କନକ ବ୍ୟୁରୋ : ଆଜି ପ୍ରଧାନମନ୍ତ୍ରୀ ରୋଜଗାର ମେଳାକୁ ଉଦଘାଟନ କରିଛନ୍ତି । ଏହି କାର୍ଯ୍ୟକ୍ରମର ପ୍ରଥମ ପର୍ଯ୍ୟାୟରେ ଆଜି ପ୍ରଧାନମନ୍ତ୍ରୀ ଦେଶର ୭୫ ହଜାର ଶିକ୍ଷିତ ବେରୋଜଗାରୀଙ୍କୁ ନିଯୁକ୍ତି ପତ୍ର ବାଣ୍ଟିଛନ୍ତି । ଏହାସହ ଆଗାମୀ ଦେଢ ବର୍ଷ ମଧ୍ୟରେ ଦେଶରେ ୧୦ ଲକ୍ଷ ବେକାର ଯୁବକ ଯୁବତୀଙ୍କୁ ଚାକିରି ଦିଆଯିବ ବୋଲି ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି । ହେଲେ ପ୍ରଧାନମନ୍ତ୍ରୀଙ୍କ ଏହି ରୋଜଗାର ମେଳାକୁ କଟାକ୍ଷ କରିଛି କଂଗ୍ରେସ । କଂଗ୍ରେସ ତରଫରୁ ବରିଷ୍ଠ ନେତା ରଣଦୀପ ସୁରଜୱାଲା କହିଛନ୍ତି ଯେ ଏହା ମିଛ ରାଜାଙ୍କୁ ଏକ ଇଭେଣ୍ଟବାଜୀ । ସେ ପ୍ରଧାନମନ୍ତ୍ରୀଙ୍କୁ ପ୍ରଶ୍ନ କରିଛନ୍ତି କି ବର୍ଷକୁ ଦୁଇକୋଟି ଚାକିରି ହିସାବରେ ୮ ବର୍ଷରେ ଯେଉଁ ୧୬ କୋଟି ଚାକିରି ଦେବାକୁ ପ୍ରଧାନମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ ତାହା କୁଆଡେ ଗଲା । ସେପଟେ ଭାରତ ଯୋଡ ଯାତ୍ରା ମାତ୍ର ୪ ଟି ରାଜ୍ୟ ପରିକ୍ରମା କରିବା ପରେ ସରକାର ସ୍ୱୀକାର କରିଛନ୍ତି ଯେ ଦେଶରେ ବେରୋଜଗାରୀ ଏବେ ସବୁଠାରୁ ଏକ ବଡ ସମସ୍ୟା ବୋଲି ସେ କହିଛନ୍ତି ।

Advertisment

ସୁରଜୱାଲା ଏହାକୁ ଭାରତ ଯୋଡ ଯାତ୍ରାର ସବୁଠାରୁ ବଡ ଉପଲବ୍ଧି ବୋଲି କହି ଏକ ଟ୍ୱିଟ୍ କରିଛନ୍ତି । ସେ ତାଙ୍କ ଟ୍ୱିଟରରେ ଆହୁରି ଲେଖିଛନ୍ତି ଯେ, ଦେଶରେ ୩୦ ଲକ୍ଷ ସରକାରୀ ପଦବୀ ଖାଲି ପଡିଥିବା ବେଳେ ମାତ୍ର ୭୦ ହଜାର ପିଲାଙ୍କୁ ନିଯୁକ୍ତି ଦେଇ ପ୍ରଧାନମନ୍ତ୍ରୀ ପୁଣି ଦେଶର ନାଗରିକଙ୍କ ସହ ବିଶ୍ୱାସଘାତକତା କରିଛନ୍ତି ।

କହିରଖୁ କି, ଆଜି ପ୍ରଧାନମନ୍ତ୍ରୀ ୧୦ ଲକ୍ଷ ଲୋକଙ୍କୁ ଚାକିରି ଦେବା ଅଭିଯାନ ରୋଜଗାର ମେଳାର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ କି, କୋଭିଡ-୧୯ ପରେ ସାରା ବିଶ୍ୱର ସମସ୍ତ ଦେଶମାନେ ଆର୍ଥିକ ସମସ୍ୟା ଭିତରେ ଗତି କରୁଛନ୍ତି ।