରେ ଭୟଭୀତ ହେବା ଭଳି କୌଣସି ମାହୋଲ ନାହିଁ କାରଣ ଆମର ଶୀର୍ଷ ନେତୃତ୍ୱ ଏକଛତ୍ରବାଦୀ ନୁହଁନ୍ତି । ଆମ ଦଳର ନୀତି ସ୍ପଷ୍ଟ, ପ୍ରଥମେ ସଙ୍ଗଠନ ପରେ ବ୍ୟକ୍ତି ।

ଆଉ ଗେହଲଟଙ୍କ ଏହି ବୟାନ ପରେ ଜବାବ ଉପରେ ଜବାବ ରଖି ପାଇଲଟ କହିଥିଲେ, ଏହା ସମ୍ପୂର୍ଣ୍ଣ ଭିତିହୀନ ଏବଂ ମିଛ ବୟାନ । ଯାହାର କୌଣସି ଆବଶ୍ୟକତା ନାହିଁ । ରାଜସ୍ଥାନର ଶାସନକୁ ନେଇ ପାଇଲଟ କହିଛନ୍ତି, ଅଶୋକ ଗେହଲଟଙ୍କ ନେତୃତ୍ୱରେ କଂଗ୍ରେସ ଦୁଇ ଥର ରାଜସ୍ଥାନରେ ସରକାର ଗଠନ କରିଥିଲା । ହେଲେ ପରେ ଦୁଇ ଥର ନିର୍ବାଚନ ହାରିଯାଇଥିଲ । ପରେ ଦଳର ହାଇକମାଣ୍ଡ ତାଙ୍କୁ ରାଜସ୍ଥାନର ଦାୟିତ୍ୱ ଦେଇଥିଲେ ଆଉ ରାଜସ୍ଥାନରେ ପୁଣି କଂଗ୍ରେସ ସରକାର ଗଠନ କରିଥିଲା । ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଚାଲିଥିବା ଭାରତଯୋଡ ଯାତ୍ରା ରାଜସ୍ଥାନରେ ଖୁବଶୀଘ୍ର ପହଞ୍ଚିବାର ଥିବା ବେଳେ ଦୁଇ ନେତାଙ୍କ ମଧ୍ୟରେ ଏଭଳି ବିବାଦ ଜାତୀୟ ନେତୃତ୍ୱଙ୍କୁ ଚିନ୍ତାରେ ପକାଇଦେଇଛି । ଆସନ୍ତା ବର୍ଷ ରାଜସ୍ଥାନରେ ନିର୍ବାଚନ ହେବାକୁ ଥିବା ବେଳେ ଦଳ କାହାକୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରିବ ତାକୁ ନେଇ ଦ୍ୱନ୍ଦ୍ୱ ଉପୁଜିଛି ।