କନକ ବ୍ୟୁରୋ: ମଣିପୁର ହିଂସାକୁ ନେଇ ପ୍ରଧାନମନ୍ତ୍ରୀ ମୋଦୀ ବୟାନ ରଖିବା ପରେ ମୋଦୀଙ୍କୁ ଟାର୍ଗେଟ କରିଛି କଂଗ୍ରେସ । ମୋଦୀଙ୍କ ବୟାନ ବହୁତ କମ୍ ଏବଂ ବହୁତ ଡେରିରେ ଆସିଛି ବୋଲି କହିବା ସହିତ କେବଳ କଥାରେ ନୁହେଁ କାମରେ କରି ଦେଖାନ୍ତୁ ବୋଲି କଂଗ୍ରେସ କହିଛି । ଅନ୍ୟପଟେ କଂଗ୍ରେସ ମହାସଚିବ ଜୟରାମ ରମେଶ କହିଛନ୍ତି ଯେ, ୧୮୦୦ ଘଣ୍ଟା ଚୁପ୍ ରହିବା ପରେ ପ୍ରଧାନମନ୍ତ୍ରୀ ମୋଦୀ ଏହି ଘଟଣାରେ ମାତ୍ର ୩୦ ସେକେଣ୍ଡ ହିଁ କହିଛନ୍ତି ।

Advertisment

ସେ ଆହୁରି ମଧ୍ୟ କହିଛନ୍ତି ଯେ, ମଣିପୁର ହିଂସା ଶାସନର ବିଫଳତା ଅଟେ । ପ୍ରଧାନମନ୍ତ୍ରୀ ଜାଣିଶୁଣି ଅନ୍ୟ ରାଜ୍ୟରେ ମହିଳାଙ୍କ ପ୍ରତି ହେଉଥିବା ଅତ୍ୟାଚାରକୁ ମଣିପୁର ହିଂସା ସହିତ ତୁଳନା କରିଛନ୍ତି । ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ ଏବଂ ଗୁଜରାଟରେ ମହିଳାଙ୍କ ପ୍ରତି ହେଉଥିବା ଅତ୍ୟାଚାରକୁ ନଜର ଅନ୍ଦାଜ କରାଯାଇଛି । ମୋଦୀ ରାଜ୍ୟରେ ଶାନ୍ତି ରଖିବା ପାଇଁ କୌଣସି ବି ଅପିଲ କରିନାହାଁନ୍ତି । ପ୍ରଧାନମନ୍ତ୍ରୀ କେବଳ ଗୋଟିଏ ଭାଇରାଲ ଭିଡିଓ ଉପରେ ଟିପ୍ପଣୀ ରଖିଛନ୍ତି ବୋଲି ସେ କହିଛନ୍ତି ।

ସେହିପରି କଂଗ୍ରେସ ନେତା ସୁପ୍ରିୟା ଶ୍ରୀନେତ୍ର ମଧ୍ୟ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି, ସଂସଦର ଅଧିବେଶନ ଆରମ୍ଭ ହେବା ପୂର୍ବରୁ ମୋଦୀ ୮ ମିନିଟ୍ ୨୫ ସେକେଣ୍ଡ କହିଲେ, ହେଲେ ମଣିପୁର ପ୍ରସଙ୍ଗ କହିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ପାଖରେ କେବଳ ୩୦ ସେକେଣ୍ଡ ଥିଲା । ମଣିପୁର ପ୍ରସଙ୍ଗ କହିବା ସମୟରେ ପ୍ରଧାନମନ୍ତ୍ରୀ ରାଜସ୍ଥାନ ଏବଂ ଛତିଶଗଡ କଥା କହିଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି ।

ଜାଣିରଖିବା ଉଚିତ୍ ଯେ, ଆଜି ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେବା ପୂର୍ବରୁ ପ୍ରତିକ୍ରିୟା ରଖିଥିଲେ ପ୍ରଧାନମନ୍ତ୍ରୀ ମୋଦୀ । ମଣିପୁରର ଭାଇରାଲ ଭିଡିଓ ପ୍ରସଙ୍ଗରେ ସେ କହିଥିଲେ ଯେ, ମଣିପୁରର ଘଟଣା ୧୪୦ କୋଟି ଭାରତୀୟଙ୍କୁ ଲଜ୍ଜିତ କରିଛି । ଅଭିଯୁକ୍ତଙ୍କୁ କେବେ ବି କ୍ଷମା କରାଯିବନି । ଏହି ପ୍ରତିକ୍ରିୟା ରଖିବା ସମୟରେ ମୋଦୀ ରାଜସ୍ଥାନ ଏବଂ ଛତିଶଗଡରେ ହେଉଥିବା ଅତ୍ୟାଚାର କଥା ମଧ୍ୟ ଉଲ୍ଲେଖ କରିଥିଲେ । ଯାହାକୁ ନେଇ ରାଜନୀତି ତେଜିବାରେ ଲାଗିଛି ।