କୁନ୍ଦୁଲିକୁ ବାହାନା କରି ସଗରିଆ ଖସିଗଲେ !

154

କନକ ବ୍ୟୁରୋ : କଂଗ୍ରେସ ବିଧାୟକ କୃଷ୍ଣ ଶଗରିଆ ବିଧାୟକ ପଦରୁ ଇସ୍ତଫା ଦେବା କଥା ଘୋଷଣା କରିବା ପରେ ଦଳୀୟ ରାଜନୀତି ସରଗରମ ହୋଇଛି । କୃଷ୍ଣଙ୍କ ଘୋଷଣାକୁ ନେଇ ପିସିସିର ନେତାମାନେ ଭିନ୍ନ ଭିନ୍ନ ମତ ପୋଷଣ କରିଛନ୍ତି । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ବିଧାନସଭାର କାର୍ଯ୍ୟକାଳ ଆଉ ଚାରି ମାସ ବାକି ଥିବାବେଳେ କୃଷ୍ଣଙ୍କ ଇସ୍ତଫାର କିଛି ମୂଲ୍ୟ ନାହିଁ । ସେ ଇସ୍ତଫା ଦେବାର ଯଥାର୍ଥତା ଅଛି । ସେ ବିବେକକୁ ପଚାରି କାର୍ଯ୍ୟ କରିଛନ୍ତି । କଂଗ୍ରେସ କିଛି କରିନି କହିବା ଠିକ୍ ନୁହେଁ ବୋଲି ନିରଞ୍ଜନ କହିଛନ୍ତି ।

ପିସିସି ଉପସଭାପତି ଅନନ୍ତ ସେଠୀ କହିଛନ୍ତି ଯଦି ଇସ୍ତଫା ଦେବାର ଥିଲା ତେବେ ପୂର୍ବରୁ ଦେଇଥିଲେ ଉପନିର୍ବାଚନ ହୋଇଥାନ୍ତା । ଏବେ ଦେବାର ମୂଲ୍ୟ କିଛି ନାହିଁ । ଏବଂ ଇସ୍ତଫା କୌଣସି ସମସ୍ୟା ସମାଧାନର ବାଟ ନୁହେଁ । କୁନ୍ଦୁଲି କେବଳ ବାହାନା, ସଗରିଆଙ୍କ ଉଦ୍ଦେଶ୍ୟ ଭିନ୍ନ । ତାଙ୍କ ଇସ୍ତଫାର କାରଣ ଗ୍ରହଣୀୟ ନୁହେଁ । କୁନ୍ଦୁଲି ଲଢେଇ ତାଙ୍କର ନିଜସ୍ୱ କହିବା କେତେ ଦୂର ସତ, ତାହା ଲୋକେ ବିଚାର କରିବେ । ଏହି ଲଢେଇକୁ କଂଗ୍ରେସ ଦଳ ଜୋରଦାର କରିଥିଲା ବୋଲି ପିସିସି ଉପସଭାପତି ଅନନ୍ତ ସେଠୀ କହିଛନ୍ତି ।

ସେହିପରି ବିଭୁ କିଶୋର ତରାଇ କହିଛନ୍ତି କୁନ୍ଦୁଲି ପୀଡିତାଙ୍କ ପାଇଁ କୃଷ୍ଣ ନେଇଥିବା ପଦକ୍ଷେପକୁ ଧନ୍ୟବାଦ । କିନ୍ତୁ କଂଗ୍ରେସ ବିରୋଧରେ ତାଙ୍କର ଅଭିଯୋଗ ନିରାଧାର । କାରଣ ଏହି ପ୍ରସଙ୍ଗରେ ସମସ୍ତ ପ୍ରକାର ସମର୍ଥନ କରିଛି କଂଗ୍ରେସ । ତେବେ ଶଗରିଆଙ୍କ ପଦକ୍ଷେପକୁ କଡା ଭାଷାରେ ସମାଲୋଚନା କରିଛନ୍ତି ବରିଷ୍ଠ ନେତା ସୁର ରାଉତ୍ ରାୟ । ସେ କହିଛନ୍ତି ଦଳ ଛାଡିଲେ କୌଣସି ପ୍ରଭାବ ପଡିବନି । କଂଗ୍ରେସ ଦଳ ଏକ ସମୁଦ୍ର ଏବଂ ସମୁଦ୍ରରୁ ବାଲଟିଏ ପାଣି ଗଲେ କିଛି ଅସୁବିଧା ହେବ ନାହିଁ ବୋଲି ସୁର ରାଉତରାୟ କହିଛନ୍ତି ।